ଭୁବନେଶ୍ବର:ଆସନ୍ତା 22 ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ସ୍ନାନ ପୂର୍ଣ୍ଣିମା । ସେହିପରି ଜୁଲାଇ 7 ତାରିଖରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ମହାଯାତ୍ରା । ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ । ଶ୍ରଦ୍ଧାଳୁଙ୍କ ସୁଗମ ପରବହନକୁ ଆଖି ଆଗରେ ରଖି ଆଜି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି । ପ୍ରାଧିକରଣର ମୁଖ୍ୟାଳୟରେ ରାଜ୍ୟ ପରିବହନ କମିଶନ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୋଲିସ କର୍ତ୍ତୃପକ୍ଷ, ପୁରୀ, କଟକ ଓ ଭୁବନେଶ୍ବର ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ବସ ମାଲିକ ସଂଘର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଶ୍ରଦ୍ଧାଳୁ ଯେପରି ପୁରୀରେ ସୁବିଧାରେ ପହଞ୍ଚିବେ ଓ ଫେରିବେ ତାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗୁଡ଼ିକ ଗ୍ରହଣ କରାଯାଇଛି ।
ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ସୁନାବେଶ ନିମନ୍ତେ ଅନ୍ୟରୁଟ ଗାଡ଼ିଗୁଡ଼ିକୁ ପୁରୀ ନିମନ୍ତେ ସ୍ବତନ୍ତ୍ର ପରମିଟ ପ୍ରଦାନ କରାଯିବ । ଆଗ୍ରହୀ ବସ ମାଲିକମାନେ ଏଥିନିମନ୍ତେ ଆବେଦନ କରିବେ । ଏସଟିଏ ମୁଖ୍ୟାଳୟରେ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ଏହାକୁ ଅନୁମୋଦନ ମିଳିବ । କଟକ-ଭୁବନେଶ୍ବରରୁ ଅଧିକ ସଂଖ୍ୟକ ବସ ପୁରୀ ଚଳାଚଳ କରିବା ଉପରେ ଗୁରୁତ୍ବ ଦିଆଯିବ । ସେହିଭଳି ନିର୍ଦ୍ଧାରିତ ବସ ଭଡ଼ାଠାରୁ କୌଣସି ବସ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ଦାବି କରିବାର ଅଭିଯୋଗ ନ ଆସେ ସେ ଦିଗରେ ବସ ମାଲିକ ସଂଘ ଧ୍ୟାନ ହେବେ ।
ଅଧିକ ଭଡ଼ା ଆଦାୟ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କେବଳ ବସ ନୁହେଁ, ମାଳତୀପାଟପୁର କିମ୍ବା ତାଳବଣିଆରୁ ବଡ଼ଦାଣ୍ଡକୁ ଯାଉଥିବା ଅଟୋ କିମ୍ବା ଅନ୍ୟାନ୍ୟ ଗାଡ଼ି ଯେପରି ମନଇଚ୍ଛା ଭଡ଼ା ଦାବି ନକରିବେ ସେ ଦିଗରେ ପୁରୀ ପୋଲିସ ଓ ପୁରୀ ଆରଟିଓ ବିଶେଷ ଧ୍ୟାନ ଦେବାକୁ ନିଷ୍ପତ୍ତି ହୋଇଛି । ବସ ରହଣି ସ୍ଥାନରେ ଅସ୍ଥାୟୀ ବିଶ୍ରାମାଗାର ସହ ପ୍ରଶାସନ ତରଫରୁ ଖାଦ୍ୟ, ପାନୀୟ ବଣ୍ଟନର ବ୍ୟବସ୍ଥା କରାଯିବ ।
ଏହା ମଧ୍ୟ ପଢନ୍ତୁ...ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ; ସାର୍ବଜନୀନ ହେବ ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର - Ratnabhandar Key Missing Case