ଭୁବନେଶ୍ବର: ରାଜ୍ୟରେ ହାତୀ ମୃତ୍ୟୁ ଉଦ୍ବେଗଜନକ ଅଟେ । ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଚଳିତ ବର୍ଷ ଅସ୍ଵାଭାବିକ ଭାବରେ ପାଖାପାଖି ୫୦ରୁ ଅଧିକ ହାତୀ ମୃତ୍ୟୁବରଣ କରିଛନ୍ତି । ଏପଟେ କିନ୍ତୁ ତଦନ୍ତ ଧିମା କାରଣରୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ । ତେବେ ସେ ଶିକାରୀ ହେଉ ବା ବନ କର୍ମଚାରୀ କିମ୍ବା ଅଧିକାରୀ ହୁଅନ୍ତୁ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ନିର୍ଦ୍ଦେଶ ଦେଇଛନ୍ତି ।
ହାତୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ଅଛି କିନ୍ତୁ ମୃତ୍ୟୁ ସଂଖ୍ୟା ବଢୁଛି:
ଏକ ନୋଟିସ ଜାରି କରି ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, "ଚଳିତ ବର୍ଷ ଆରମ୍ଭରୁ ରାଜ୍ୟରେ ପ୍ରାୟ ପାଖାପାଖି ୫୦ରୁ ଅଧିକ ହାତୀ ମୃତ୍ୟୁ ଘଟିଛି। ଏହା ଅତ୍ୟନ୍ତ ଭାବରେ ଉଦ୍ବେଗଜନକ । ଅସ୍ଵାଭାବିକ ହାତୀ ମୃତ୍ୟୁ ରୋକିବା ପାଇଁ ରାଜ୍ୟ ସରକାର ବହୁ ବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି । ଯେପରିକି ଗଜସାଥୀ ମୁତୟନ, ରାପିଡ ଆକ୍ସନ ଟିମ, ବନ କର୍ମଚାରୀ ବ୍ୟବସ୍ଥା ଆଦି ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ସାଙ୍ଗକୁ ମଧ୍ୟ ଜଙ୍ଗଲ ବିଭାଗ ଅଧିକାରୀମାନଙ୍କ ଦକ୍ଷତା ଏବଂ କାର୍ଯ୍ୟ କୁଶଳତାର ଅଧିକ ଭାବରେ ଗ୍ରହଣ କରାଯାଉଛି । ତଥାପି ଅସ୍ଵାଭାବିକ ଭାବରେ ହାତୀଙ୍କ ଜୀବନ ଯାଉଛି ।"
"ସୁରକ୍ଷିତ ପରିବେଶରେ ବାସ କରିବା ସମସ୍ତ ବନ୍ୟଜନ୍ତୁମାନଙ୍କର ଅଧିକାର ଅଟେ । ସେମାନଙ୍କୁ ଆଇନଗତ ସୁରକ୍ଷା ମଧ୍ୟ ପ୍ରଦାନ କରାଯିବା ଆବଶ୍ୟକ । ସେମାନଙ୍କ ନିରାପତ୍ତା ନିଶ୍ଚିତ କରାଯିବା ନିମନ୍ତେ ଉପଯୁକ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ । ଯାହା ଅତ୍ୟନ୍ତ ଗୁରୂତ୍ଵପୂର୍ଣ୍ଣ ଓ ଜରୁରୀ ପଦକ୍ଷେପ ଅଟେ । ତେବେ କୌଣସିମତେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ ସତର୍କ କରାଇଛନ୍ତି । ବନ ବିଭାଗ ଅଧିକାରୀମାନେ ଏଥି ନିମନ୍ତେ ଉତ୍ତରଦାୟୀ ହେବା ଆବଶ୍ୟକ ।"
"ଚଳିତ ବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ଘଟିଥିବା ଅସ୍ଵାଭାବିକ ହାତୀମୃତ୍ୟୁ ଘଟଣା ଗୁଡ଼ିକୁ ବନଖଣ୍ଡୱାରୀ ପ୍ରସ୍ତୁତ କରାଯାଇ ପୁଙ୍ଖାନୁପୁଙ୍ଗ ତଦନ୍ତ କରାଯିବ । ଦୋଷୀ ବ୍ୟକ୍ତି ବିଶେଷ ଓ ଅବହେଳା ପ୍ରଦର୍ଶନ କରିଥିବା ବନ ବିଭାଗ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେ ବାବଦରେ ଜଙ୍ଗଲ ମନ୍ତ୍ରୀଙ୍କୁ ଏକ ମାସ ମଧ୍ୟରେ ଜଣାଇବା ପାଇଁ ମନ୍ତ୍ରୀ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।"
ରାଜ୍ୟରେ ହାତୀ ମୃତ୍ୟୁର କିଛି ଘଟଣା:
- ନଭେମ୍ବର ୨ ତାରିଖ ଢେଙ୍କାନାଲରେ ଟ୍ରେନ ଧକ୍କାରେ ଦନ୍ତାର ମୃତ୍ୟୁ ଘଟିଛି । ପୂର୍ବତଟ ରେଳପଥର ଢେଙ୍କାନାଳ ଚିନ୍ତାପୋଖରୀ ନିକଟରେ ଘଟିଥିଲା ଏଭଳି ଏକ ଅଘଟଣ । ୩୫ ଟିକିଆ ହାତୀପଲ ଟ୍ରେନ ଲାଇନ ଅତିକ୍ରମ କରୁଥିବାବେଳେ ଧକ୍କା ଦେଇଥିଲା ଟ୍ରେନ । ମୃତ ଦନ୍ତାର ବୟସ ପ୍ରାୟ ୨୦ ବର୍ଷ ବୋଲି ଜଣାପଡିଥିଲା ।
- ଅକ୍ଟୋବର ୧୭ ତାରିଖରେ ରାଉରକେଲାରେ ଟ୍ରେନ ଧକ୍କାରେ ଏକ ହାତୀ ଛୁଆ ମୃତ୍ୟୁ ଘଟିଥିଲା । ଯାହାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଥିଲେ ପିସିସିଏଫ ସୁଶାନ୍ତ ନନ୍ଦ । ରେଲୱେକୁ ସତର୍କ ସୂଚନା ଦେବା ସତ୍ତ୍ୱେ ମଧ୍ୟ ଟ୍ରେନ ଦୁର୍ଘଟଣାରେ ହାତୀ ଛୁଆର ଜୀବନ ଯାଇଥିଲା । ବର୍ତ୍ତମାନ ଏହାର ତଦନ୍ତ କରୁଛନ୍ତି ଡିଏଫଓ । ଘଟଣା ଦିନ ୩୦ରୁ ୪୦ ହାତୀ ପଲ ରେଳ ଲାଇନ ପାର ହେଉଥିଲେ । ପାର ହେଲା ସମୟରେ ଦୁର୍ଘଟଣା ଘଟିଥିଲା ।
- ଅଗଷ୍ଟ ୩୦ ତାରିଖରେ ଖୋର୍ଦ୍ଧା ଟାଙ୍ଗୀ ନିକଟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ହୋଇଥିଲା । ଟାଙ୍ଗୀ ରେଞ୍ଜ ଡମଣଭୂଇଁ ଭଣ୍ଡାରୀଝର ନିକଟରେ ଦନ୍ତାହାତୀର ମୃତଦେହକୁ ଗ୍ରାମବାସୀ ଦେଖିଥିଲେ । ତେବେ ଦନ୍ତା ହାତୀର ମୃତ୍ୟୁ ବିଦ୍ୟୁତ ଆଘାତ କାରଣରୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଥିଲା । ଖୋର୍ଦ୍ଧା ଡିଏଫଓ ଏହାର ତଦନ୍ତ କରୁଛନ୍ତି ।
- ଭୁବନେଶ୍ବର ଚନ୍ଦକା ଜଙ୍ଗଲରେ ମଧ୍ୟ ଗୋଟିଏ ଦନ୍ତା ହାତୀର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଥିଲା । ଖାଦ୍ୟ ଅନ୍ୱେଷଣରେ ଆସି ପୂର୍ବରୁ ରହିଥିବା ତାରରେ ହାତୀର ଶୁଣ୍ଢ ଲାଗିଯାଇଥିଲା । ବିଦ୍ୟୁତ ଆଘାତ ଏତେ ମାତ୍ରାରେ ରହିଥିଲା ଯେ ଦୀର୍ଘ ସମୟ ଧରି ଛଟପଟ ହୋଇ ଶେଷରେ ଦନ୍ତାହାତୀର ମୃତ୍ୟୁ ଘଟିଥିଲା ।
ଗଲାଣି ୫୦ରୁ ଅଧିକ ହାତୀଙ୍କ ଜୀବନ: