କେନ୍ଦ୍ରାପଡ଼ା:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶିଲେ ଆଦିବାସୀ ପରିବାର । ନିଜର ନ୍ୟାର୍ଯ୍ୟ ଅଧିକାର ପାଇଁ ଉତ୍ୟକ୍ତ ଲୋକଙ୍କୁ ବୁଝାଇବା ପାଇଁ ନାକେଦମ ହେଲା ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ । "ଆମକୁ ଭୂମିହୀନ ଜମି ଆଉ ଆବାସ ଯୋଜନାରେ ଘର ଦେଲେ ଆମେ ଘରକୁ ଯିବୁ" । ଗତକାଲି(ଗୁରୁବାର) ଏଭଳି ନାରା ଦେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ ଆଦିବାସୀ ପରିବାର ।
ସୂଚନା ଅନୁସାରେ, ବର୍ଷେ କି ଦୁଇ ବର୍ଷ ନୁହେଁ ୬୦ ବର୍ଷରୁ ଅଧିକ ସମୟ ଧରି ୫୦ରୁ ଅଧିକ ଆଦିବାସୀ ପରିବାର କେନ୍ଦ୍ରାପଡ଼ା ସହରର ଉପକଣ୍ଠ ଅଞ୍ଚଳର ଶ୍ୟାମସୁନ୍ଦରପୁର ପଞ୍ଚାୟତର ୫୩ନଂ ଜାତୀୟ ରାଜପଥ କଡ଼ରେ ଥିବା ପୋଲ ନିକଟରେ ରହି ଆସୁଛନ୍ତି । ଗତ ୨୦୨୩ ମସିହା ନଭେମ୍ବର ମାସରେ ଶ୍ୟାମସୁନ୍ଦରପୁର କଲ୍ୟାଣ ମଣ୍ଡପକୁ କେନ୍ଦ୍ରୀୟ ଜନଜାତି କମିଶନରଙ୍କ ସହ କେନ୍ଦ୍ରାପଡା ତହସିଲଦାର, ଆରଆଇ ଆଦି ପଦାଧିକାରୀ ପହଞ୍ଚି ଯାଯାବର ଭାବେ ରହୁଥିବା ଏହି ଜନଜାତି ମାନଙ୍କୁ ଜାଗା ମିଶନରେ ଜମି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଏମାନଙ୍କୁ ଆଜି ଯାଏ ପ୍ରଶାସନ ନାଁ ଦେଲେ ଜାଗା ନାଁ ଦେଲେ ଘର ।
ଆଦିବାସୀ ଲୋକମାନେ ନିଜ ସ୍ଥାୟୀ ବାସସ୍ଥାନ ପାଇନଥିବା ବେଳେ ପୋଲ ନିକଟରେ ପରିବାର ସହ ରହିଆସୁଛନ୍ତି । ଯାହା ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ପ୍ରତିବାଦ କରି ଶତାଧିକ ଆଦିବାସୀ ପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛନ୍ତି ଶତାଧିକ ଆଦିବାସୀ ପରିବାର । ଏଥିସହ ଘର ନ ମିଳିବା ଯାଏଁ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।