ଭଦ୍ରକ: ସନ୍ଦେହ ଘେରରେ ଦ୍ବାଦଶ ଶ୍ରେଣୀର ଛାତ୍ରୀଙ୍କ ମୃତ୍ୟୁ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଚାନ୍ଦିମାଳ ଜବାହାର ନବୋଦୟ ବିଦ୍ୟାଳୟର ଛାତ୍ରୀ ନିବାସରେ ଜୀବନ ହାରିଲେ ଛାତ୍ରୀ । ମୃତ୍ୟୁର ପଛର କାରଣ ଅସ୍ପଷ୍ଟ । ଯାହାକୁ ନେଇ ବିଦ୍ୟାଳୟ ଆଗରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନା ଅନୁଯାୟୀ, ଚାନ୍ଦିମାଳ ଜବାହାର ନବୋଦୟ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀର ଅର୍ପିତା ବେହେରା ନାମକ ଜଣେ ଛାତ୍ରୀ ସକାଳ କ୍ଲାସ ସାରି ରହୁଥିବା ଛାତ୍ରୀ ନିବାସକୁ ଯାଇଥିଲେ । ହେଲେ ପରବର୍ତ୍ତୀ ଆସେମ୍ଲିରେ ଅର୍ପିତା ଅନୁପସ୍ଥିତ ରହିଥିଲେ । ତେବେ ଅର୍ପିତା କାହିଁକି ଅନୁପସ୍ଥିତ ରହିଲେ ସେନେଇ ଛାତ୍ରୀ ନିବାସରେ ମେଟ୍ରନ ଯାଇ ଦେଖିବା ବେଳକୁ ଅର୍ପିତା ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିଲେ ବୋଲି ସୂଚନା ମିଳିଛି । ଏହା ଜଣାପଡିବା ପରେ ଅର୍ପିତାଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପ୍ରାଥମିକ ପରୀକ୍ଷା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ମୃତ ଅର୍ପିତାଙ୍କ ଘର ଧାମନଗର ବ୍ଳକ ଅନ୍ତର୍ଗତ କୁଟୁରିଆ ଗ୍ରାମରେ ସୁରେନ୍ଦ୍ର ବେହେରାଙ୍କ ଝିଅ ବୋଲି ଜଣାପଡିଛି । ଏନେଇ ଖବର ପାଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଅବିଭାବକମାନେ ଜବାହାର ନବୋଦୟ ବିଦ୍ୟାଳୟ ଫାଟକ ଆଗରେ ଭିଡ ଜମାଇ ଥିଲେ । ଯାହାକି ନିଜ ପିଲାମାନଙ୍କୁ ଦେଖିବାକୁ ଅଭିଭାବକମାନେ ଭିଡ ଜମାଇଥିଲେ ବୋଲି ଜଣାପଡିଛି । ଏଥିସହ ଅଭିଭାବକମାନଙ୍କ ମଧ୍ୟରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ଅର୍ପିତାଙ୍କ ମୃତ୍ୟୁର ପ୍ରକୃତ କାରଣ ସନ୍ଦେହ ଜନକ ଥିବାରୁ ଘଟଣାସ୍ଥଳରେ ସାର୍ଣ୍ଟିଫିକ ଟିମ ପହଞ୍ଚି ନବୋଦୟ ବିଦ୍ୟାଳୟ ପରିସରରେ ବିଭିନ୍ନ ଦିଗ ଉପରେ ତଦନ୍ତ ଆରମ୍ଭ କରିଛି । ଏଥିସହ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ବିଦ୍ୟାଳୟରେ ପୋଲିସ ମୁତୟନ କରାଯାଇଛି ।