ଓଡିଶା

odisha

By ETV Bharat Odisha Team

Published : 4 hours ago

ETV Bharat / state

95 ଲକ୍ଷ ଟପିଲା ସୁଭଦ୍ରା ଆବେଦନ, ଖୁବଶୀଘ୍ର ମିଳିବ କିସ୍ତି - Subhadra Yojana update

Subhadra Yojana update: ରାଜ୍ୟରେ 95 ଲକ୍ଷ ଟପିଲା ସୁଭଦ୍ରା ଆବେଦନ । ଏନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଖୁବଶୀଘ୍ର ମିଳିବ କିସ୍ତି । ପଢନ୍ତୁ ପୂରା ଖବର ।

Subhadra Yojana
Subhadra Yojana (ETV Bharat Odisha)

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ରାଜ୍ୟରେ ଜାରି ରହିଛି କ୍ରେଜ । ଆଜି ପର୍ଯ୍ୟନ୍ତ ୯୫ ଲକ୍ଷରୁ ଅଧିକ ଆବେଦନ ପଞ୍ଜିକୃତ ହେଲାଣି । ଖୁବଶୀଘ୍ର ଏକ କୋଟି ଛୁଇଁବ ପଞ୍ଜୀକରଣ । ଜନଜାତି ବହୁଳ ଅଞ୍ଚଳରେ ପଞ୍ଜୀକରଣକୁ ଗୁରୁତ୍ବ ଦିଆଯାଇଛି । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।

ଜିଲ୍ଲାପାଳ ସମ୍ମିଳନୀରେ ‘ସୁଭଦ୍ରା’:

Subhadra Yojana (ETV Bharat Odisha)

ଜିଲ୍ଲାପାଳ ସମ୍ମିଳନୀର ଦ୍ବିତୀୟ ଅଧିବେଶନରେ ସୁଭଦ୍ରା ଯୋଜନା କାର୍ଯ୍ୟକାରିତା ସମ୍ବନ୍ଧରେ ଉପସ୍ଥାପନା କରାଯାଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଏସଂପର୍କିତ ଉପସ୍ଥାପନ କରିଛନ୍ତି । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ଯଥାଶୀଘ୍ର ପ୍ରଦାନ କରାଯିବ । ୨୦୨୫ ମାର୍ଚ୍ଚ ୮ ତାରିଖ ପୂର୍ବରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ମିଳିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

95 ଲକ୍ଷରୁ ଅଧିକ ପଞ୍ଜିକୃତ:

Subhadra Yojana (ETV Bharat Odisha)

ଅଦ୍ୟାବଧି ଛପା ଯାଇଥିବା ୧ କୋଟି ୮୯ ଲକ୍ଷ ୩୪ ହଜାର ୧୭୬ ସୁଭଦ୍ରା ଆବେଦନ ଫର୍ମ ମଧ୍ୟରୁ ୧ କୋଟି ୫୭ ଲକ୍ଷ ୧ ହଜାର ୫୫ ଫର୍ମ ବଣ୍ଟନ କରାଯାଇଛି । ଆଜି ତାରିଖ ପର୍ଯ୍ୟନ୍ତ ୯୫ ଲକ୍ଷରୁ ଅଧିକ ଆବେଦନ ପଞ୍ଜିକୃତ ହୋଇସାରିଛି । ସମୁଦାୟ ୨୫ ଲକ୍ଷ ୨୯ ହଜାର ୭୨୦ ସୁଭଦ୍ରା ହିତାଧିକାରୀଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଛି । ଏଥି ମଧ୍ୟରୁ ୨୫ ଲକ୍ଷ ୧୭ ହଜାର ୫୪୫ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରଦାନ କରାଯାଇଛି । ୧୨ ହଜାର ୧୭୫ ଜଣଙ୍କୁ ସିବିଡିସି ଜରିଆରେ ଅର୍ଥରାଶି ପଠାଯାଇଛି ।

SMSରେ ଜଣାଯିବ:

ବିଭିନ୍ନ ସୂଚନା, ଶିକ୍ଷା ଓ ଯୋଗାଯୋଗ ପଦ୍ଧତିରେ ଓଡ଼ିଶାର ପ୍ରତ୍ୟେକ ଗାଁ'ରେ ସୁଭଦ୍ରା ଯୋଜନା ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଯାଇଛି । ଏସପିଡିପି ମାଧ୍ୟମରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଯାଞ୍ଚ କରାଯାଉଛି । ଏନଏଫଏସଏସ(NFSS) ଓ ଏସଏଫଏସଏସ(SFSS)ରୁ ବାଦ ପଡିଥିବା ହିତାଧିକାରୀଙ୍କୁ କ୍ଷେତ୍ର ଅନୁଧ୍ୟାନ ଦ୍ବାରା ଯାଞ୍ଚ କରାଯିବ । ସମସ୍ତ ଅନୁମୋଦନ ଓ ଖାରଜ ଫର୍ମର ତାଲିକା କାରଣ ସହ ସୁଭଦ୍ରା ୱେବ ପୋର୍ଟାଲରେ ଦର୍ଶାଯିବ । ଏସଏମସ(SMS) ଦ୍ବାରା ମଧ୍ୟ ସମସ୍ତଙ୍କୁ ଜଣାଇଦିଆଯିବ ।

Subhadra Yojana (ETV Bharat Odisha)

ବ୍ୟାଙ୍କରୁ ଟଙ୍କା ନଉଠାଇଲେ ଫେରସ୍ତ ହୋଇଯିବ କି ? ଜାଣନ୍ତୁ

ରାଜ୍ୟ ସାରା ବିଭିନ୍ନ ଗୁଜବ ଚାଲିଛି । ବ୍ୟାଙ୍କ ଆକାଉଣ୍ଟରୁ ପଇସା ନ ଉଠେଇଲେ ପଇସା ଆପେ ଆପେ ଫେରସ୍ତ ହେଇଯିବ । ଏପରି କିଛି ବି ବ୍ୟବସ୍ଥା କରାଯାଇନାହିଁ । ହିତାଧିକାରୀଙ୍କ ଅର୍ଥ ରାଶି ସେମାନଙ୍କର ବ୍ୟାଙ୍କ ଆକଉଣ୍ଟରେ ସୁରକ୍ଷିତ ରହିବ । ମହିଳା ଓ ଶିଶୁ ବିଭାଗ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ଉପ ମୁଖ୍ୟମନ୍ତ୍ରୀ ବିଭାଗର ସମସ୍ତ ଅଧିକାରୀ ଓ ସମସ୍ତ ଜିଲ୍ଲାପାଳକୁ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଧନ୍ୟବାଦ ଜଣେଇଛନ୍ତି । ଏହା ସହ ଜନଜାତି ବହୁଳ ଅଞ୍ଚଳମାନଙ୍କରେ ସୁଭଦ୍ରା କାର୍ଯ୍ୟକ୍ରମକୁ ପହଁଚାଇବା ପାଇଁ ବ୍ୟାପକ ସଚେତନତାକୁ ପ୍ରାଥମିକତା ଦେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଖୁବ ଶୀଘ୍ର ଏକ କୋଟି ଛୁଇଁବ ପଞ୍ଜୀକରଣ:

ଖୁବଶୀଘ୍ର ସୁଭଦ୍ରା ଯୋଜନାରେ ଓଡିଶାର ଏକ କୋଟି ମହିଳାଙ୍କ ପଞ୍ଜୀକରଣ ହୋଇଯିବ । ସରକାରୀ ଯୋଜନାରେ ଏକ କୋଟି ହିତାଧିକାରୀଙ୍କୁ ଯୋଡିବା ଆମ ପାଇଁ ଏକ ବଡ ଉପଲବ୍ଧି ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରଯୁକ୍ତି ବିଦ୍ୟାର ଉପଯୋଗରେ ଯୋଜନାର ସଫଳ କାର୍ଯ୍ୟାନ୍ବୟନ କରାଯାଇଥିବାରୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି । ଏହା ସହିତ ଜିଲ୍ଲାସ୍ତରରେ ସର୍ବାଧିକ ସୁଭଦ୍ରା ଫର୍ମ ପଞ୍ଜିକୃତ କରିଥିବା ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ରକୁ ପୁରସ୍କୃତ କରିବା ପାଇଁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ସୁଭଦ୍ରା ଯୋଜନା ସମ୍ପର୍କିତ ଖବର ପଢନ୍ତୁ:

ଆଉ 25 ଲକ୍ଷ ପାଇବେ ସୁଭଦ୍ରା କିସ୍ତି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଡ଼ିଶାରେ 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା -

ତେଜିଲା 'ସୁଭଦ୍ରା' ରାଜନୀତି, ବିଜେପିକୁ ଟାର୍ଗେଟ କଲେ ବିରୋଧୀ, ଜବାବ ଦେଲା ଶାସକ ଦଳ

ଜିଲ୍ଲାପାଳ କଲେ ଅବଗତ:

ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ପଞ୍ଜୀକରଣ ଓ ଯାଞ୍ଚ ପ୍ରକ୍ରିୟା ବ୍ୟବସ୍ଥା ସଂପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି । କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ କଟକ ଜିଲ୍ଲାରେ ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟକାରିତା ବିଷୟରେ ଅବଗତ କରାଇଛନ୍ତି । ସରଳ କାର୍ଯ୍ୟକାରିତା ପାଇଁ ମୋ ସେବା କେନ୍ଦ୍ର ଏବଂ ଜନସେବା କେନ୍ଦ୍ରକୁ ଆଧାର କେନ୍ଦ୍ର ସହ ସଂଯୁକ୍ତ କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ସୁଭଦ୍ରା ଯୋଜନାକୁ ନେଇ କୋରାପୁଟ ଜିଲ୍ଲାବାସୀ ଉତ୍ସାହିତ ଅଛନ୍ତି ବୋଲି ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details