ଭୁବନେଶ୍ବର: ୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ ତିନି ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଗତ ୧୨ ତାରିଖରୁ ଆରମ୍ଭ ହୋଇଛି । ଏହି ଆବେଦନ ପ୍ରକ୍ରିୟା ୨୬ ତାରିଖ ରାତି ୧୧ ଟା ୪୫ ପର୍ଯ୍ୟନ୍ତ ଚାଲିବ । ତେବେ "ଏଥିରେ କେଉଁମାନେ ଆବେଦନ କରିପାରିବେ ଏବଂ ଆବେଦନ କରିପାରିବେ ନାହିଁ ସେ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗାଇଡ଼ଲାଇନ ଜାରି ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ ନାମଲେଖାଇ ସାରିଛନ୍ତି, ସେମାନେ ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବେ ନାହିଁ, "ବୋଲି ଗାଇଡ଼ଲାଇନରେ ଉଲ୍ଲେଖ ରହିଥିଲା । "ତେବେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏଥିରେ ପରିବତ୍ତର୍ନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଯେଉଁ ଛାତ୍ରୀଛାତ୍ରମାନେ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇ ସାରିଛନ୍ତି, ସେମାନେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଅଂଶଗ୍ରହଣ କରିପାରିବେ" ବୋଲି ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ "ଏକ୍ସ' ଜରିଆରେ ସୂଚନା ଦିଆଯାଇଛି ।
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରେସମିଟ (ETV Bharat Odisha) ଉଲ୍ଲେଖଯୋଗ୍ୟ, ରାଜ୍ୟର ୧ ହଜାର ୫୬ଟି ଡିଗ୍ରୀ କଲେଜରେ ଯୁକ୍ତ ତିନି ନାମଲେଖା ପାଇଁ ମୋଟ ୨ ଲକ୍ଷ ୭୪ ହଜାର ୧୫୧ଟି ସିଟ୍ ରହିଛି । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ୍ୟ ୭୭ ହଜାର ୬୭୩ ଜଣ ନାମଲେଖାଇଥିବା ବେଳେ ଆଉ ୯୬ ହଜାର ୪୭୮ଟି ସିଟ୍ ଖାଲି ପଡ଼ିଛି । ସିଟ୍ ପୂରଣ କରିବା ପାଇଁ ବିଭାଗ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ସେପ୍ଟେମ୍ବର ୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ମନୋନୀତ ଛାତ୍ରୀଛାତ୍ରମାନେ ୩ ତାରିଖ ସକାଳ ୧୦ ଟାରୁ ୬ ତାରିଖ ସନ୍ଦ୍ୟା ୫ ଟା ଭିତରେ ନାମଲେଖାଇବେ ।
ଏହା ବି ପଢନ୍ତୁ-ପ୍ରକାଶ ପାଇଲା ଯୁକ୍ତ ତିନି କଟ ଅପ ମାର୍କ: କଳା, ବାଣିଜ୍ୟ ଓ ବିଜ୍ଞାନ କଟ୍-ଅଫ୍ରେ ରେଭେନ୍ସା ଆଗରେ - SAMS Odisha Plus Three Admission
ଅନ୍ୟପଟେ ରାଜ୍ୟରେ ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଆସନ୍ତା ୬ ତାରିଖରୁ ଆରମ୍ଭ ହେବ। ଏ ନେଇ ଶୁକ୍ରବାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେପ୍ଟେମ୍ବର ୬ ତାରିଖରୁ ୧୩ ତାରିଖ ମଧ୍ୟରେ ଆଶାୟୀ ଛାତ୍ରୀଛାତ୍ରମାନେ ଆବେଦନ କରିପାରିବେ। ୨୦ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ୨୧ ରୁ ୨୪ ତାରିଖ ମଧ୍ୟରେ ଚୟନ ହୋଇଥିବା ଛାତ୍ରୀଛାତ୍ରମାନେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ନାମଲେଖାଇବେ। ସେହିପରି ଚୟନ ହୋଇ ନ ଥିବା ଛାତ୍ରୀଛାତ୍ରମାନେ ୨୬ ଓ ୨୭ ତାରିଖରେ ନୂତନ ଶିକ୍ଷାନୁଷ୍ଠାନକୁ ଚଏସ ଲକିଂ କରିପାରିବେ । ପ୍ରଥମ ମେଧା ତାଲିକା ପରେ ସିଧାସଳଖ ଅକ୍ଟୋବର ୩ ତାରିଖରେ ସ୍ପଟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ । ଚୟନ ହୋଇଥିବା ଛାତ୍ରୀଛାତ୍ରମାନେ ୪ ଓ ୫ ତାରିଖରେ ନାମଲେଖାଇ ପାରିବେ । ସମସ୍ତ ଛାତ୍ରୀଛାତ୍ର ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବେ ।
ଏହା ବି ପଢନ୍ତୁ- ଆରମ୍ଭ ହେଲା +3 ନାମଲେଖା ଆବେଦନ, ନାମଲେଖାରୁ ବାଦ ପଡ଼ିଲା ୧୦ କଲେଜ - PLUS THREE ADMISSION Process
ସୂଚନାଯୋଗ୍ୟ, ରାଜ୍ୟରେ ଥିବା ୨ ହଜାର ୩୪୧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ ୫ ଲକ୍ଷ୍ୟ ୪୭ ହଜାର ୯୯୩ଟି ସିଟ୍ ରହିଛି । ଶୁକ୍ରବାର ସନ୍ଧ୍ୟା ୮ ଟା ସୁଦ୍ଧା ୩ ଲକ୍ଷ ୯୫ ହଜାର ୬୮୫ ସିଟ୍ ପୂରଣ ହୋଇସାରିଥିବା ବେଳେ ଆହୁରି ୧ ଲକ୍ଷ ୫୨ ହଜାର ୩୦୮ ସିଟ୍ ବଳକା ପଡ଼ିଛି । ତେବେ ପ୍ରଥମ ପର୍ଯ୍ୟାୟର ସ୍ପଟ ନାମଲେଖା ଏବେ ଜାରି ରହିଛି।