ବଲାଙ୍ଗୀର:ମହାଡମ୍ବରରେ ପାଳିତ ହେଉଛି ବଲାଙ୍ଗୀର ଆଦିବାସୀଙ୍କ ପ୍ରସିଦ୍ଧ ‘ସୁଲିଆ ଯାତ୍ରା’ । ଆଦିବାସୀମାନେ ସେମାନଙ୍କ ପରମ୍ପରା ଅନୁଯାୟୀ ଏହି ପର୍ବକୁ ପାଳନ କରୁଛନ୍ତି । ଆଦିବାସୀ ନୃତ୍ୟ ବାଦ୍ୟରେ ଅଞ୍ଚଳ ପ୍ରକମ୍ପିତ ହେଉଥିବା ବେଳେ ପରମ୍ପରା ଅନୁଯାୟୀ ତାଙ୍କ ପୂର୍ବପୁରୁଷ ସୁଲିଆ ବୁଢାକୁ ଧୂପ ନଡ଼ିଆ ଓ ପଶୁ-ପକ୍ଷୀଙ୍କ ବଳି ଚଢ଼ାଉଛନ୍ତି । ଫଳରେ ସୁଲିଆ ପୀଠ ରକ୍ତ ରଞ୍ଜିତ ହୋଇଛି । ଏହି ଯାତ୍ରାରେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଶ୍ରଦ୍ଧାଳୁ ଏକତ୍ରୀତ ହୋଇଛନ୍ତି । ସେପଟେ ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
- କେମିତି ପାଳନ ହୁଏ ‘ସୁଲିଆ ଯାତ୍ରା’:
ବଲାଙ୍ଗୀର ଜିଲ୍ଲାରେ ଅବାହମାନ କାଳରୁ ଆଦିବାସୀମାନେ ବର୍ଷର ପୌଷ ମାସ ପ୍ରଥମ ମଙ୍ଗଳବାର ଦିନ ଏହି ସୁଲିଆ ଯାତ୍ରା ପାଳନ କରିଥାନ୍ତି । ଯେଉଁଥିରେ ସେମାନେ ତାଙ୍କ ପୂର୍ବପୁରୁଷ ସୁଲିଆ ବୁଢାକୁ ପୂଜା କରିଥାନ୍ତି । ଆଦିବାସୀଙ୍କ ମାନ୍ୟତା ଅନୁଯାୟୀ, ସୁଲିଆ ବୁଢା ପାଖରେ ସେମାନଙ୍କର ସବୁ ମାନସିକ ପୂରଣ ହୋଇଥାଏ । ମାନସିକ ପୂରଣ ହେଲେ ତାଙ୍କ ନିକଟରେ ସେମାନେ ଧୂପ, ନଡ଼ିଆ ଓ ପଶୁ ପକ୍ଷୀ ବଳି ଅର୍ପଣ କରିଥାନ୍ତି । ଏହି ପ୍ରଥା ପରମ୍ପରା ଅନୁସାରେ, ଆଜି ଆଦିବାସୀ ପୂଜକ ସିଆଳ ପତ୍ର ପରିଧାନ କରି ପ୍ରଥମେ ସୁଲିଆ ବୁଢ଼ାଙ୍କ ପାଖରେ ବାଉଁଶରେ ଚାଉଳ ଘିଅ ଭରି ପୂଜା କରିଥାନ୍ତି । ଉଦୟମାନ ସୂର୍ଯ୍ୟଙ୍କୁ ପୂଜା କରି ସେମାନେ ସୁଲିଆ ବୁଢ଼ାଙ୍କୁ ଆହ୍ୱାନ କରିଥାନ୍ତି । ସେହିପରି ସୁଲିଆ ବୁଢା ବରୁଆଙ୍କ ଦେହରେ ଆବିର୍ଭାବ ହେବା ପରେ ଶ୍ରଦ୍ଧାଳୁ ତାଙ୍କୁ ପୂଜା କରିବା ସହ ସେ ସମସ୍ତଙ୍କ ଦୁଃଖ ହରଣ କରିଥାନ୍ତି ।
- ୫ଟି ସ୍ଥାନରେ ସୁଲିଆ ଯାତ୍ରା:
ସୁଲିଆ ବୁଢ଼ାଙ୍କଠାରେ ନିଜର ମାନସିକ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ସୁଲିଆ ପୀଠକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ତେବେ ବଲାଙ୍ଗୀର ଜିଲ୍ଲାର ମୁଖ୍ୟ ୫ଟି ସ୍ଥାନରେ ଏହି ସୁଲିଆ ଯାତ୍ରା ପାଳନ ହେଉଛି । ଯେଉଁଥିରେ ମୁଖ୍ୟ ସୁଲିଆ ପିଠ ଖଇର ଗୁଡା, କୁମରିଆ ଓ ମିର୍ଦ୍ଧାପାଳିଠାରେ ପ୍ରବଳ ଜନ ସମାଗମ ହୋଇଛି । ସେଠାରେ ଭୋରରୁ ଆରମ୍ଭ ହୋଇଥିବା ସୁଲିଆ ଯାତ୍ରାରେ ଏଯାଏଁ ଏନେକ ପଶୁ ପକ୍ଷୀଙ୍କ ବଳି ପଡିସାରିଥିବା ସୂଚନା ରହିଛି । ସେହିପରି ଆଜି ରାତି ପର୍ଯ୍ୟନ୍ତ ଏହି ଯାତ୍ରାକୁ ଆଦିବାସୀମାନେ ପାଳନ କରିବେ । ଆଦିବାସୀ ସେମାନଙ୍କର ପରମ୍ପରା ଅନୁସାରେ ଏହି ଯାତ୍ରା ପାଳନ କରୁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୋଲିସ ପ୍ରଶାସନ ଶାନ୍ତି ଶୃଙ୍ଖଳା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନେଇଛନ୍ତି ।
- ମାନସିକ ପୂରଣ କରନ୍ତି ସୁଲିଆ ବୁଢ଼ା:
ତେବେ ସୁଲିଆ ଯାତ୍ରାକୁ ଆସିଥିବା କଳାହାଣ୍ଡିର ଜଣେ ଭକ୍ତ ନୁପୁର ରଣା କହିଛନ୍ତି, "ପିଲା ଦିନରୁ ସୁଲିଆ ବୁଢାଙ୍କୁ ମାନି ଆସୁଛି । ପରିବାର ସହ ଆସି ସୁଲିଆ ବୁଢ଼ାଙ୍କ ଦର୍ଶନ କରିଛି । ଏଠାରେ ଯାହା ମାନସିକ କଲେ ତାହା ସୁଲିଆ ଦେବତା ପୁରଣ କରିଥାନ୍ତି ।" ସେହିପରି କନ୍ଧମାଳ ଫିରିଙ୍ଗିଆରୁ ଆସିଥିବା ଜଣେ ଭକ୍ତ ସତ୍ୟ ନାରାୟଣ ଭୁକ୍ତା କହିଛନ୍ତି, "ଏହି ସୁଲିଆ ଦେବତାଙ୍କ ପ୍ରତି ଆମର ଖୁବ ଆସ୍ଥା ଅଛି । କେବଳ ଆମର ନୁହେଁ ଆମ ଅଞ୍ଚଳର ସମସ୍ତେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥାନ୍ତି । ଆମେ ସମସ୍ତେ ସୁଲିଆ ବୁଢ଼ାଙ୍କ ପାଖକୁ ସବୁ ବର୍ଷ ପରି ଏଥର ମଧ୍ୟ ଆସିଛୁ । ଏଠାରେ ଯାହା ମାନସିକ କଲେ ପୂରଣ ହୋଇଥାଏ । ତେଣୁ ଭକ୍ତ ନିଜ ଇଚ୍ଛା ମୁତାବକ ଏଠାରେ ଧୂପ ନଡ଼ିଆ କିମ୍ବା ପଶୁ ପକ୍ଷୀ ବଳି ଚଢାଇ ଥାଆନ୍ତି । ମୁଁ ମଧ୍ୟ ଏଠି ପଶୁ ବଳି ଦେଇ ସୁଲିଆ ବୁଢ଼ାଙ୍କ ଠାରେ ନତମସ୍ତକ ହୋଇଛି ।"