ବାଲେଶ୍ଵର:ଜିଲ୍ଲାରୁ ମଥୁରା ଗଡ଼ିଲା ତୀର୍ଥଯାତ୍ରୀ ଟ୍ରେନ । ଆଜି (ଶନିବାର) ଦିନ ବାଲେଶ୍ଵର ରେଳ ଷ୍ଟେସନରୁ ମଥୁରା ଅଭିମୁଖେ ତୀର୍ଥଯାତ୍ରୀଙ୍କୁ ନେଇ ଗଡ଼ିଛି ସ୍ବତନ୍ତ୍ର ଟ୍ରେନ । ଏ ବର୍ଷର ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାର ଅନ୍ତିମ ଟ୍ରେନ ୯୭୦ଜଣ ତୀର୍ଥଯାତ୍ରୀଙ୍କୁ ନେଇ ମଥୁରା ଅଭିମୁଖେ ବାହାରିଛି । ଏନେଇ ଆଜି ରେଳ ପ୍ଲାଟଫର୍ମରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଆଦି ୫ଟି ଜିଲ୍ଲାର ୯୭୦ଜଣ ବରିଷ୍ଠ ତୀର୍ଥଯାତ୍ରୀ ଓ ସମ୍ମିଳିତ ଜିଲ୍ଲାଗୁଡିକର ୩୦ ଜଣ ଏସ୍କର୍ଟ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ରେଳ ଆଗ୍ରା-ମଥୁରା ତୀର୍ଥସ୍ଥାନକୁ ଯାତ୍ରା କରିଛି ।
ଏହି ତୀର୍ଥଯାତ୍ରା ପାଇଁ ଚୟନ ହୋଇଥିବା ଯାତ୍ରୀମାନେ ଗତ ୧ ତାରିଖରେ ଜିଲ୍ଲା ପ୍ରଶାସନ ସହାୟତାରେ ନିଜ ଗ୍ରାମରୁ ସଦର ମହକୁମା ଏବଂ ସେଠାରୁ ବାଲେଶ୍ୱରର ପଦ୍ମାବତୀ ପାର୍କକୁ ଅପରାହ୍ନ ୩ ଟା ସମୟରେ ଆସି ପହଞ୍ଚିବା ପରେ ସେଠାରେ ସେମାନଙ୍କର ପଞ୍ଜିକରଣ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଭବ୍ୟ ସ୍ୱାଗତ କରାଯାଇଥିଲା । ସରକାରୀ ଭାବେ ସେମାନଙ୍କର ରହଣି, ଖାଦ୍ୟପାନୀୟ ଆଦିର ବ୍ୟବସ୍ଥା ସହ ମନୋରଞ୍ଜନ ପାଇଁ ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା ।
ଆଜି ସକାଳେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ବ୍ୟବସ୍ଥାରେ ସେମାନଙ୍କୁ ରେଳ ଷ୍ଟେସନ ଅଣାଯାଇ ପାରମ୍ପରିକ ନୃତ୍ୟ ଗୀତ ମାଧ୍ୟମରେ ଷ୍ଟେସନ ପ୍ରବେଶ କରାଯାଇଥିଲା । ଆଇ.ଆର.ସି.ଟି.ସି. ତରଫରୁ ଫୁଲ, ଚନ୍ଦନ ଓ ମାଳା ଦେଇ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ପ୍ରବେଶ ସ୍ଥଳରେ ସେମାନଙ୍କୁ ଯାତ୍ରାର ଟିକେଟ୍ ଏବଂ ଆବଶ୍ୟକୀୟ ସାମଗ୍ରୀ ଥିବା କିଟ୍ ପ୍ରଦାନ କରାଯାଇଥିଲା । ଆଇ.ଆର.ସି.ଟି.ସି. ଦ୍ୱାରା ଯାତ୍ରା ସମୟରେ ସମସ୍ତ ତୀର୍ଥଯାତ୍ରୀମାନଙ୍କର ରହିବା, ଯିବା ଆସିବା, ଖାଦ୍ୟପାନୀୟରେ ବ୍ୟବସ୍ଥା ସହ ଗସ୍ତ ଜଗୁଆଳି, ପଥପ୍ରଦର୍ଶକ, ଯାତ୍ରୀ ବୀମା ଏବଂ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି । ଏହି ଯାତ୍ରା ନିମନ୍ତେ ବାଲେଶ୍ୱର ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଏକ ସଭାର ଆୟୋଜନ କରାଯାଇଥିଲା । ଯେଉଁଥିରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗର ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ, ଓ.ଟି.ଡି.ସି ଅଧ୍ୟକ୍ଷ ଲେନିନ ମହାନ୍ତି ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଉପଦେଷ୍ଟା ଦୁର୍ଗା ସାମନ୍ତରାୟ ଓ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ବାଲମୁକୁନ୍ଦ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ ।