ନବରଙ୍ଗପୁର: ଓଡିଶାରେ ପୁଣି ଦେଖାଦେଇଛି ରୁବେଲା । ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁରରେ ଦେଖାଦେଇଛି ରୁବେଲା ବା ଜର୍ମାନୀ ମିଳିମିଳା ଆତଙ୍କ । ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକର ପଡାଲଗୁଡା ଗାଁର ରୁବେଲା ରୋଗୀ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ ଏହି ଅଞ୍ଚଳରେ ୧୮ ଜଣଙ୍କୁ ପ୍ରଥମେ ଜ୍ବର ହେବା ସହ ଶରୀରରେ କୁଣ୍ଡିଆ ଭଳି ଦାଗ ଦେଖାଯାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ସ୍କ୍ରବ ଟାଇଫସ ଓ ଲେପ୍ଟୋସ୍ପିରୋସିସ୍ ଭଳି ଜଣା ପଡୁଥିଲେ ହେଁ ରୁବେଲା ଭୂତାଣୁର ଶିକାର ହୋଇଥିବା ନେଇ ସନ୍ଦେହ କରାଯାଉଥିଲା । ପରବର୍ତ୍ତୀ ସମୟରେ ଜିଲ୍ଲା ସ୍ତରୀୟ ଡାକ୍ତରୀ ଦଳଙ୍କ ସହିତ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଅଧିକାରୀ ମାନେ ସେଠାରେ ପହଞ୍ଚି ୫ ଜଣ ଲକ୍ଷଣ ଥିବା ଶିଶୁଙ୍କର ରକ୍ତ ନମୁନା ସଂଗ୍ରହ କରିଥିଲେ ।
ଏହା ମଧ୍ୟ ପଢନ୍ତୁ ...ହୀରାକୁଦ ପରେ ମୈତ୍ରୀ ବିହାରରେ ଡାଇରିଆ ଆତଙ୍କ, ପ୍ରଭାବିତ ଅଞ୍ଚଳକୁ ମେଡିକାଲ ଟିମ ପଠାଇଲା ସ୍ୱାସ୍ଥ୍ୟ ବିଭାଗ - DIARRHOEA SPREADS IN Sambalpur
ରକ୍ତ ନମୁନାକୁ ଗତ 24 ତାରିଖରେ ଭୁବନେଶ୍ବର ଆଇସିଏମଆର (ICMR) ପରୀକ୍ଷାଗାରକୁ ପଠାଯାଇଥିଲା । ସେଥିମଧ୍ୟରୁ ଦୁଇ ଶିଶୁଙ୍କ ରକ୍ତରେ ରୁବେଲା ଭୂତାଣୁ ଚି଼ହ୍ନଟ ହୋଇଛି । ଉଭୟ ଶିଶୁଙ୍କର ଅବସ୍ଥା ସ୍ଥିର ଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ଟିମ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି । ସୂଚନାଯୋଗ୍ୟ ଯେ ରୁବେଲା ଏକ ଭୂତାଣୁ ଜନିତ ରୋଗ ଓ ଏହା ବାୟୁ ଦ୍ବାରା ସଂକ୍ରମିତ ହୋଇଥାଏ । ସଂକ୍ରମିତ ରୋଗୀଙ୍କ କାଶ କିମ୍ବା ଛିଙ୍କ ଜରିଆରେ ସୁସ୍ଥ ଲୋକଙ୍କୁ ସଂକ୍ରମଣ ହୋଇଥାଏ । ଏହି ରୋଗର ଲକ୍ଷଣ ହେଉଛି ମୁହଁରେ ଗୋଲାପୀ ରଙ୍ଗ ଦାଗ ପଡିବା ସହ କାନ ବେକରେ ଛୋଟ ଛୋଟ ଫୋଟକା ଦେଖା ଦେଇଥାଏ ।