ଓଡିଶା

odisha

ଶ୍ରୀମନ୍ଦିର ଯିବାକୁ ତିଆରି ହେବ ଭୂତଳ ରାସ୍ତା; ନାପସନ୍ଦ କଲେ ସେବାୟତ - Servitors Oppose UNDERGROUND ROAD

By ETV Bharat Odisha Team

Published : Mar 23, 2024, 11:24 AM IST

Proposed Underground Road At Badadanda: ଶୃଙ୍ଖଳିତ ହେବ ଜଗା ଦର୍ଶନ । ଶ୍ରୀମନ୍ଦିରକୁ ଯିବା ପାଇଁ ଭକ୍ତଙ୍କ ଲାଗି ତିଆରି ହେବ ଭୂତଳ ରାସ୍ତା । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ଯିବାକୁ ତିଆରି ହେବ ଭୂତଳ ରାସ୍ତା
ଶ୍ରୀମନ୍ଦିର ଯିବାକୁ ତିଆରି ହେବ ଭୂତଳ ରାସ୍ତା

ଭୂତଳ ରାସ୍ତା

ପୁରୀ: ଶ୍ରୀମନ୍ଦିରରେ ଶୃଙ୍ଖଳିତ ହେବ ଦର୍ଶନ ବ୍ୟବସ୍ଥା । ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତଙ୍କ ଯାତାୟତ ସୁଗମ ପାଇଁ ତିଆରି ହେବ ଭୂତଳ ରାସ୍ତା । ଫଳରେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଓ ସ୍ଥାନୀୟ ଲୋକଙ୍କ ଯାତାୟତରେ କୌଣସି ଅସୁବିଧା ଉପୁଜିବ ନାହିଁ । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଦୋଳବେଦୀ ସମ୍ମୁଖ ରାସ୍ତାରେ ଭୂତଳ ରାସ୍ତା ହେବ । ଏଭଳି କିଛି ପ୍ରସ୍ତାବ ଆସିଛି ଶ୍ରୀମନ୍ଦିର ପରିଚାଳନା କମିଟିକୁ । ତେବେ ଏହି ଭୂତଳ ରାସ୍ତା ହେଲେ ବଡଦାଣ୍ଡରେ ରଥ ଯିବା ନେଇ ଯେଭଳି କୌଣସି ଅସୁବିଧା ନହୁଏ ସେନେଇ ଏଏସଆଇ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବା ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ପରିଚାଳନା କମିଟି ସଦସ୍ୟ ଦୁର୍ଗା ଦାସ ମହାପାତ୍ର ।

ଏହି ଭୂତଳ ରାସ୍ତା ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିବା ବେଳେ ଏ ସମ୍ପର୍କିତ ପ୍ରସ୍ତାବ ଉପରେ କେବଳ ଆଲୋଚନା ହୋଇଛି ବୋଲି ପରିଚାଳନା କମିଟି ସଦସ୍ୟ କହିଛନ୍ତି । ସେପଟେ ଏହି ଭୂତଳ ରାସ୍ତା ନିର୍ମାଣକୁ ନାପସନ୍ଦ କରିଛନ୍ତି ବରିଷ୍ଠ ସେବାୟତ ସୌମେନ୍ଦ୍ର ମୁଦୁଲି । ସେ କହିଛନ୍ତି ଯେ, ଏହି ଭୂତଳ ରାସ୍ତା ନିର୍ମାଣର ଆବଶ୍ୟକତା ନାହିଁ । ଶ୍ରୀମନ୍ଦିର ଚାରିଦ୍ବାର ପୂର୍ବଭଳି ଭକ୍ତଙ୍କ ପାଇଁ ଖୋଲିଦେଲେ ସବୁ ସମସ୍ୟା ସମାଧାନ ହୋଇଯିବ । ଅଯଥା ବିପୁଳ ଟଙ୍କା ଖର୍ଚ୍ଚ କରି ଭୂତଳ ରାସ୍ତା ନିର୍ମାଣ ଦରକାର ନାହିଁ । ସେହିପରି ବଡ଼ଦାଣ୍ଡରେ ନିର୍ମାଣ ହୋଇଥିବା ଏସି ଟନେଲକୁ ମଧ୍ୟ ସେ ସମାଲୋଚନା କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ବଡଦାଣ୍ଡରେ ପ୍ରତିବର୍ଷ ରଥ ଯାଉଥିବାବେଳେ ଏଠି କୌଣସି ସ୍ଥାୟୀ ନିର୍ମାଣ ଠିକ୍ ନୁହେଁ । ଏସି ଟନେଲ ପ୍ରତିବର୍ଷ ଖୋଲିବା ଓ ଲଗାଇବାରେ କୋଟି କୋଟି ଟଙ୍କା ଅଯଥାରେ ବର୍ବାଦ ହେବ । ସେହିପରି ଏହି ଟନେଲରେ ଏସି ଚାଲିବା ପାଇଁ ମାସକରେ ୭ ଲକ୍ଷରୁ ଅଧିକ ବିଦ୍ୟୁତ ବିଲ ଆସିବା ଶ୍ରୀମନ୍ଦିର ପ୍ରଶାସନ ପାଇଁ ବେଶ୍ କଷ୍ଟଦାୟକ । ଏଣୁ ଶ୍ରୀମନ୍ଦିର ଚାରିଦ୍ବାର ଭକ୍ତଙ୍କ ଖୋଲିଦେଲେ ଏସି ଟନେଲ ଏବଂ ଭୂତଳ ରାସ୍ତା ନିର୍ମାଣ ଆବଶ୍ୟକ ପଡ଼ିବ ନାହିଁ । ଭକ୍ତଙ୍କ ପ୍ରବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦୋଳବେଦୀ ଦେଇ ବାରିକେଡ ନିର୍ମାଣ କରିଛି । ଫଳରେ ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ଦର୍ଶନ କରି ଫେରୁଥିବା ଭକ୍ତ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଟଳିଲା ଭୟ, ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ 90% ଶେଷ


ଭକ୍ତଙ୍କ ଯାତାୟତ ପାଇଁ ବାରିକେଡରେ ସ୍ଥାୟୀ ଗେଟ୍ ଲଗାଇ ବନ୍ଦ କରାଯାଉଥିବାରୁ ସ୍ଥାନୀୟ ବାସିନ୍ଦା ବାସେଳି ସାହି, ହରଚଣ୍ଡି ସାହି, ଲୋକନାଥ ରୋଡ଼, ମାର୍କଣ୍ଡେଶ୍ୱର ସାହି, ଓଡିଆ ମଠ, ମିଶ୍ର ସାହିର ହଜାର ହଜାର ଲୋକ ଦୈନନ୍ଦିନ କାର୍ଯ୍ୟ ଠିକ୍ ଭାବେ କରି ପାରୁନାହାନ୍ତି । ଛାତ୍ରଛାତ୍ରୀ ସ୍କୁଲ କଲେଜ ଏବଂ ରୋଗୀ ମେଡ଼ିକାଲ ଯାଇ ପାରୁନାହାନ୍ତି । ଯେଉଁ ଭକ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଫେରୁଛନ୍ତି ସେମାନେ ବି ଗେଟ୍ ବନ୍ଦ ବେଳେ ଫସି ରହୁଛନ୍ତି । ଗେଟ୍ ଖୋଲିବା ପରେ ଅସମ୍ଭାଳ ଭିଡ ଯୋଗୁଁ ଯାତାୟତ ବେଶ୍ ଅସୁବିଧା ହେଉଥିବା ବେଳେ ଅନେକ ସମୟରେ ଦୁର୍ଘଟଣା ଘଟୁଛି ।

ଡ୍ୟୁଟିରେ ଥିବା ପୋଲିସ୍ କର୍ମଚାରୀ ଟ୍ରାଫିକ କଣ୍ଟ୍ରୋଲରେ ନକେଦମ୍ ହେଉଛନ୍ତି । ଏହି ସମସ୍ୟା ସମାଧାନ କରିବା ପାଇଁ ବାରମ୍ବାର ଦାବି ପରେ ଦୋଳବେଦୀ ରାସ୍ତାରେ ଯାତାୟତ ସମସ୍ୟା ସମାଧାନ ପାଇଁ ଏକ ଭୂତଳ ରାସ୍ତା ପାଇଁ ପ୍ରଶାସନ ଚିନ୍ତା କରୁଛି । ହେଲେ ଏହାକୁ ମଧ୍ୟ ବିରୋଧ କରାଯାଉଛି । ଶ୍ରୀମନ୍ଦିର ଚାରିଦ୍ଵାର ଭକ୍ତଙ୍କ ପାଇଁ ଖୋଲିଲେ ହିଁ ସବୁ ସମସ୍ୟା ସମାଧାନ ହେବ ବୋଲି ସେବାୟତ ମତ ଦେଇଛନ୍ତି । ସେପଟେ ଶ୍ରୀମନ୍ଦିର ସେବାୟତ, ସ୍ଥାନୀୟ ବାସିନ୍ଦାଙ୍କ ବିନା ମତାମତରେ ପୁରୀ ଜିଲ୍ଲା ପ୍ରଶାସନ ସବୁବେଳେ ଏକପାଖିଆ ପଦକ୍ଷେପ ନେଉଥିବାରୁ ପୁରୀ ବାସିନ୍ଦା ଜିଲ୍ଲାପାଳ ଓ ଏସପିଙ୍କୁ ସମାଲୋଚନା କରିଛନ୍ତି ।


ଇଟିଭି ଭାରତ, ପୁରୀ

ABOUT THE AUTHOR

...view details