ସମ୍ବଲପୁର:ମଙ୍ଗଳ ମୁଣ୍ଡା, ବୟସ ୬୩ ବର୍ଷ । ଆସନ୍ତା ବର୍ଷ ଦେବେ ମାଟ୍ରିକ ପରୀକ୍ଷା । ଅରୁଣ ସାହୁ, ବୟସ ୫୨ । ସେ ମଧ୍ୟ ୨୦୨୫ରେ ମାଟ୍ରିକ ପରୀକ୍ଷା ଦେବେ । ତେବେ ପରିଣତ ବୟସରେ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ମଙ୍ଗଳ ମୁଣ୍ଡା ଏବଂ ଅରୁଣ ସାହୁ ଏବେ କାହିଁକି ପାଠ ପଢ଼ିବାକୁ ମନ ବଳାଇଛନ୍ତି ? କାହିଁକି, କେଉଁଠି ଏବଂ କେଉଁ ପରିସ୍ଥିତିରେ ପାଠ ପଢୁଛନ୍ତି ? ପୂରା କାହାଣୀ ଶୁଣିଲେ ଆପଣ ବି ତାଜୁବ ହୋଇଯିବେ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଖବର ।
୬୩ ବର୍ଷରେ ମାଟ୍ରିକ ପରୀକ୍ଷା:
ମଙ୍ଗଳ ମୁଣ୍ଡା । ସେ ଏକ ହତ୍ୟା ମାମଲାରେ ଦଣ୍ଡିତ ହୋଇ ସମ୍ବଲପୁର ମଣ୍ଡଳ କରାଗରରେ ଆଜୀବନ ସଜା କାଟୁଛନ୍ତି । ତାଙ୍କ ଘର ସମ୍ବଲପୁର ଜିଲ୍ଲା କତରବଗା ଥାନା ଅଞ୍ଚଳ । ସେ ୧୮-୦୫-୨୦୧୦ରୁ ଏକ ହତ୍ୟା ମାମଲାରେ ଜେଲରେ ଅଛନ୍ତି । ୦୨-୦୬-୨୦୧୧ରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଆଉ ସେହି ଦିନରୁ ସେ ଏଠାରେ ଆଜୀବନ ସଜା କାଟୁଛନ୍ତି । ଜେଲରେ ରହି ସେ ଆସନ୍ତା ମାର୍ଚ୍ଚ ମାସରେ ମାଟ୍ରିକ ପରୀକ୍ଷା ଦେବାକୁ ପଞ୍ଜିକରଣ କରିଛନ୍ତି ।
Circle Jail Sambalpur (ETV Bharat Odisha) ଜେଲ ପାଠଶାଳାରେ ୫୨ ବର୍ଷୀୟ ବ୍ୟକ୍ତି:
ଆଉ ଜଣେ ଦୋଷୀ ସାବ୍ୟସ୍ତ କଏଦୀ ହେଉଛନ୍ତି ସମ୍ବଲପୁର ଜିଲ୍ଲାର କତରବଗା ଥାନା ଅଞ୍ଚଳର ଅରୁଣ ସାହୁ (୫୨) l ସେ ଏକ ପୋକ୍ସୋ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଛନ୍ତି l ୨୫-୦୯-୨୦୧୭ରେ ସେ ଏହି ମାମଲାରେ ଜେଲକୁ ଆସିଥିଲେ । ଏହାପରେ ୧୫-୦୨-୨୦୨୩ରେ ସେ ଜାମିନରେ ଜେଲରୁ ବାହାରିଥିଲେ । ପରେ ୦୨-୦୫-୨୦୨୩ରେ ସେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଏବେ ସଜା କାଟୁଛନ୍ତି । ଜେଲରେ ଥାଇ ମଧ୍ୟ ସେ ଆସନ୍ତା ମାର୍ଚ୍ଚ ମାସରେ ମ୍ୟାଟ୍ରିକ ପରୀକ୍ଷା ଦେବା ପାଇଁ ପଞ୍ଜିକରଣ କରିଛନ୍ତି ।
ଜେଲ ଭିତରେ ପାଠଶାଳା (ETV Bharat Odisha) ସମ୍ବଲପୁର ମଣ୍ଡଳ କାରାଗାରରେ ଅନ୍ତେବାସୀଙ୍କ ଶିକ୍ଷା ଗ୍ରହଣ :
ପାଠ ପଢ଼ିବା ପାଇଁ କୌଣସି ବୟସ ସୀମା ନାହିଁ । ଦୃଢ଼ ଇଚ୍ଛା ଶକ୍ତି ଓ ମନରେ ଆନ୍ତରିକତା ଥିଲେ ଅସମ୍ଭବ, ସମ୍ଭବ ହୋଇପାରେ । ଶିକ୍ଷା ଗ୍ରହଣ ପାଇଁ କୌଣସି ପରିସ୍ଥିତି ବାଧକ ସାଜି ନଥାଏ । ଜେଲରଚାରି କାନ୍ଥ ମଧ୍ୟରେ ଥାଇ ଏଭଳି ଉଦାହରଣ ସାଜିଛନ୍ତି ସମ୍ବଲପୁର ମଣ୍ଡଳ କରାଗରର ଅନେକ ଅନ୍ତେବାସୀ ।
ଜେଲ ଭିତରେ ପାଠଶାଳା (ETV Bharat Odisha) ଜେଲ ଭିତରେ ପାଠପଢ଼ା:
ସମ୍ବଲପୁର ଜେଲ ପ୍ରଶାସନ ପକ୍ଷରୁ ଗତ ୭ ବର୍ଷ ହେଲା ଜେଲ ଭିତରେ ଥିବା ଅନ୍ତେବାସୀଙ୍କ ପାଇଁ ପାଠପଢାର ବ୍ୟବସ୍ଥା କରାଯାଇଛି । ପାଠ ପଢ଼ିବାକୁ ଇଚ୍ଛୁକ ଥିବା କଏଦୀମାନଙ୍କ ପାଇଁ NIOS (National Institute of Open Schooling ) ଓ OSOU (Odisha state Open University) ଜରିଆରେ ଶିକ୍ଷା ଗ୍ରହଣ କରିବାର ବ୍ୟବସ୍ଥା କରାଯାଇଛି । ଜେଲରେ ସେକେଣ୍ଡାରୀ, ସିନିୟର ସେକେଣ୍ଡାରୀ, ଡିପ୍ଲୋମା, ବି.ଏ , ଏମ.ଏ ପାଠ ପଢ଼ିବାର ସବୁ ବ୍ୟବସ୍ଥା ରହିଛି । ଏଥିପାଇଁ ଜଣେ ଶିକ୍ଷକ ନିଯୁକ୍ତ ଥିବା ବେଳେ ଅନ୍ୟ ସବୁ ପାଠ୍ୟକ୍ରମ ପାଇଁ ଗେଷ୍ଟ ଫାକଲ୍ଟି ଆସି ଏଠାରେ ଶିକ୍ଷଦାନ କରୁଛନ୍ତି l
ଜେଲ ଭିତରେ ପାଠଶାଳା (ETV Bharat Odisha) ଅନ୍ତେବାସୀଙ୍କ ପାଇଁ ମର୍ଣ୍ଣିଂ କ୍ଲାସ:
ପ୍ରତିଦିନ ସକାଳ ୯ରୁ ସାଢେ ୧୧ଟା ପର୍ଯ୍ୟନ୍ତ କଏଦୀମାନଙ୍କୁ ପାଠ ପଢ଼ାଯାଏ । ଏଥିପାଇଁ ଏକ ସ୍ୱତନ୍ତ୍ର ଲାଇବ୍ରେରୀ ବ୍ୟବସ୍ଥା ମଧ୍ୟ କରାଯାଇଛି । ମଣ୍ଡଳ କାରାଗାରରେ ମାଟ୍ରିକ ସହ, ଯୁକ୍ତ ଦୁଇ, ଡିପ୍ଲୋମା ଇନ ଇଣ୍ଡିଆନ କଲଚର ଆଣ୍ଡ ହେରିଟେଜ, ଡିପ୍ଲୋମା ଇନ ପ୍ରିଜରଭେସନ ଅଫ ଫ୍ରୁଟ ଆଣ୍ଡ ଭେଜିଟେବୁଲ, ଫୁଡ ପ୍ରୋସେସିଂ, ଲାଇବ୍ରେରୀ ଆଣ୍ଡ ଇନଫରମେସନ ସାଇନ୍ସ, ସାମ୍ବାଦିକତା, ଡିପ୍ଲୋମା ଇନ ଯୋଗ ସହ ରାଜନୀତି ବିଜ୍ଞାନ, ଇତିହାସ, ଓଡ଼ିଆ, ଇଂରାଜୀ ଭଳି ବିଷୟରେ ସ୍ନାତକୋତ୍ତର ପାଠ ପଡ଼ିବାର ସୁବିଧା ରହିଛି । ଗତବର୍ଷ ସାମ୍ବାଦିକତା, ପର୍ଯ୍ୟଟନ ସହ ଏହି ସବୁ ବିଷୟରେ ପଢ଼ିବା ପାଇଁ ବନ୍ଦୀମାନଙ୍କ ସର୍ବାଧିକ ଆଗ୍ରହ ରହିଥିବା ନେଇ ସୂଚନା ରହିଛି ।
- ସକାଳ ୯ରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ କଏଦୀଙ୍କ ପାଠଶାଳା
- ଜେଲରେ ରହିଛି ସ୍ୱତନ୍ତ୍ର ଲାଇବ୍ରେରୀ
- ମାଟ୍ରିକ, ଯୁକ୍ତ ଦୁଇ, ଡିପ୍ଲୋମା, ସାମ୍ବାଦିକତା, ସ୍ନାତକୋତ୍ତର ପାଠପଢ଼ା
- ସାମ୍ବାଦିକତା ପାଠ୍ୟକ୍ରମ ପ୍ରତି ବଢୁଛି ଆଗ୍ରହ
ଜେଲ ଭିତରେ ପାଠଶାଳା (ETV Bharat Odisha) ଦୈନିକ ୨ରୁ ୩ଟି କ୍ଲାସ: ସମ୍ବଲପୁର ଜେଲ ଡିଆଇଜି କୁଳମଣି ବେହେରା କହିଛନ୍ତି, "ଏଠାରେ ଜଣେ ପେଡ୍ ଶିକ୍ଷକ ଅଛନ୍ତି । OSOU ଓ NIOS ଜରିଆରେ ଶିକ୍ଷାଦାନ କରାଯାଉଛି । ସକାଳେ ଅନ୍ତେବାସୀଙ୍କୁ ଜଳଖିଆ ଦିଆଯିବା ପରେ ସକାଳ ପ୍ରାୟ ୯ରୁ ସାଢେ ୧୧ଟା ପର୍ଯ୍ୟନ୍ତ କ୍ଲାସ ହୋଇଥାଏ । ଦୈନିକ ୨ରୁ ୩ଟି କ୍ଲାସ ହେଉଛି । ଏଠାକୁ ପାଠ ପଢ଼ାଇବା ପାଇଁ ସ୍ବେଛାକୃତ ଭାବେ ଅଧ୍ୟାପକ ଓ ଶିକ୍ଷକ ଆସି ଶିକ୍ଷାଦାନ କରନ୍ତି । ସ୍ଥାନୀୟ ପେଡ ସ୍କୁଲ ଶିକ୍ଷକ ଏହି ଗେଷ୍ଟ ଫାକଲ୍ଟିମାନଙ୍କ ସହ ଯୋଗାଯୋଗ ସ୍ଥାପନ କରି ସେମାନଙ୍କୁ ଶିକ୍ଷାଦାନ କରିବାକୁ ଜେଲକୁ ଆଣନ୍ତି । ସେହପିର ଅନ୍ତେବାସୀମାନେ ଜେଲ ଭିତରେ ପରୀକ୍ଷା ଦିଅନ୍ତି l"
ଏବର୍ଷ ପରୀକ୍ଷା ଦେବେ କେତେ କଏଦୀ ?
ଏହାସହ ଜେଲ ଡିଆଇଜିଙ୍କ ପାଖରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୦୨୩-୨୪ ଶିକ୍ଷାବର୍ଷରେ ମାର୍ଚ୍ଚ ମାସରେ NIOS ଅଧୀନରେ ୧୦ ଜଣ କଏଦୀ ସେକେଣ୍ଡାରୀ ଜଣେ ସିନିଅର ସେକେଣ୍ଡାରୀ ପରୀକ୍ଷା ଦେଇଥିଲେ । ସେହିପରି ୨୦୨୩-୨୪ର ଅକ୍ଟୋବର, ନଭେମ୍ବର ସେସନରେ NIOS ଅଧୀନରେ ୧୮ ଜଣ ସେକେଣ୍ଡାରୀ, ୧୮ ଜଣ ସିନିଅର ସେକେଣ୍ଡାରୀ ଓ ୧୨ ଜଣ ଡିପ୍ଲୋମା ପରୀକ୍ଷା ଦେଇଛନ୍ତି । ଆସନ୍ତା ୨୦୨୪-୨୫ ମାର୍ଚ୍ଚ-ଏପ୍ରିଲ ସେସନ ପାଇଁ NIOS ଅଧୀନରେ ୧୩ ଜଣ ସେକେଣ୍ଡାରୀ, ୬ ଜଣ ସିନିୟର ସେକେଣ୍ଡାରୀ, ଜଣେ ଡିପ୍ଲୋମା କୋର୍ସରେ ପରୀକ୍ଷା ଦେବାକୁ ଯାଉଛନ୍ତି । ଅନ୍ୟପଟେ ଗତ ବର୍ଷ OSOU ଅଧୀନରେ ୭ ଜଣ ବି.ଏ ଓ 7 ଜଣ ଏମ.ଏ. ପରୀକ୍ଷା ଦେଇଛନ୍ତି ଓ ଆସନ୍ତା ୨୦୨୪-୨୫ ମାର୍ଚ୍ଚ ଏପ୍ରିଲ ସେସନରେ OSOU ଅଧୀନରେ ୧୩ ଜଣ ଏମ.ଏ ପରୀକ୍ଷା ଦେବାକୁ ଯାଉଛନ୍ତି ।
ଅପରାଧିକ ମନୋବୃତ୍ତି କିମ୍ବା ପରିସ୍ଥିତି ହେଉ, ସେମାନେ ଆଜି ବନ୍ଦୀ । ପେସାଦାର ଅପରାଧୀଙ୍କଠାରୁ ଆରମ୍ଭ କରି ଶିକ୍ଷକ, ଆଇନଜୀବୀ, ଚାଷୀ, ବ୍ୟବସାୟୀ ମଧ୍ୟ ଏହି ଜେଲରେ ଅଛନ୍ତି । ହତ୍ୟା, ଚୋରି, ଡକାୟତି, ନିଶା କାରବାର, ଅପହରଣ ଭଳି ଅପରାଧ ଯୋଗୁଁ ମଣ୍ଡଳ ଜେଲରେ ଜୀବନ ବିତାଉଛନ୍ତି ଏହି କଏଦୀ । ଏଠାରେ ଥିବା ୬୪୮ ଅନ୍ତେବାସୀଙ୍କ ମଧ୍ୟରୁ ପ୍ରାୟ ୧୫୭ ଜଣଙ୍କୁ ଦଣ୍ଡ ମିଳି ସାରିଛି । ସେମାନଙ୍କ ଅତୀତ ଯାହା ହେଉନା କାହିଁକି, କିନ୍ତୁ କଏଦୀମାନେ ବର୍ତ୍ତମାନକୁ ବରବାଦ କରିବାକୁ ଚାହାନ୍ତି ନାହିଁ l ସେଥିପାଇଁ ଜେଲ ଭିତରେ ଥାଇ ପାଠ ପଢିବାକୁ ମନ ବଳାଉଛନ୍ତି । ଫଳରେ ସମ୍ବଲପୁର ମଣ୍ଡଳ କାରାଗାର ପାଲଟିଛି କଏଦୀଙ୍କ ପାଠଶାଳା ।
ଇଟିଭି ଭାରତ, ସମ୍ବଲପୁର