ଭୁବନେଶ୍ବର: ଆଜି ରାଜଧାନୀରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ ତମ ଜନ୍ମମହୋତ୍ସବ ସହ ୨୯ତମ ଶ୍ରୀବିଗ୍ରହ ପ୍ରତିଷ୍ଠା ଦିବସ ପାଳନ ହୋଇଛି । ଭୁବନେଶ୍ୱରର ମଞ୍ଚେଶ୍ୱର ରେଲୱେ ପଡ଼ିଆରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ଏହି ଉତ୍ସବ ଖୁବ୍ ଧୁମଧାମରେ ଆୟୋଜିତ ହୋଇଯାଇଛି । ଦିନିକିଆ ଏହି କାର୍ଯ୍ୟକ୍ରମରେ ଭଜନ କୀର୍ତ୍ତନ, ନାମ ସଂକୀର୍ତ୍ତନ ସହ ଯାଜନ କରାଯାଇଥିଲା । ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ ଯୋଗ ଦେଇଥିଲେ ।
ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଦୀକ୍ଷାରେ ଦୀକ୍ଷିତ ଓ ଅଣ ଦୀକ୍ଷିତ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କେବଳ ଓଡ଼ିଶା ନୁହେଁ ବିଭିନ୍ନ ରାଜ୍ୟରୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଥିଲା । ରାଜ୍ୟପାଳ ଯୋଗ ଦେବା ସହ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଦାୟଦଙ୍କ ସହ ସାକ୍ଷାତ କରିଥିଲେ । ଏହାସହ ଜୀବନରେ ଗୁରୁଙ୍କର ଆବଶ୍ୟକତା ଓ ତାଙ୍କ ଆଦର୍ଶ ସମ୍ପର୍କରେ ଅଭିଭାଷଣ ରଖିଥିଲେ ରାଜ୍ୟପାଳ ।
ତେବେ ଜାତି ଧର୍ମବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାକାର ହୋଇ ଏହି ମହୋତ୍ସବର ପେଣ୍ଡାଲରେ ଭକ୍ତି ଗୀତ ପରିବେଷଣ ସହ ପାରମ୍ପରିକ ବାଦ୍ୟ ତାଳରେ ନାଚି ଉଠିଥିଲେ । ନଗର କୀର୍ତ୍ତନ ସହ ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ । ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜୀବନ ଦର୍ଶନୀକୁ ନେଇ ଅନେକ କଥା ଏଠାରେ ଉପବେଶନ କରାଯାଇଥିବ ବେଳେ ମାତୃ ଭକ୍ତି ପାଇଁ ସେ କିଭଳି ନିଜର ପରାକାଷ୍ଠା ଦେଖାଇଥିଲେ ସେନେଇ ମଧ୍ୟ ଆଲୋକପାତ କରାଯାଇଥିଲା । ତେବେ ଭଜନ କୀର୍ତ୍ତନ ସହ ମହିଳାମାନକଙ୍କ ମାତୃ ସମ୍ମିଳନୀ ଲୋକଙ୍କୁ ବେଶ ଆକର୍ଷିତ କରିଥିଲା ।
ଏହା ମଧ୍ୟ ପଢନ୍ତୁ ....ଧରଣୀଧର ବିଶ୍ବବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ, ଯୋଗଦେଲେ ମୁଖ୍ୟ ଶାସନ ସଚିବ