କଟକ:ଏସସିବି ମେଡିକାଲ ଅଗ୍ନି ନିରାପତ୍ତା ପ୍ରସଙ୍ଗ । ମାମଲାକୁ ଅତି ଗୁରୁତର ସହ ନେଇଛନ୍ତି ହାଇକୋର୍ଟ। ଏହି ସମ୍ପର୍କିତ ମାମଲାରେ ଆଜି କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇଛନ୍ତି ଅଗ୍ନିଶମ ଡି ଜି ସୁଧାଂଶୁ ଷଡ଼ଙ୍ଗୀ । ଏହାସହ ଏସସିବି ଅଧୀକ୍ଷକ ଡକ୍ଟର ସୁଧାଂଶୁ ଶେଖର ମିଶ୍ର ଆର ଆଣ୍ଡ ବି ଅଧୀକ୍ଷଣ ଯନ୍ତ୍ରୀ ପିକେ ମାଝୀ ମଧ୍ୟ ହାଜର ହୋଇଛନ୍ତି । କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରସଙ୍ଗରେ ଆଜି ଅଗ୍ନିଶମ ଡିଜି ରିପୋର୍ଟ ଦାଖଲ କରିଛନ୍ତି। ଫାୟାର ଆଲାର୍ମ ଏବଂ ଅଗ୍ନି ନିରାପତ୍ତା କାମ 3 ମାସ ମଧ୍ୟରେ ଶେଷ ହେବ ବୋଲି କୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ ଅବଗତ କରାଯାଇଛି ।
ଅଗ୍ନି ନିରାପତ୍ତା ପାଇଁ ଆବଶ୍ୟକୀୟ ଅତିରିକ୍ତ ନିର୍ମାଣ କାମ ୬ ମାସ ମଧ୍ୟରେ ଶେଷ ହେବ ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ୮ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ଏହି ସମୟ ସୀମା ମଧ୍ୟରେ କାର୍ଯ୍ୟର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଗ୍ନିଶମ ଡିଜି ନିଜେ କାର୍ଯ୍ୟର ଅଗ୍ରଗତି ନେଇ କୋର୍ଟ ଙ୍କୁ ରିପୋର୍ଟ ପ୍ରଦାନ କରିବେ। ସୂଚନା ଅନୁସାରେ, ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲରେ କେବେ ସୁଦ୍ଧା ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯିବ ପ୍ରଶ୍ନ କରିଥିଲେ ହାଇକୋର୍ଟ । ଏନେଇ ଅବଗତ କରିବାକୁ ହାଇକୋର୍ଟ ଅଗଷ୍ଟ ୧୪ତାରିଖରେ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରସଙ୍ଗରେ ବିସ୍ତୃତ ଯୋଜନା ପ୍ରସ୍ତୁତ କରି ଜଣାଇବାକୁ ରାଜ୍ୟ ସରକାର ଓ ଏସସିବି ଅଧୀକ୍ଷକଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।