ଓଡିଶା

odisha

ଚାଲିଛି ମାଟ୍ରିକ ପରୀକ୍ଷା; ଦେଖନ୍ତୁ କେମିତି ରହିଛି ସ୍ଥିତି, କ'ଣ କହୁଛନ୍ତି ପିଲା

By ETV Bharat Odisha Team

Published : Feb 20, 2024, 11:33 AM IST

BSE Matric Exam 2024: ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହିତ ରହିଛନ୍ତି । ଅଧିକ ପଢ଼ନ୍ତୁ

ମାଟ୍ରିକ ପରୀକ୍ଷା
ମାଟ୍ରିକ ପରୀକ୍ଷା

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ ଥିବାବେଳେ ପରୀକ୍ଷାକୁ କିଭଳି ସୁଚାର ରୂପେ ସମ୍ପାଦନ କରାଯିବ ସେନେଇ ସମସ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପରୀକ୍ଷା ସୁପରିଚାଳନା ପାଇଁ ଏଥର ବିଶେଷ ବ୍ୟବସ୍ଥା କରିଛି ବୋର୍ଡ । ଛାତ୍ରଛାତ୍ରୀ ମାତୃଭାଷା ବିଷୟରେ ପ୍ରଥମ ପରୀକ୍ଷା ଦେଉଛନ୍ତି । ଆଜିଠାରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୪ ତାରିଖ ପର୍ଖ୍ୟନ୍ତ ଚାଲିବ । ରାଜ୍ୟର ମୋଟ ୨ ହଜାର ୯୯୧ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି 5 ଲକ୍ଷ 60 ହଜାର ପରୀକ୍ଷାର୍ଥୀ ।

ଖୋର୍ଦ୍ଧା ଜିଲ୍ଲାରେ ମୋଟ 336ଟି ଉଚ୍ଚ ବିଦ୍ୟାଳୟ ଥିବାବେଳେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷ ଜିଲ୍ଲାରେ 134ଟି ପରୀକ୍ଷା କେନ୍ଦ୍ର ହୋଇଛି । ଏହି ପରୀକ୍ଷା କେନ୍ଦ୍ରରେ ମୋଟ 28 ହଜାର 209 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସେଥିମଧ୍ୟରୁ ଭୁବନେଶ୍ଵର ଉପଖଣ୍ଡରେ 72 ଓ ଖୋର୍ଦ୍ଧା ଉପଖଣ୍ଡରେ 62ଟି ପରୀକ୍ଷା କେନ୍ଦ୍ର ହୋଇଛି । ସେହିପରି 11ଟି ପରୀକ୍ଷା କେନ୍ଦ୍ରକୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି । ପ୍ରଶ୍ନପତ୍ର ସୁରକ୍ଷିତ ରଖିବାକୁ ଭୁବନେଶ୍ବର ଓ ଖୋର୍ଦ୍ଧା ଉପଖଣ୍ଡରେ 12ଟି ନୋଡାଲ୍ ସେଣ୍ଟର ସ୍ଥାପନ ହୋଇଛି । ସେହିପରି ଓଡ଼ିଶା ମୁକ୍ତ ବିଦ୍ୟାଳୟ ପାଠ୍ୟକ୍ରମ ପରୀକ୍ଷା ପାଇଁ ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ବିଜେବି ହାଇସ୍କୁଲରେ ଗୋଟିଏ ପରୀକ୍ଷା କେନ୍ଦ୍ର ସ୍ଥାପନ ହୋଇଛି ।

ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାର ୨୨୮ ହାଇସ୍କୁଲର ୧୮,୧୩୨ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ଜିଲ୍ଲାରେ ମୋଟ ୮୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ୮୧ ପରୀକ୍ଷା କେନ୍ଦ୍ରରେ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ରହିଥିବା ବେଳେ ୩ଟି ପରୀକ୍ଷା କେନ୍ଦ୍ର ରାଜ୍ୟ ମୁକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି । ପରୀକ୍ଷା ପାଇଁ ୯ଟି ନୋଡାଲ ସେଣ୍ଟର କରାଯାଇଛି । ଏହି ସେଣ୍ଟରରେ ୨୩ଟି ଦଳ ପ୍ରଶ୍ନପତ୍ର ପହଞ୍ଚାଇବେ । ବୋର୍ଡ ପକ୍ଷରୁ ୧୬ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି ।

ସେହିପରି କେନ୍ଦୁଝର ଜିଲ୍ଲାରେ ୧୪୦ଟି ପରୀକ୍ଷା କେନ୍ଦ୍ର ଓ ୧୧ଟି ନୋଡାଲ କେନ୍ଦ୍ର ହୋଇଛି । ଜିଲ୍ଲାରେ ୪୭୭ଟି ବିଦ୍ୟାଳୟର ମୋଟ ୨୫ ହଜାର ୨୮୦ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ଆଜି ପ୍ରଥମ ଦିନ ମାତୃଭାଷା ଥିବାବେଳେ, ମୋଚିବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟରେ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ଅଧିକ ୨୦ମିନିଟ୍ ସମୟ ଦିଆଯାଉଥିବା ବେଳେ, ସେମାନଙ୍କ ପାଇଁ ୯ମ ଶ୍ରେଣୀର ଜଣେ ଛାତ୍ର କିମ୍ବା ଛାତ୍ରୀ ରାଇଟର୍ ନିୟୋଜିତ ହୋଇଛନ୍ତି । ପରୀକ୍ଷାକୁ ଶୃଙ୍ଖଳିତ ଭାବେ ପରିଚାଳିତ କରିବା ପାଇଁ ୪୬ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଥିବା ବିଭାଗ ସୂତ୍ରରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ଆଜିଠୁ ମାଟ୍ରିକ ପରୀକ୍ଷା; 5 ଲକ୍ଷ 60 ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା

କଳାହାଣ୍ଡି ଜିଲ୍ଲାରେ ସମୁଦାୟ ୧୩ଟି ନୋଡାଲ ସେଣ୍ଟର ବ୍ୟବସ୍ଥା କରାଯାଇ ପ୍ରଶ୍ନପତ୍ରକୁ ପୋଲିସ ଦ୍ବାରା ସୁରକ୍ଷିତ ଭାବରେ ରଖାଯାଇଥିବା ବେଳେ ୧୪୫ଟି ପରୀକ୍ଷା ସେଣ୍ଟରେ ୨୨ ହଜାର ୭୦୦ଶହ ୬୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ୪ଟି ଫ୍ଲାଇଙ୍ଗ ସ୍କ୍ୱାଡର ବ୍ୟବସ୍ଥା କରାଯାଇଛି । ଆଜି ପ୍ରଥମ ଦିନରେ ମାତୃଭାଷା ବିଷୟରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । କପି ମୁକ୍ତ ପରୀକ୍ଷା କରିବା ପାଇଁ ପରୀକ୍ଷା କେନ୍ଦ୍ରଗୁଡିକରେ ସିସିଟିଭି କ୍ୟାମେରା ଲଗାଯିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର୍ ।

ABOUT THE AUTHOR

...view details