ବଲାଙ୍ଗୀର:ଏମିତି ବି ଆସେ ମୃତ୍ୟୁ । ପୁରୀରୁ ରଥଯାତ୍ରା ଦେଖି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାର ଶିକାର ହେଲେ ଦୁଇ ସାଙ୍ଗ । ଘଟଣାରେ ଦୁଇ ସାଙ୍ଗଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ସାଙ୍ଗ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଯାହାକୁ ନେଇ ଏବେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁସାରେ, ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚୁଡ଼ାପାଳି ଗାଁରୁ ଆସିଛି ଏଭଳି ଅଭାବନୀୟ ଘଟଣା । ଏହି ଗାଁ ଓ ପାଖ ଗାଁର ତିନି ଜଣ ସାଙ୍ଗ ପ୍ରକାଶ ସାହୁ, ବିକାଶ ସାହୁ ଓ ନବୀନ କୁଅଁର ପାଟଣାଗଡ଼ ଧୁବଳ ପଡ଼ାକୁ ରଥ ଯାତ୍ରା ଦେଖିବାକୁ ଏକ ବାଇକରେ ଯାଇଥିଲେ ଏବଂ ସେଠୁ ରାତିରେ ଫେରୁଥିବା ବେଳେ ତାଙ୍କ ବାଇକ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଯାହା ପରେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଜଣେ ସାଙ୍ଗକୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ସେପଟେ ଅନ୍ୟ ଦୁଇ ଆହତଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣେ ସାଙ୍ଗଙ୍କ ମୃତ୍ୟୁ ଘଟିଛି । ସେପଟେ ଆଉ ଜଣେ ସାଙ୍ଗଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ଥିବା ବେଳେ ଡାକ୍ତରଖାନାରେ ସେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।
ମୃତ ଦୁଇ ସାଙ୍ଗ ହେଲେ ପ୍ରକାଶ ସାହୁ ଏବଂ ବିକାଶ ସାହୁ। ସେପଟେ ଅନ୍ୟ ଜଣେ ଗୁରୁତର ଆହତ ହେଲେ ନବୀନ କୁଅଁର । ତେବେ ସଂପୃକ୍ତ ଘଟଣା ପରେ ଚୁଡ଼ାପାଲି ଗାଁରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପଟେ ପାଟଣାଗଡ଼ ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ସେହିପରି ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଛି ।