ବଲାଙ୍ଗୀର: ଆଦିବାସୀ ସମାଜର ପ୍ରସିଦ୍ଧ ସୁଲିଆ ଯାତ୍ରାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପାରମ୍ପରିକ ଆଦିବାସୀ ରୀତିନୀତି ଅନୁଯାୟୀ ଆସନ୍ତା (ଜାନୁଆରୀ) ୭ ତାରିଖରେ ପାଳନ ହେବାକୁ ଯାଉଛି ଏହି ଯାତ୍ରା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି ।
- କ’ଣ ରହିଛି ସୁଲିଆ ଯାତ୍ରାର ରୀତିନୀତି
ଆଦିବାସୀ ପ୍ରସିଦ୍ଧ ସୁଲିଆ ଯାତ୍ରା ଆସନ୍ତା ଜାନୁଆରୀ ୭ ତାରିଖରେ ପାଳନ ହେବ । ତିଥି ଅନୁସାରେ ପୌଷ ମାସ ପ୍ରଥମ ମଙ୍ଗଳବାର ଦିନ ଆଦିବାସୀ ରୀତିନୀତି ଅନୁଯାୟୀ ପୂର୍ବ ପୁରୁଷ ସୁଲିଆ ବୁଢା ଓ ଅନ୍ୟ ଦେବାଦେବୀଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରାଯାଏ । ଏହି ପୂଜାରେ ଫଳମୂଳ ତଥା ପଶୁ-ପକ୍ଷୀ ବଳି ଦେବାର ପ୍ରଥା ରହିଛି । ସୁଲିଆ ଯାତ୍ରାରେ ଆଦିବାସୀଙ୍କ ମୁଖ୍ୟ ଦେହୁରୀ ରାତି ଉଜାଗର ରହି ଭୋର ସମୟରେ ‘ନିଶିଗୁଡି ପୂଜା’ କରିଥାନ୍ତି ଏବଂ ସିଆଲ ପତ୍ରରେ ତିଆରି ପୋଷାକ ପରିଧାନ କରି ଉଦିୟମାନ ସୂର୍ଯ୍ୟଙ୍କୁୁ ପୂଜା କରିବା ପରେ ବଳି ଦିଆଯାଇଥାଏ । ମାନ୍ୟତା ଅନୁସାରେ ସୁଲିଆ ବୁଢା ସମସ୍ତଙ୍କ ଦୁଃଖ ହାରିବା ସହ ମନସ୍କାମନା ପୂରଣ କରିଥାଆନ୍ତି । ମାନସିକ ପୂରଣ ହେଲେ ଭକ୍ତ ସୁଲିଆ ବୁଢ଼ାଙ୍କଠାରେ ଫଳମୂଳ, ପଶୁ-ପକ୍ଷୀ ବଳି ଦେବାର ପ୍ରଥା ପ୍ରାଚୀନ ସମୟରୁ ଆଦିବାସୀ ସମାଜରେ ରହିଆସିଛି ।
- ଏକାଠି ହୋଇ ପାଳିବେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ଆଦିବାସୀ
ଏଥର ବଲାଙ୍ଗୀର ଓ ସୋନପୁର ଜିଲ୍ଲା ଆଦିବାସୀ ଏକାଠି ହୋଇ ଏହି ଯାତ୍ରା ପାଳନ କରିବେ । ଯାହା ପାଇଁ ସୁଲିଆ କମିଟି ଗଠନ ହୋଇଛି ଏବଂ ସୁରୁଖୁରରେ ଯାତ୍ରା ସମ୍ପାଦନ ପାଇଁ ଏହି କମିଟିରେ ଆଲୋଚନା ହୋଇଛି । ସେହିପରି ଚଳିତ ବର୍ଷ ମଧ୍ୟ ୩ ଦିନ ଧରି ସୁଲିଆ ମହୋତ୍ସବ ପାଳନ ହେବ ଓ ଶେଷ ଦିନ ୭ ତାରିଖରେ ସୁଲିଆ ବଳି ଯାତ୍ରା ପାଳନ ହେବ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ଓ ସହଯୋଗ ପାଇଁ ପ୍ରଶାସନ ତଥା ପୋଲିସକୁ ପଦକ୍ଷେପ ନେବାକୁ ନିବେଦନ କରିଛି ସୁଲିଆ କମିଟି ।
- ପୌଷ ମାସ ପ୍ରଥମ ମଙ୍ଗଳବାରରେ ହୁଏ ସୁଲିଆ ଯାତ୍ରା
ସୁଲିଆ କମିଟିର ସମ୍ପାଦକ ରୂପାଧର ପୁଟା କହିଛନ୍ତି," ଏଥର ସୁଲିଆ ମହୋତ୍ସବ ତିନି ଦିନ ଧରି ହେବ । ଜାନୁଆରୀ 5 ତାରିଖରୁ ସୁଲିଆ ମହୋତ୍ସବ ହେବ ଏବଂ ସାତ ତାରିଖରେ ଅର୍ଥାତ ପୌଷ ମାସ ପ୍ରଥମ ମଙ୍ଗଳବାର ଦିନ ସୁଲିଆ ବଳିଯାତ୍ରା ପାଳନ ହେବ । ଏଥିରେ କନ୍ଧ ଆଦିବାସୀମାନେ ରୀତିନୀତି ଅନୁସାରେ ସୁଲିଆ ବୁଢ଼ାଙ୍କ ପୂଜାର୍ଚ୍ଚନା କରିବେ । ଯେଉଁଥିରେ ଆମର ମୁଖ୍ୟ ଦେହୁରୀ ରାତି ଉଜାଗର ରହି ଭୋରରେ ନିଶିଗୁଡି ପୂଜା ହେବ ଏବଂ ପରେ ଉଦ୍ୟମାନ ସୂର୍ଯ୍ୟଙ୍କୁ ପୂଜା କରି ପାଟ ବୁକାର ବଳି ଚଢ଼ିବ । ଜିଲ୍ଲା ଓ ଜିଲ୍ଲା ବାହାର ତଥା ରାଜ୍ୟ ବାହାରୁ ଆସିଥିବା ଭକ୍ତମାନେ ମାନସିକ ପୂରଣ ପାଇଁ ପଶୁପକ୍ଷୀ ବଳି ଦେବା ସହ ଧୂପ ନଡ଼ିଆରେ ପୂଜା କରିବେ । ଚଳିତବର୍ଷ ସୁଲିଆ ଯାତ୍ରାକୁ ଧୂମଧାମରେ ପାଳନ କରିବୁ ।"