ସମ୍ବଲପୁର: ଶୀତଳଷଷ୍ଠୀ ଯାତ୍ରା ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର । ରାଜ୍ୟରେ ଶୀତଳଷଷ୍ଠୀ ପାଇଁ ପ୍ରସିଦ୍ଧ ସମ୍ବଲପୁର । ସହରରେ ଆଜି ରାତିରେ ବାହାରିବ ଦେବ ଦେବ ମହାଦେବଙ୍କ ବରଯାତ୍ରୀ ଶୋଭାଯାତ୍ରା । ରାତି ୩ଟାରୁ ଆସନ୍ତାକାଲି ୭ଟା ମଧ୍ୟରେ ମହାଦେବ ଓ ମାତା ପାର୍ବତୀଙ୍କର ବିବାହ ସମ୍ପନ୍ନ ହେବ । ଏଥିପାଇଁ ଆଜି ସମ୍ବଲପୁରର ଅନ୍ୟତମ ପ୍ରମୁଖ ଯାତ୍ରା କମିଟି ଜାଗେଶ୍ବର ମହାଦେବଙ୍କ ମନ୍ଦିରରେ ବାବାଙ୍କ ହରିଦ୍ରା ଲେପନ ବା ହଳଦୀ ନୀତି ସମ୍ପନ୍ନ ହୋଇଛି ।
ଆଜି ରାତି ସାଢେ ୧୦ଟା ପରେ ବାହାରିବ ଭୋଳାନାଥଙ୍କ ବରଯାତ୍ରୀ ଶୋଭାଯାତ୍ରା । ରାତି ସାଢେ ୧୦ଟାରେ ପ୍ରଥମେ ମହାଦେବଙ୍କ ମଙ୍ଗଳ ଆଳତୀ ହେବ । ଏହାପରେ ବାହାରିବ ଭୋଳାବାବାଙ୍କ ବରଯାତ୍ରୀ ଶୋଭଯାତ୍ରା । ଏହା ପୂର୍ବରୁ ରବିବାର ରାତିରେ ଝାଡୁଆପଡା ଅରଣ୍ୟକ ଶୀତଳଷଷ୍ଠୀ ଯାତ୍ରା କମିଟି, ମୁଦିପଡା ଜାଗେଶ୍ବର ବାବା ଶୀତଳ ଷଷ୍ଠୀ, ବଡ଼ବାଜାର, ବୁଢାରଜା, ଠାକୁର ପଡା, ଭତରା ଶଙ୍କର ମଠ ଆଦି ଯାତ୍ରା କମିଟିର ହନୁମାନ ନିଉତା ନୀତି ସମ୍ପନ୍ନ ହୋଇଯାଇଛି । ଆଜି ରାତିରେ ନନ୍ଦପଡା ବମ ବରାଡ଼ ବାଲୁଙ୍କେଶ୍ବର ବାବା, ଝାଡୁଆପଡା ଲୋକନାଥ ବାବା, ମୁଦିପଡା ଜାଗେଶ୍ବର ବାବା, ବାଲିବନ୍ଧା ସାମିଆଁ ବାବା ବା ସୋମନାଥ ବାବାଙ୍କ ସହ ସମସ୍ତ ଶୀତଳଷଷ୍ଠୀ ଯାତ୍ରା କମିଟିର ମହାଦେବଙ୍କ ବରଯାତ୍ରୀ ଶୋଭଯାତ୍ରା ବାହାରିବ । ଏହି ବିବାହ ବରଯାତ୍ରୀ ଶୋଭାଯାତ୍ରାରେ ସାମିଲ ହେବେ ଦେବା, ଦେବୀ, ସୁର, ଅସୁର, ଭୂତ, ପ୍ରେତ, ନର, ବାନର, କିନ୍ନର, ଯକ୍ଷ, କନ୍ଧର୍ବ । ଏ ହେଉଛି ଆଧ୍ୟାତ୍ମିକ ବିଶ୍ବାସ ।