ବଲାଙ୍ଗୀର: ଦୁଲୁକିଲା ବଲାଙ୍ଗୀର, ଆରମ୍ଭ ହେଲା ୨୨ତମ ଜିଲ୍ଲାସ୍ତରୀୟ ଲୋକ ଉତ୍ସବ । ଏହି ଉତ୍ସବକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦଘାଟନ କରିଥିବା ବେଳେ ଆଗକୁ ସମସ୍ତ ଜିଲ୍ଲାର ସ୍ଥାନୀୟ ଲୋକ କଳାର ଉନ୍ନତି ପାଇଁ ସରକାର ନେବେ ପଦକ୍ଷେପ ବୋଲି ଘୋଷଣା କରିଛନ୍ତି । ଗତକାଲି (ସୋମବାର) ସ୍ଥାନୀୟ କୋଷଳ କଳା ମଣ୍ଡଳରେ ଏହି ଉତ୍ସବ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ।
- ବଲାଙ୍ଗୀର ଲୋକ ଉତ୍ସବ ୨୦୨୫ , ଝୁମିଲେ ଦର୍ଶକ:
ଲୋକନୃତ୍ୟ, ସଙ୍ଗୀତର ମହାସଙ୍ଗମ ହେଉଛି ଏହି ଲୋକ ଉତ୍ସବ । ଯେଉଁଥିରେ ସ୍ଥାନୀୟ ଲୋକ କଳା ସହ ବିଭିନ୍ନ ରାଜ୍ୟର ଲୋକ କଳା ମଧ୍ୟ ପ୍ରଦର୍ଶିତ ହେବ । ଉଦଘାଟନୀ ସଭାରେ ଉପମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ସଙ୍ଗୀତା କୁମାରୀ ସିଂହ ଦେଓ, ଜିଲ୍ଲାପାଳ ଗୌରବ ଶିବାଜୀ ଇସଲ୍ୱାର, ଆରଖି ଅଧିକ୍ଷକ ଋଷିକେଶ କିଲାରୀ ପ୍ରମୁଖ ଉପସ୍ଥିତ ଥିଲେ । କିଛି କଳାକାରଙ୍କୁ ସମ୍ମାନିତ କରିବା ସହ ଲୋକ ଉତ୍ସବ ସ୍ମରଣୀକା ଉନ୍ମୋଚନ କରିଥିଲେ । ଏହି ଉତ୍ସବର ପ୍ରଥମ ରଜନୀରେ ସ୍ଥାନୀୟ ଢ଼ାପ ନୃତ୍ୟ, ଡାଳ ଖାଇ ସହିତ ହରିୟାଣାର ଫାଗ ନୃତ୍ୟ, କଳାହାଣ୍ଡିର ସନ୍ତାଳୀ ନୃତ୍ୟ, ମହାରାଷ୍ଟ୍ରର ଲାବଣି ନୃତ୍ୟ, ସୁନ୍ଦରଗଡର ଝୁମର, ଗଞ୍ଜାମର ଯୋଡି ଶଙ୍ଖ, ମେଘାଳୟର ଲାହୋ, ଭଦ୍ରକର ମୋଗଲ ତାମସା ଭଳି ପାରମ୍ପରିକ ନୃତ୍ୟ ଓ ସଙ୍ଗୀତରେ ଝୁମିଥିଲେ ଦର୍ଶକ ।
- ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ :
ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି, "ଲୋକ ଉତ୍ସବ ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନ, ବଲାଙ୍ଗୀରବାସୀ ଓ କଳାକାରମାନଙ୍କୁ ଶୁଭେଚ୍ଛା । କଳାକାରମାନେ ନିଜ କଳା ପ୍ରଦର୍ଶନ କରିବା ତଥା ପ୍ରଚାର ପ୍ରସାର କରିବା ପାଇଁ ଏହି ମଞ୍ଚ ବଡ଼ ସୁଯୋଗ ଦେଇଛି । କେବଳ ଜିଲ୍ଲାର ନୁହେଁ, ଅନ୍ୟ ରାଜ୍ୟର ମଧ୍ୟ କଳା ସଂସ୍କୃତିକୁ ଏଠାରେ ସୁଯୋଗ ଦିଆଯାଉଛି । ଏମାନେ ଲୋକଙ୍କ ବେଶ ମନୋରଞ୍ଜନ କରୁଛନ୍ତି । ତେଣୁ ସମସ୍ତଙ୍କୁ ମୋର କୃତଜ୍ଞତା ଜଣାଉଛି । ତେବେ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି ଯେ ସେ ଏଥର ଉପସ୍ଥିତ ହୋଇ ପାରିଲେ ନାହିଁ । କିନ୍ତୁ ଆସନ୍ତାବର୍ଷ ପାଇଁ ସେ ଏବେଠୁ ଏଠାକୁ ଆସିବା ପାଇଁ ସ୍ୱୀକୃତି ଦେଇଛନ୍ତି । ଆଗକୁ କେବଳ ବଲାଙ୍ଗୀର ନୁହେଁ ସବୁ ଜିଲ୍ଲାର ଲୋକ କଳା ଓ କଳାକାରଙ୍କୁ ସହଯୋଗ ସାହାଯ୍ୟ ପାଇଁ ସରକାର ପଦକ୍ଷେପ ନେବେ । ସମାନ ଭାବରେ ଏଥର ପ୍ରଥମ କରି କେନ୍ଦ୍ର ସରକାରଙ୍କ ସାହାଯ୍ୟରେ ଏଠି ରାଣୀପୁର ଝରିଆଲ ମୋହତ୍ସବ ମଧ୍ୟ ବଡ ଆକାରରେ ହେବ ।"
- 'ଆମ ଲୋକକଳା, ଆମକୁ ହିଁ ବଞ୍ଚାଇ ରଖିବାକୁ ପଡିବ':
ସେହିପରି ସାଂସଦ ସଙ୍ଗୀତା କୁମାରୀ ସିଂଦେଓ କହିଛନ୍ତି "ଲୋକ ଉତ୍ସବ ଏଠି ଭାରି ସୁନ୍ଦର ଭାବରେ ଆୟୋଜନ ହୋଇଛି । 300ଟି ଦୋକାନ ଏଠି ଲାଗିଛି ଯାହା ଦ୍ୱାରା ଲୋକକଳା ହସ୍ତ ଶିଳ୍ପର ବେଶ ବିକାଶ ହେବ । ପଶ୍ଚିମ ଓଡ଼ିଶାର ଲୋକ ନୃତ୍ୟ ଏବଂ ଗୀତର ମାଧୁର୍ଯ୍ୟ ରହିଛି । ଯାହାକୁ ଆମକୁ ବଞ୍ଚାଇ ରଖିବାକୁ ପଡିବ । "