କଟକ:ଚଳିତମାସ 15ରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ନୌବାଣିଜ୍ୟ ଐତିହ୍ୟର ଗାରିମାମୟ ପର୍ବ ଐତିହାସିକ କଟକ ବାଲିଯାତ୍ରା । ସେଥିପାଇଁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି କଟକ କଟକ ଜିଲ୍ଲାପାଳ, ଡ଼ିସିପି ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ । ବିଶେଷ କରି ବାଲିଯାତ୍ରା ଉଦଘାଟନ ଉତ୍ସବରେ ଯୋଗଦେବା ପାଇଁ 15ଟି ଦେଶର ପ୍ରତିନିଧି ଆସିପାରନ୍ତି । ବିଶିଷ୍ଟ ଅତିଥିଙ୍କୁ ଭାବ୍ୟ ଢଙ୍ଗରେ ମହାନଦୀ ଜଳ ପଥରେ ବାଲିଯାତ୍ରା ପଡ଼ିଆକୁ ଆଣାଯିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ କେଉଁମାନେ ନିମନ୍ତ୍ରିତ ବିଦେଶୀ ଅତିଥି ଆସୁଛନ୍ତି, ସେନେଇ ପ୍ରଶାସନ କିଛି ସ୍ପଷ୍ଟ କରିନି । ରାଜ୍ୟ ସରକାରଙ୍କ ପକ୍ଷରୁ ତଥ୍ୟ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
- କୋର୍ଟଙ୍କ ନିର୍ଦ୍ଦେଶ ଅନୂପାଳନ ସହ କରାଯାଉଛି ସମସ୍ତ ପ୍ରସ୍ତୁତି
ସେପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅନୂପାଳନ କରି ରାସ୍ତାକଡ଼ରେ ଅବରୋଧ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛି ପ୍ରଶାସନ । ଏଥର ରାସ୍ତାକଡ଼ରେ କୌଣସି ଉଠା ଦୋକାନୀ ବସିବେ ନାହିଁ । ତଳ ପଡ଼ିଆରେ ୮୦ ହଜାର ବର୍ଗଫୁଟ ଓ ଉପର ପଡ଼ିଆରେ ୧୫ ହଜାର ବର୍ଗଫୁଟ ଅଞ୍ଚଳ ଫୁଟପାଥ ବ୍ୟବସାୟୀଙ୍କ ପାଇଁ ଛଡ଼ା ଯିବ । ଫଳରେ ଟ୍ରାଫିକ୍ ସମସ୍ୟା ଆଉ ରହିବ ନାହିଁ । ବାଲିଯାତ୍ରା ପାଇଁ ୭୦ ପ୍ରତିଶତ କାମ ସରିଗଲାଣି, ବାକି କାମ ମଧ୍ୟ ୧୩ ତାରିଖ ସୁଦ୍ଧା ଶେଷ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ।
- ସୁରକ୍ଷା ବନ୍ଦୋବସ୍ତ କରୁଛି କମିଶନରେଟ୍ ପୋଲିସ
ସେପଟେ ବାଲିଯାତ୍ରାରେ ସୁରକ୍ଷାକୁ ନେଇ କଡା ବନ୍ଦୋବସ୍ତ କରୁଛି କମିଶନରେଟ୍ ପୋଲିସ । ବାଲିଯାତ୍ରା ପାଇଁ ନିୟୋଜିତ ହେବେ ମୋଟ ୭୦ ପ୍ଲାଟୁନ ପୋଲିସ ଫୋର୍ସ । ମୋଟ ୨୦ଟି ପୋଲିସ ସହାୟତା ପୋଷ୍ଟ ପାଇଁ ବ୍ୟବସ୍ଥା କରାଯାଉଛି । ସହରର ୧୫ଟି ସ୍ଥାନରେ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଉଛି । ତଳ ପଡିଆ ପଛପଟ ନଦୀକୂଳ ରାସ୍ତାଟିକୁ ଗ୍ରୀନ କରିଡ଼ର ଭାବରେ ବ୍ୟବହାର କରିବାକୁ ଯୋଜନା କରାଯାଉଛି । ଜରୁରୀକାଳୀନ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯିବ । ତଳ ଓ ଉପର ପଡିଆ ମଝିରାସ୍ତାକୁ ମଧ୍ୟ ବ୍ୟବହାର କରାଯିବ । ରାସ୍ତାକଡ ଅବରୋଧ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା କଟକ ଡିସିପି ସୂଚନା ଦେଇଛନ୍ତି ।
- ଏଥର ଉଭୟ ପଡିଆରେ ଯାତ୍ରା
ଉଭୟ ପଡ଼ିଆରେ ବାଲିଯାତ୍ରା ଆୟୋଜନ ପାଇଁ ଅନୁମତି ମିଳିଛି । ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନକୁ ନେଇ ଯେଉଁ ଦ୍ୱନ୍ଦ ଉପୁଜିଥିଲା ଗତକାଲି ଶେଷରେ ପୂର୍ଣ୍ଣଛେଦ ପଡିଛି । ଫଳରେ ଅନେକ ଵ୍ୟଵସାୟୀଙ୍କୁ ଆଶ୍ବସ୍ତି ମିଳିଛି । ତେବେ ବାଲିଯାତ୍ରା ସମୟରେ ଯେପରି ଭିଡ଼ ନଉପୁଜେ, ସେଥିପାଇଁ ସମସ୍ତ ଵ୍ୟଵସ୍ଥା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବାଲିଯାତ୍ରା ସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଜଷ୍ଟିସ ସଙ୍ଗମ ସାହୁ ଓ ଜଷ୍ଟିସ ଭି.ନରସିଂହ ଏହି ନିର୍ଦ୍ଦେଶ ଦେଇଛନ୍ତି ।
- ଏଥର ଉପର ପଡ଼ିଆରେ ୬୦୧ ଷ୍ଟଲ
ଉପର ପଡ଼ିଆରେ ୬୦୧ ଜଣ ଵ୍ୟଵସାୟୀଙ୍କୁ ଵ୍ୟଵସାୟ କରିବାକୁ ଅନୁମତି ଦିଆଯାଇଥାଏ । ଏହି କ୍ରମରେ ଚଳିତବର୍ଷ ମଧ୍ୟ ୬୦୧ ଜଣ ଵ୍ୟଵସାୟୀ ବ୍ୟବସାୟ କରିବା ପାଇଁ ପଞ୍ଜିକରଣ କରି ସାରିଲେଣି । ପରମ୍ପରା ଅନୁଯାୟୀ ବାଲିଯାତ୍ରା ପ୍ରଥମେ ଉପର ବାଲିଯାତ୍ରା ପଡିଆରେ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ତଳ ପଡିଆକୁ ସମ୍ପ୍ରସାରଣ କରାଯାଇଛି । ସମୟାନୁ କ୍ରମେ ଵ୍ୟଵସାୟୀ ମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଫଳରେ ଅଧିକରୁ ଅଧିକ ଜମିର ଆବଶ୍ୟକ ରହିଛି । ତେବେ ଗତ ୨୦୨୨ ମସିହାରେ ତଳ ବାଲିଯାତ୍ରା ପଡିଆରେ ବାଲିଯାତ୍ରା ଆୟୋଜନ ନେଇ NGT ଙ୍କ ନିର୍ଦେଶନମା ଆସିବା ପରେ ସମସ୍ୟା ବଢିଛି । ତଳ ପଡ଼ିଆରେ କେବଳ ୩୪ ଏକର ଜମିରେ ବାଲିଯାତ୍ରା ଆୟୋଜନ କରିବାକୁ NGT ନିର୍ଦ୍ଦେଶ ଦେଇଥିଲେ ।