କୋରାପୁଟ: ଆଦିବାସୀ କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାରେ ଆରମ୍ଭ କରାଯାଇଥିବା 'ଡଙ୍ଗର ଉତ୍ସବ' ଆଜି ପାରମ୍ପରିକ ନୃତ୍ୟ ଗୀତ ସହ ପାଳିତ ହୋଇଛି । 1995ରେ ଆରମ୍ଭ କରାଯାଇଥିବା ଡ଼ଙ୍ଗର ଉତ୍ସବ ନାଁରେ ଆରମ୍ଭ ହୋଇଥିବା ଏହା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପରବର୍ତ୍ତୀ ସମୟରେ 'ପରବ' ନାମରେ ନାମିତ କରାଯାଇ ଏକ ବିଶାଳ ରୂପ ଦିଆଯାଇଥିଲା । ଡ଼ଙ୍ଗର ଉତ୍ସବର ମୂଳ ଉଦ୍ଦେଶ୍ୟକୁ ବଞ୍ଚାଇ ରଖିବା ପାଇଁ କୋରାପୁଟ ଆସିବାସୀ ସଂଗ୍ରହାଳୟ, ଇଣ୍ଟାକ ଓ ଜଗନ୍ନାଥ ମନ୍ଦିର ପରିଚାଳନା ସଂସ୍ଥାର ମିଳିତ ଆନୁକୂଲ୍ୟରେ ଆଦିବାସୀ ସଂଗ୍ରହାଳୟରେ ପାଳନ କରାଯାଇଛି ଡଙ୍ଗର ଉତ୍ସବ । ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡ଼ଙ୍ଗର ଅଞ୍ଚଳର ପରମ୍ପରା ଓ ଐତିହ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ପାଳିତ ହୋଇଆସୁଛି ଏହି ଉତ୍ସବ ।
କୋରାପୁଟକୁ ନୂତନ ପରିଚୟ ଦେଇଛି ଡଙ୍ଗର ଉତ୍ସବ:
ଡଙ୍ଗର ଉତ୍ସବ କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋରାପୁଟ ଜିଲ୍ଲାର କଳା ସଂସ୍କୃତି ପରମ୍ପରାକୁ ଆଗେଇ ନେବା ପାଇଁ 1995 ମସିହାରେ ଆରମ୍ଭ କରାଯାଇଥିବା ଡ଼ଙ୍ଗର ଉତ୍ସବ ପାହଡ଼ ଓ ଜଙ୍ଗଲରେ ବସବାସ କରୁଥିବା ଲୋକ ବିଶେଷ କରି ଆଦିବାସୀମାନଙ୍କ ସାଂସ୍କୃତିକ ବିଭବକୁ ନେଇ କୋରାପୁଟକୁ ଏକ ନୂତନ ପରିଚୟ ଦେଇଛି ବୋଲି କହିଛନ୍ତି । କୋରାପୁଟର ସାଂସ୍କୃତିକ ବିଭବ ଅତୁଳନୀୟ ଓ ଜିଲ୍ଲା ପ୍ରଶାସନ ଏହି ଦିଗରେ କାର୍ଯ୍ୟ କରିବା ପାଇଁ ଜିଲ୍ଲା ସଂଗ୍ରହାଳୟ ପ୍ରତିଷ୍ଠା କରିବା ଭଳି ବିଭିନ୍ନ ପଦକ୍ଷେପ ନେଇଥିବା ଜିଲ୍ଲାପାଳ କହିଛନ୍ତି ।
କୋରାପୁଟ ଜିଲ୍ଲାସ୍ତରୀୟ ସଂଗ୍ରହାଳୟ:
କୋରାପୁଟ ଜିଲ୍ଲାର କଳା ଓ ସଂସ୍କୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ଜିଲ୍ଲାରେ ନିର୍ମାଣ ହେବ ଜିଲ୍ଲାସ୍ତରୀୟ ସଂଗ୍ରହାଳୟ । କୋରାପୁଟ ଜିଲ୍ଲାର ଇତିହାସ ଠାରୁ ଆରମ୍ଭ କରି ଆଦିବାସୀଙ୍କ ଲୋକକଳା ଆଦିକୁ ସଂଗ୍ରହାଳୟରେ ସ୍ଥାନିତ କରାଯିବ । ସଂଗ୍ରହାଳୟ ତିଆରି କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ଆଦିବାସୀ ସଂଗ୍ରହାଳୟ ତିଆରି କରାଯିବ । କୋରାପୁଟ ଡଙ୍ଗର ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବା ଅବସରରେ ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ।
ଏହା ମଧ୍ୟ ପଢ଼ନ୍ତୁ...ସମ୍ବଲପୁର ଲୋକ ମହୋତ୍ସବ ଉଦଘାଟିତ, ମନମୋହିଲା ଫ୍ୟୁଜନ ଡ୍ୟାନ୍ସ ଏହା ମଧ୍ୟ ପଢ଼ନ୍ତୁ...ପରବରେ ଜମିଲା ବ୍ୟବସାୟ, କୋଟି କୋଟି ଟଙ୍କାର ବେପାର |