ନିଆଳି:ସ୍କୁଲରେ ଅଘଟଣ । ଖେଳୁଥିବା ବେଳେ ଭୁଶୁଡି ପଡିଲା ସ୍କୁଲ ପାଚେରୀ ଫଳରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ଯାହାକୁ ନେଇ ସ୍କୁଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି । ଏପରି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ତିମିରି ପଞ୍ଚାୟତ ନୋଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ । କ୍ଷତିପୂରଣ ଦାବି ସହ ସରକାରୀ ଚାକିରି ଦାବି କଲେ ଲୋକେ ।
ସ୍କୁଲରେ ଖେଳୁଥିଲେ ଭୁଶୁଡି ପଡିଲା ପାଚେରୀ:
କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ତିମିରି ପଞ୍ଚାୟତରେ ରହିଛି ନୋଦା ସରକାରୀ ପ୍ରାଥମିକ ବିଦ୍ୟାଳୟ । ଆଜି ସ୍କୁଲରେ ମଧ୍ୟାହ୍ନ ଭୋଜନ ସମୟରେ ଛାତ୍ର ଜଣକ ଖେଳୁଥିଲେ । ପାଚେରୀଟି ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଭୁଶୁଡି ପଡିଥିଲା । ଫଳରେ ଏଥିରେ ଗୁରୁତର ଆହତ ହୋଇଥିଲେ । ତାଙ୍କ ଗୋଡ,ହାତ ଓ ମୁଣ୍ତରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଅଡଶପୁର ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ହେଲେ କଟକରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
କ୍ଷତିପୂରଣ ଦାବିରେ ଉତ୍ତେଜନା:
ସେପଟେ ଛାତ୍ର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ୨୦ ଲକ୍ଷ କ୍ଷତି ପୂରଣ ଓ ପରିବାରଙ୍କୁ ସରକାରୀ ଚାକିରି ଦାବିରେ ବିଦ୍ୟାଳୟ ସମ୍ମୁଖରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ପ୍ରତିବାଦ କରିଥିଲେ ।
20 ଲକ୍ଷ କ୍ଷତିପୂରଣ ଦାବି:
ଛାତ୍ରର ସମ୍ପର୍କୀୟ କହିଛନ୍ତି, ‘ମୃତ ଛାତ୍ର କଟକ ଜିଲ୍ଲାର କଣ୍ଟାପଡ଼ା ବ୍ଲକ ଡିମିରି ପଞ୍ଚାୟତ ନୋଦା ସରକାରୀ ପ୍ରାଇମେରୀ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ପାଠ ପଢନ୍ତି । ଆଜି ମଧ୍ୟାହ୍ନ ଭୋଜନ ସମୟରେ ପାଚେରି ନିକଟରେ ଖେଳୁଥିବା ସମୟରେ ପାଚେରି ଭୁଶୁଡି ପଡ଼ିବାରୁ ଗୋଡ,ହାତ ଓ ମୁଣ୍ତରେ ଗୁରୁତର ଆଘାତ ଲାଗିଥିଲା । ଚିକିତ୍ସା ପାଇଁ ପ୍ରଥମେ ଅଡଶପୁର ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । କଟକ ନେବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ୨୦ ଲକ୍ଷ କ୍ଷତିପୂରଣ ଓ ପରିବାରଙ୍କୁ ସରକାରୀ ଚାକିରି ଆମେ ଦାବି କରୁଛୁ ।’
ନିମ୍ନ ମାନର କାମ ପାଇଁ ଭୁଶୁଡିଲା ପାଚେରୀ: ମୃତକଙ୍କ ସମ୍ପର୍କୀୟ
ସେହିପରି ମୃତ ଛାତ୍ରଙ୍କ ସମ୍ପର୍କୀୟ ନାରାୟଣ ଭୋଇ କହିଛନ୍ତି, ‘ଆମର ଦାବି ମୃତକଙ୍କ ପରିବାରକୁ 20 ଲକ୍ଷ ଦିଅନ୍ତୁ ଓ ସରକାରୀ ଚାକିରି ଦିଅନ୍ତୁ । ସ୍କୁଲରେ ପିଲାମାନେ ଥିବା ତାହା ଶିକ୍ଷକ ମାନଙ୍କ ଦାୟିତ୍ବ ପିଲାଙ୍କୁ ଜଗିବାକୁ । ସ୍କୁଲ ପାଚେରୀ ନିମ୍ନ କାମର କାମ ପାଇଁ ଭୁଶୁଡି ପଡିଛି । ପ୍ରଶାସନ ଆମ କଥା ନଶୁଣିଲେ ଆମେ ରାଜରାସ୍ତାରେ ପ୍ରତିବାଦ କରିବୁ ।