ବାଲେଶ୍ବର:ବାଲେଶ୍ବର ଜିଲ୍ଲାର ସୋରରେ ଅଭାବନୀୟ ଘଟଣା । ଟ୍ରେନ ଧକ୍କାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ । ମୃତକ ହେଲେ ରାକେଶ କୁମାର ପାଢୀ ଏବଂ ରତିକାନ୍ତ ସାହୁ, ଦୁହେଁ ସାଙ୍ଗ । ଗତକାଲି (ସୋମବାର) ରାତିରେ ରାକେଶ ଟ୍ରେନ ଆଗକୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ରତିକାନ୍ତ ତାଙ୍କୁ ବଞ୍ଚାଇବାକୁ ଯିବାବେଳେ ଟ୍ରେନରେ କଟି ଦୁହିଁଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବାହାନଗା ନିକଟ ସୋର ଥାନା ଦାଣ୍ଡହରିପୁର ରେଳ ଫାଟକର ଅନତି ଦୂରରେ ଘଟିଛି ଏହି ଘଟଣା ।
ମିଳିଥିବା ସୂଚନା ଅନୁସାରେ, ଗତକାଲି (ସୋମବାର) ବିଳମ୍ବିତ ରାତିରେ ଆରୁଆବାଡ ଗ୍ରାମର ୩୫ ବର୍ଷୀୟ ଯୁବକ ରାକେଶ କୁମାର ପାଢୀ ଓ ବାରିପଦା ଗ୍ରାମର ୨୫ ବର୍ଷୀୟ ଯୁବକ ରତିକାନ୍ତ ସାହୁ ଏକ ବାଇକ ଯୋଗେ ଆସୁଥିଲେ । ଦାଣ୍ଡହରିପୁର ଗେଟ ନିକଟରେ ଫାଟକ ପଡ଼ିଥିବାରୁ ଛିଡ଼ା ହୋଇଥିଲେ । ଏହି ସମୟରେ ହଠାତ ପଛରେ ବସିଥିବା ରାକେଶ ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା ପାଇଁ ଦୌଡିଥିଲେ । ତାଙ୍କୁ ବଞ୍ଚାଇବାକୁ ପଛେ ପଛେ ଯାଇଥିଲେ ରତିକାନ୍ତି । ଏହି ସମୟରେ ପୁରୀରୁ ହାୱଡା ଅଭିମୁଖେ ଯାଉଥିବା ପୁରୀ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ଉଭୟଙ୍କୁ ଧକ୍କା ଦେଇଥିଲା । ଟ୍ରେନ ଧକ୍କାରେ ଦୁଇ ଯୁବକ କଟିଯାଇ ପ୍ରାଣ ହରାଇଥିଲେ ।
ଏହା ମଧ୍ୟ ପଢନ୍ତୁ: ଏମିତି ବି ଆସେ ମୃତ୍ୟୁ ! ଘରେ ଶୋଇଥିଲେ ବୃଦ୍ଧା ପଶି ଆସିଲା ଟ୍ରକ - Truck Runs Over House