ବ୍ରହ୍ମପୁର:ସହର ଉପଖଣ୍ଡରେ ମହାବଳ ବାଘ । ଭାଲିଆଗଡ଼ ନିକଟରେ ରାତି ସମୟରେ ବାଘ ଜାତୀୟ ରାଜପଥ ପାର ହୋଇଯାଉଥିବାର ଦୃଶ୍ୟ କଏଦ ହୋଇଛି । ଜଣେ ପର୍ଯ୍ୟଟକଙ୍କ କାରରେ ରହିଥିବା କ୍ୟାମେରାରେ ଏହି ଭିଡିଓ କଏଦ ହେବା ପରେ ଏହାକୁ ନେଇ ଭୟଭୀତ ଅଞ୍ଚଳବାସୀ । ସେପଟେ ବାଘ ଆସିଥିବା ଆଶଙ୍କା କରି ବ୍ରହ୍ମପୁର ବନ୍ୟାଞ୍ଚଳ ଅଧୀନ ଦିଗପହଣ୍ଡି ରେଞ୍ଜର ଆଖପାଖ ଅଞ୍ଚଳରେ ଜନସାଧାରଣଙ୍କୁ ସତର୍କ କରୁଛି ବନବିଭାଗ ।
Tiger Roaming In Berhampur (ETV Bharat Odisha)
ବାଘ ବୁଲୁଥିବାର ଦୃଶ୍ୟ କଏଦ:
ଗତ ୩ ତାରିଖ ରାତି ସମୟରେ ମହାବଳ ବାଘ ବ୍ରହ୍ମପୁର ନିକଟସ୍ଥ ଜାତୀୟ ରାଜପଥରେ ରାସ୍ତା ପାର ହେଉଥିବା ଭିଡିଓ କଏଦ ହୋଇଥିଲା । ଏହି ଘଟଣା ଜଣାପଡିବା ପରେ ବନବିଭାଗ ପକ୍ଷରୁ ଗୋଟିଏ ପରେ ଗୋଟିଏ ଗ୍ରାମରେ ସଚେତନତା କରାଯାଉଛି । ବ୍ରହ୍ମପୁର ଉପକଣ୍ଠ ଘାଟି କାଳୁଆଠାରୁ ଆରମ୍ଭ କରି ପନାଡ, ପଲ୍ଲୀ, ଢିଙ୍କିପଦର, ଝରପଦର ଭଳି ଅନେକ ଅଞ୍ଚଳରେ ପ୍ରତ୍ୟେକ ଦିନ ବନବିଭାଗ ମାଇକ ଯୋଗେ ସତର୍କ କରାଉଛି । ଗ୍ରାମବାସୀଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଥିବାବେଳେ ଗୃହପାଳିତ ପଶୁମାନଙ୍କୁ ସୁରକ୍ଷିତ ଭାବରେ ରଖିବାକୁ ଆହ୍ୱାନ କରାଯାଉଛି । ହେଲେ ଏହାରି ମଧ୍ୟରେ ବାଘ କୁଆଡେ ପନାଡ ଗ୍ରାମର ନିକଟବର୍ତ୍ତୀ ଜଙ୍ଗଲକୁ ଯାଇଥିବା ଛେଳିକୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏପରିକି ଭାଲିଆଗଡ଼ ଗ୍ରାମ ନିକଟସ୍ଥ ଚାଷ ଜମିରେ ମହାବଳର ପାଦ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି । ତେବେ ରାଜପଥକୁ ଯାଇ ସେଠାରୁ ପୁଣି ଫେରିଥିବା ପାଦ ଚିହ୍ନ ମଧ୍ୟ ମିଳିଛି ।
Tiger Roaming In Berhampur (ETV Bharat Odisha) ସନ୍ଧ୍ୟା ହେଲେ ଘାରୁଛି ବାଘ ଭୟ:
ଗୋଟିଏ ପଟେ ସନ୍ଧ୍ୟା ହେଲେ ବାଘକୁ ନେଇ ବ୍ରହ୍ମପୁର ଉପକଣ୍ଠ ଅଞ୍ଚଳର ବହୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ ବଢୁଛି । ଏଭଳି ସମୟରେ ପୋଖରୀକୁ ସ୍ନାନ କରିବାକୁ ଯିବାଠାରୁ ଆରମ୍ଭ କରି ଘରୁ ବାହାରକୁ ଯିବାକୁ ଭୟ ଲାଗୁଥିବା କହିଛନ୍ତି ଲୋକେ । ବହୁ ଗ୍ରାମାଞ୍ଚଳରେ ଷ୍ଟିଟ ଲାଇଟ୍ ନଥିବା ଯୋଗୁଁ ଚିନ୍ତା ବଢିଛି । ସେପଟେ "ବନବିଭାଗ ପକ୍ଷରୁ ସମସ୍ତେ ସଜାଗ ରହିଛନ୍ତି ଓ ଅଞ୍ଚଳବାସୀଙ୍କୁ ସତର୍କ କରାଯାଉଛି" ବୋଲି କହିଛନ୍ତି ବ୍ରହ୍ମପୁର ଡିଏଫଓ ସନି ଖୋଖର ।
Tiger Roaming In Berhampur (ETV Bharat Odisha) ଏହା ବି ପଢନ୍ତୁ...ବଂଶ ବୃଦ୍ଧି ପାଇଁ ଆସିବେ ଆଉ ୫ ବାଘ, ପୂର୍ବରୁ କାହିଁକି ଫେଲ୍ ମାରିଥିଲା ପ୍ରକଳ୍ପ? ଜାଣନ୍ତୁ
ଏହା ବି ପଢନ୍ତୁ...ହୁସିଆର...ମାତିଛି ବିଲୁଆ ! ଯାହାକୁ ଦେଖୁଛି କାମୁଡୁଛି, ୨୦ ଆହତ - Jackal Attack
ଏହା ବି ପଢନ୍ତୁ...ଗାଁ ଦାଣ୍ଡରେ ବୁଲୁଛି ବାଘ; CCTVରେ କଏଦ, ଆତଙ୍କିତ ଅଞ୍ଚଳବାସୀ - Tiger Spotted In Dhenkanal
ପୂର୍ବରୁ ଗଞ୍ଜାମ ଓ ଗଜପତିରେ ମହାବଳ ବାଘ ବୁଲୁଥିଲା!
ମହାରାଷ୍ଟ୍ର ମହାବଳ ବାଘ ଗଞ୍ଜାମ ଓ ଗଜପତି ଅଞ୍ଚଳରେ ବୁଲୁଥିବା ଚର୍ଚ୍ଚା ଥମିନାହିଁ । ନିୟମିତ ଭାବେ ସ୍ଥାନ ବଦଳାଉଛି ମହାବଳ। ବ୍ରହ୍ମପୁର ଉପକଣ୍ଠରେ ମହାବଳ ପହଞ୍ଚିଥିବା ଖବର ମିଳିବା ପରେ ବନ ବିଭାଗ ମଧ୍ୟରେ ତତ୍ପରତା ଦେଖାଯାଇଛି । ବନ ବିଭାଗ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ରାତିରେ ଏକୁଟିଆ ନବାହାରିବାକୁ ସଚେତନ କରାଯାଇଛି । ସୂଚନାନୁସାରେ, ଗତ ରବିବାର ରାତ୍ରରେ ପଶ୍ଚିମବଙ୍ଗର କିଛି ପର୍ଯ୍ୟଟକ ଜାତୀୟ ରାଜପଥରେ ଆସୁଥିଲେ । ଭାଲିଆଗଡ଼ ଗ୍ରାମ ଅତିକ୍ରମ କରୁଥିବାବେଳେ ଜାତୀୟ ରାଜପଥରେ ମହାବଳ ବାଘ ରାସ୍ତା ପାର ହେଉଥିବା ଦେଖୁଥିଲେ । ପର୍ଯ୍ୟଟକଙ୍କ କାରରେ ଲାଗିଥିବା କ୍ୟାମେରାରେ ଏହାର ଭିଡିଓ କଏଦ ହୋଇଛି । ଏନେଇ ବନବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ ।
ଇଟିଭି ଭାରତ, ବ୍ରହ୍ମପୁର