ଯାଜପୁର: କ୍ରୋମାଇଟ ପରିବହନକୁ ନେଇ ମୁହାଁମୁହିଁ ଯାଜପୁର ଟ୍ରକ ମାଲିକ ସଂଘ । ଗୋଟିଏ ଟ୍ରକ ମାଲିକ ସଂଘ ଫାଷ୍ଟ କମ୍ ଫାଷ୍ଟ ଲୋଡ଼ିଂ ନିୟମକୁ ଅବମାନନା କରି ପରିବହନ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ବିରୋଧ ଅନ୍ୟ ଏକ ଟ୍ରକ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି । କ୍ରୋମାଇଟ ବୋଝେଇ କରି ଆସୁଥିବା ଟ୍ରକକୁ ରାସ୍ତାରେ ଅଟକ ରଖିଛନ୍ତି । ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏହାର ସମାଧାନ କରିବା ପାଇଁ ଦାବି କରିଛନ୍ତି । ଶୀଘ୍ର ଏହି ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ ଟ୍ରକ ମାଲିକ ସଂଘ ।
ଟ୍ରକ ମାଲିକ ସଂଘ ଆନ୍ଦୋଳନ:
ଯାଜପୁର ଜିଲ୍ଲା କାଳିଆପାଣି ଖଣି ଅଞ୍ଚଳରେ କ୍ରୋମାଇଟ ପରିବହନ ପାଇଁ ଟ୍ରକ ମାଲିକଙ୍କ ବିବାଦ ଧିରେ ଧିରେ ବଢିବାକୁ ଲାଗିଛି । କାଳିଆପାଣି ଖଣି ଅଞ୍ଚଳରୁ କ୍ରୋମାଇଟ ପରିବହନକୁ କେନ୍ଦ୍ରକରି ମୁହାଁମୁହିଁ ହୋଇଛନ୍ତି ଟ୍ରକ୍ ମାଲିକ ସଂଘ । ଜିଲ୍ଲାର ଗୋଟିଏ ଟ୍ରକ୍ ମାଲିକ ସଂଘ ଜୋରଜବରଦସ୍ତ ଫାଷ୍ଟ କମ୍ ଫାଷ୍ଟ ଲୋଡ୍ ନିୟମକୁ ଅବମାନନା କରି କ୍ରୋମାଇଟ ପରିବହନ କରୁଥିବା ଅନ୍ୟ ଟ୍ରକ ମାଲିକ ସଙ୍ଘ ଅଭିଯୋଗ କରୁଛି । ତେବେ ଜିଲ୍ଲା ପ୍ରଶାସନର ଟାଳଟୁଳ ନୀତି ଯୋଗୁ ଏବେ ଟ୍ରକ ମାଲିକ ସଂଘ ମାନେ ଗତ 3ଦିନ ଧରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । କ୍ରୋମାଇଟ ବୋଝେଇ କରି ଆସୁଥିବା ସମସ୍ତ ଟ୍ରକ୍ ଗୁଡ଼ିକୁ ଯାଜପୁର ରୋଡ଼ ଓ ଚଣ୍ଡିଖୋଲ ନିକଟରେ ଅଟକ ରଖି ଧାରଣାରେ ବସିଛନ୍ତି ବିଭିନ୍ନ ଟ୍ରକ୍ ମାଲିକ ସଂଘ । ସେପଟେ ଉପରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ଚାଲିଛି ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ବ୍ୟାସନଗର ତହସିଲଦାର କହିଛନ୍ତି ।
ଫାଷ୍ଟ କମ୍ ଫାଷ୍ଟ ଲୋଡ ନିୟମକୁ ଅବମାନନା:
ହାଇକୋର୍ଟ ଅର୍ଡର ଦେଇଥିବା ଫାଷ୍ଟ କମ୍ ଫାଷ୍ଟ ଲୋଡ୍ ନିୟମକୁ ଅବମାନନା କରିବା ସହ ଟ୍ରକ୍ ଲୋଡିଂରେ ଅନିୟମିତତା ଅଭିଯୋଗରେ ବିଭିନ୍ନ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଗତ ୯ ତାରିଖରୁ ଶତାଧିକ ଟ୍ରକ ମାଲିକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆନ୍ଦୋଳନକୁ ସମର୍ଥନ କରୁନଥିବା ଟ୍ରକ ମାଲିକଙ୍କ କ୍ରୋମାଇଟ ବୋଝେଇ କରି ଆସୁଥିବା ଟ୍ରକ୍ ଗୁଡ଼ିକୁ ଯାଜପୁର ରୋଡ଼ର ସୋବରା ଓ ଚଣ୍ଡିଖୋଲ ନିକଟରେ ଅଟକ ରଖି ଧାରଣାରେ ବସିଛନ୍ତି ଯାଜପୁର ରୋଡ଼, ଚଣ୍ଡିଖୋଲ, ବ୍ରାହ୍ମଣୀ ବ୍ରିଜ ଓ ଖଣି ପ୍ରଭାବିତ ଟ୍ରକ୍ ମାଲିକ ସଂଘ ଆଦି ୪ଟି ଟ୍ରକ୍ ମାଲିକ ସଂଘର ସଦସ୍ୟ ।
ସଙ୍ଘର ଅଭିଯୋଗ ମୁତାବକ ସୁକିନ୍ଦା ଖଣି ଉପତ୍ୟକାର କାଳିଆପାଣି ଖଣି ଅଞ୍ଚଳରେ ସୁବ୍ୟବସ୍ଥିତ ଢଙ୍ଗରେ କ୍ରୋମାଇଟ ପରିବହନ ପାଇଁ ବହୁ ପୂର୍ବରୁ ଫାଷ୍ଟ କମ୍ ଫାଷ୍ଟ ଲୋଡ୍ ନିୟମ ଲାଗୁ କରିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ । ପରେ ବିଭିନ୍ନ ଟ୍ରକ୍ ମାଲିକ ସଂଘର ମିଳିତ ନିଷ୍ପତ୍ତି କ୍ରମେ ପାର୍କିଂ ବ୍ୟବସ୍ଥା କରାଯାଇ ଏହି ନିୟମରେ ଟ୍ରକ୍ ଲୋଡିଂ କରାଯାଉଥିଲା । ହେଲେ ଗତ ୨୦୨୪ ଅକ୍ଟୋବର ମାସରୁ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହୋଇଛି ।
ସମସ୍ୟାର ସମାଧାନ ପାଇଁ ଦାବି:
ସେହିପରି ସ୍ଥାନୀୟ ଅଞ୍ଚଳର କିଛି ମୁଷ୍ଟିମେୟ ଟ୍ରକ୍ ମାଲିକ ଓ ସୁକିନ୍ଦା ମିନେରାଲ ଟ୍ରକ୍ ମାଲିକ ସଂଘର ସଦସ୍ୟମାନେ ଜୋର ଜବରଦସ୍ତ ସେମାନଙ୍କ ଟ୍ରକ୍ ଲୋଡିଂ କରାଉଥିବା ବେଳେ ଜିଲ୍ଲାର ଅନ୍ୟ ଅଞ୍ଚଳରୁ ଆସୁଥିବା ଟ୍ରକ୍ ଗୁଡ଼ିକୁ ଆଜକୁ ଅନେକ ମାସ ହେବ ଲୋଡିଂ ଦିଆଯାଉନାହିଁ । ଫଳରେ ଟ୍ରକ୍ ମାଲିକମାନେ କ୍ଷତି ସହିବା ସହ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ଖଣି ପ୍ରଭାବିତ ଟ୍ରକ୍ ମାଲିକ ସଂଘ ସମେତ, ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ, ବ୍ରାହ୍ମଣୀ ବ୍ରିଜ ଟ୍ରକ୍ ମାଲିକ ସଂଘ ଓ ଯାଜପୁର ରୋଡ଼ ଟ୍ରକ୍ ମାଲିକ ସଂଘ ପକ୍ଷରୁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେଣୁ ବାଧ୍ୟହୋଇ ଗତ ଜାନୁଆରୀ ୯ ତାରିଖ ଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଏହି ୪ଟି ଟ୍ରକ୍ ମାଲିକ ସଂଘ । ତେବେ ଯେପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ନହେବ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ ବୋଲି ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି ଟ୍ରକ ମାଲିକ ସଙ୍ଘର କାର୍ଯ୍ୟକର୍ତ୍ତା ।
ଟ୍ରକ୍ ମାଲିକ ସଂଘର ଚେତାବନୀ: