ଢେଙ୍କାନାଳ:ରାଜ୍ୟରେ ପିଛା ଛାଡ଼ୁନି ସଡ଼କ ଦୁର୍ଘଟଣା । ପ୍ରତିଦିନ ବଡ଼ ବଡ଼ ଦୁର୍ଘଟଣା ଘଟଣା ସାମ୍ନାକୁ ଆସୁଛି । ଏବେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା କଙ୍କଡାହାଡ଼-ଗଡ଼ପଳାଶୁଣି ପୂର୍ତ୍ତ ବିଭାଗ ରାସ୍ତାର ଜରଡ଼ା ଗାଁ ଘାଟି ନିକଟରେ । ଦୁର୍ଘଟଣାରେ ୩ଜଣ ସ୍କୁଲ ଛାତ୍ର ଗୁରୁତର ଭାବରେ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ସ୍କୁଲ ଚାଲିଥିବା ସମୟରେ ଛାତ୍ରମାନେ କିପରି ବାହାରକୁ ଆସିଲେ ଓ କିପରି ଦୁର୍ଘଟଣା ଘଟିଲା ବୋଲି ପ୍ରଶ୍ନ ଉଠିଥିବା ବେଳେ ଛାତ୍ରମାନେ ସ୍କୁଲରୁ ଲୁଚି ପଳାଇଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା କହିଛନ୍ତି ବିଦ୍ୟାଳୟର ପ୍ରଧାନଶିକ୍ଷକ ।
ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଅଧିନସ୍ଥ ବାମ ଗ୍ରାମ ସ୍ଥିତ ବନଦୁର୍ଗା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ତିନି ଜଣ ଛାତ୍ର ହିମାଂଶୁ ମାହାନ୍ତ, ଲକ୍ଷ୍ମଣ ମାହାନ୍ତ ଏବଂ ଓମ ପ୍ରକାଶ ଦଳେଇ ଏକ ବାଇକରେ ଯାଉଥିଲେ । ଏହି ସମୟରେ ମହାବିରୋଡ଼ ଥାନା କଙ୍କଡାହାଡ଼-ଗଡ଼ପଳାଶୁଣି ପୂର୍ତ୍ତ ବିଭାଗ ରାସ୍ତାର ଜରଡ଼ା ଗାଁ ଘାଟି ନିକଟରେ ଭାରସମ୍ୟ ହରାଇ ବାଇକ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ୩ଜଣ ସ୍କୁଲ ଛାତ୍ର ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ରହିଛି ।
ସେପଟେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଛାତ୍ରମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେମାନଙ୍କ ଅବସ୍ଥା ସଙ୍କଟ ପନ୍ନ ଥିବାରୁ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ସ୍କୁଲ ଅବଧୀ ସମୟରେ ଛାତ୍ରମାନେ କାହିଁକି ଏବଂ କିପରି ଭାବେ ବାଇକ ଚଳାଇ ଗଡ଼ପଳାଶୁଣି ଗାଁକୁ ଯାଉଥିଲେ ତାହା ସ୍ପଷ୍ଟ ହୋଇନାହିଁ ।