ଭୁବନେଶ୍ବର: ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ-2025 ଉଦଯାପିତ ହୋଇଯାଇଛି । ବରମୁଣ୍ଡା ଖେଳ ପଡିଆରେ ଆୟୋଜିତ ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ । ଏହି ଅବସରେ ମୁଖ୍ୟମନ୍ତ୍ରୀ, ପାଣି ପଞ୍ଚାୟତ ଗୁଡିକର ନିର୍ବାଚନ ଓ ଅଡିଟ୍ କରିବାକୁ ନିର୍ଦ୍ଦେଶ । ସମସ୍ତ ଜଳସେଚନ ପ୍ରକଳ୍ପଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
- ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରାଯାଇଛି: ମୁଖ୍ୟମନ୍ତ୍ରୀ
ପାଣି ପଞ୍ଚାୟତ ପକ୍ଷ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣରେ କହିଛନ୍ତି,‘‘ଧାନ ଅମଳ ଶେଷ ପର୍ଯ୍ୟାୟରେ ଥିବା ବେଳେ ଅଦିନିଆ ବର୍ଷା ୧୬ ଟି ଉପକୂଳ ଜିଲ୍ଲାରେ ଅନେକ କ୍ଷୟ କ୍ଷତି କରିଛି । କ୍ଷେତରୁ ଘରକୁ ଧାନ ଆସି ପାରିଲାନାହିଁ । ଏହାର ଅନୁଧ୍ୟାନ ପାଇଁ ମନ୍ତ୍ରୀ ଅଧିକାରୀମାନେ ଖେତକୁ ଯାଇଥିଲେ । ମୁଁ ନିଜେ ମଧ୍ୟ ତିନି ଜିଲ୍ଲାକୁ ଯାଇ ପ୍ରକୃତ ସ୍ଥିତି ଦେଖିଥିଲି । ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ଓଡ଼ିଶା ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରାଯାଇଛି । ରିପୋର୍ଟ୍ ଆଧାରରେ ୬ ଲକ୍ଷ ୬୬ ହଜାରରୁ ଅଧିକ ଚାଷୀଙ୍କୁ ୨୯୧ କୋଟି ଟଙ୍କା ଦେବାକୁ ପଦକ୍ଷେପ ନିଆଯାଇଛି । ଜିଲ୍ଲାପାଳଙ୍କ ଜରିଆରେ କ୍ଷତିପୂରଣ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ପରେ ବି କେହି ଚାଷୀ ବଞ୍ଚିତ ହେଲେ ସେମାନେ ବି ସାମିଲ ହେବେ । ଏହା ସହ ବୀମାଭୁକ୍ତ ଚାଷୀଙ୍କୁ ବିମା କମ୍ପାନୀ ମାନେ ବି ସହାୟତା ପ୍ରଦାନ କରିବେ ।’’