ବ୍ରହ୍ମପୁର:ଘରକୁ ଫେରିଛନ୍ତି ଅଯୋଧ୍ୟାକୁ ପଦଯାତ୍ରା କରିଥିବା ବ୍ରହ୍ମପୁରର ୨ ରାମଭକ୍ତ । ଗତ ୨୨ ତାରିଖରେ ପ୍ରଭୁ ରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠାର ଭବ୍ୟ ଉତ୍ସବ ଥିଲା । ଏଥିରେ ଯୋଗ ଦେବା ପାଇଁ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକର ଦୁଇ ଯୁବକ କୁରେଶ ବେହେରା ଏବଂ ତାଙ୍କ ସାଙ୍ଗ ସୋନୁ ବିଷୋୟୀ ଡିସେମ୍ୱର ୩୦ ତାରିଖରେ ଅଯୋଧ୍ୟା ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ । ଉଭୟ ପାଟିରେ ରାମ ନାମ ଜପି କୋନିସି ଠାରୁ ଏହି ଯାତ୍ରା ଆରମ୍ଭ କରିଥିଲେ ।
ତେବେ ୩୫ ରୁ ୪୦ ଦିନ ମଧ୍ୟରେ ପାଦରେ ଚାଲି ଚାଲି ଅଯୋଧ୍ୟାରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଥିବା ଏହି ଦୁଇ ଯୁବକ ୪୫ ଦିନରେ ଅଯୋଧ୍ୟାରେ ପହଞ୍ଚିଥିଲେ । ଏନେଇ ରାମ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପାଦରେ ଚାଲି ଚାଲି ଯାଇଥିବା ଏହି ଦୁଇ ରାମଭକ୍ତଙ୍କୁ ସ୍ୱତନ୍ତ୍ର ଭାବରେ ଦର୍ଶନ କରାଇଥିଲେ ରାମଲାଲାଙ୍କ ବିଗ୍ରହକୁ । ଯାହାକି ଏହି ଦର୍ଶନ କରିବା ସମୟରେ ଦୁଇ ଭକ୍ତଙ୍କ ଆଖି ଛଳ ଛଳ ହୋଇଯାଇଥିଲା ବୋଲି ନିଜ ଗ୍ରାମକୁ ଫେରିଥିବା ଦୁଇ ଯୁବକ ଯାତ୍ରା ସମୟର କାହାଣୀକୁ ବର୍ଣ୍ଣନା କରିଛନ୍ତି । ଦେଶବାସୀଙ୍କ ମଙ୍ଗଳକାମନା ପାଇଁ ପ୍ରାର୍ଥନା କରି ଏହି ଦୁଇ ଯୁବକ ପାଖାପାଖି ୧୩୪୦ ରୁ ୧୪୦୦ କିଲୋମିଟର ପାଦରେ ଚାଲି ଚାଲି ଯାତ୍ରା କରିଥିଲେ । ସେଠାରୁ ଫେରିବା ପରେ ଉତ୍ସାହୀ ଯୁବକଙ୍କୁ ସମ୍ୱର୍ଦ୍ଧିତ କରାଇବା ସହିତ ଗ୍ରାମ ପରିକ୍ରମା କରାଇଥିଲେ ସ୍ଥାନୀୟ ବାସିନ୍ଦା । ସେପଟେ ନିଜ ଅଞ୍ଚଳକୁ ଫେରିଥିବା ଦୁଇ ଯୁବକ ନିଜର ଅନୁଭୂତି ବର୍ଣ୍ଣନା କରିଥିବା ବେଳେ ଏହି ଦୁଇ ଯୁବକଙ୍କୁ ନେଇ ଗର୍ବିତ ବୋଲି କହିଛନ୍ତି ଗ୍ରାମବାସୀ ।