ବୌଦ୍ଧ:ରାଜ୍ୟରେ ଅନୁଭୂତ ହେଉଛି ପ୍ରବଳ ଗ୍ରୀଷ୍ମପ୍ରବାହ । ଏହି କ୍ରମରେ ପ୍ରବଳ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ବୌଦ୍ଧ ଜିଲ୍ଲାବାସୀ । ଆକାଶରୁ ଅଗ୍ନିବର୍ଷା ହେଉଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଂଶୁଘାତରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏଭଳି ସମୟରେ ବିଦ୍ୟୁତ କାଟ ଯୋଗୁଁ ଡାକ୍ତରଖାନାରେ ଅଂଶୁଘାତ ରୋଗୀଙ୍କୁ ଉପଯୁକ୍ତ ସେବା ମିଳୁନଥିବା ଅଭିଯୋଗ ହୋଇଛି । ଅନେକ ସମୟରେ ଅଂଶୁଘାତ ରୋଗୀଙ୍କୁ ଅନ୍ଧାରରେ ବିଞ୍ଚି ବିଞ୍ଚି ରଖିବାକୁ ପଡୁଥିବା ଅଭିଯୋଗ ହୋଇଛି । ପ୍ରବଳ ଗରମ ଗୁଳୁଗୁଳି ଯୋଗୁଁ ଅଂଶୁଘାତ ମାମଲା ସହିତ ଡାଇରିଆ ବ୍ୟାପିବାରେ ଲାଗିଥିବା ସୂଚନା ମିଳିଛି ।
ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଡାଇରିଆ ଓ୍ବାର୍ଡରେ ପ୍ରତ୍ୟେକ ଦିନ ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି । ତେବେ ବିଦ୍ୟୁତ ସେବାକୁ ନେଇ ରୋଗୀଙ୍କ ସଂପର୍କୀୟ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଡାକ୍ତରଖାନାକୁ ରୋଗୀ ଧରି ଆସିଥିବା ପରିବାରବର୍ଗ ମାନେ କହିଛନ୍ତି ଯେ ବିଦ୍ୟୁତ କାଟ ଫଳରେ ରୋଗୀ ମାନେ କଷ୍ଟରେ ଆଉଟୁ ପାଉଟୁ ହେଉଛନ୍ତି । ଏସି ଚାମ୍ବରରେ ରହି ମଧ୍ୟ ଲାଇନ ଅଭାବରୁ ବିଞ୍ଚଣା ବିଞ୍ଚି ବିଞ୍ଚି ରହିବାକୁ ପଡୁଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେବାକୁ ଗୁହାରି କରିଛନ୍ତି । ଏହା ସହ ସରକାରଙ୍କ ପକ୍ଷରୁ ମହାନଦୀ କୂଳବର୍ତ୍ତୀ ଅଞ୍ଚଳରେ ବୃକ୍ଷରୋପଣ କରାଯିବାର ଯୋଜନା ଅଧାରେ ରହିଛି ।