ପୁରୀ:ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏହି ଅବସରରେ ଉତ୍ସବ ମୁଖର ଶ୍ରୀମନ୍ଦିର । ଆଜି ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ତଥା ସୁନା ବେଶ ଅନୁଷ୍ଠିତ ହେଇଥାଏ । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ପରେ ଏହି ସୁନାବେଶ ଅନୁଷ୍ଠିତ ହେବ । ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।
ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପ୍ରଭୁ ଦୋଳ ଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ଦୋଳ ବିମାନରେ ବିଜେ କରି ଦୋଳବେଦୀକୁ ଯିବେ । ସେଠାରେ ଝୁଲଣରେ ଅବସ୍ଥାନ କରି ଭକ୍ତଙ୍କ ସହ ଫଗୁ ଖେଳିବେ । ଘଣ୍ଟଘଣ୍ଟା, ଶଙ୍ଖ ଓ ହୁଳହୁଳିରେ ପ୍ରକମ୍ପିତ ହୋଇଥାଏ ପରିବେଶ । ଏହି ଅବସରରେ ମହାପ୍ରଭୁଙ୍କୁ ଦୋଳ ବେଦୀରେ ଦର୍ଶନ ସହ ଫଗୁ ଖେଳିବା ପାଇଁ ହଜାର ହଜାର ଭକ୍ତ ଉତ୍କଣ୍ଠାର ସହ ଚାହିଁଛନ୍ତି । ଶ୍ରୀମନ୍ଦିରରୁ ଖଇକୋରା ପ୍ରସାଦ ପାଇ ଦୋଳଗୋବିନ୍ଦ, ଶ୍ରୀଦେବୀ, ଭୁଦେବୀ ଭୋଇ ପାଇ ଦୋଳବେଦୀକୁ ବିଜେ କରିବା ସମୟରେ ଏପରି ନିଆରା ଦୃଶ୍ୟକୁ ବେଶ୍ ଉପଭୋଗ କରିଥାନ୍ତି ଭକ୍ତ । ପାଲିଙ୍କିରେ ଝୁଲିଝୁଲି ୨୧ ଘେରା ପରିକ୍ରମା କରି ଝୁଲଣ ମଣ୍ଡପକୁ ବିଜେ କରିଥାନ୍ତି ମହାପ୍ରଭୁ ଦୋଳଗୋବିନ୍ଦ ।
ଏହା ମଧ୍ୟ ପଢନ୍ତୁ-ହୋଲିକା ଦହନକୁ ଧୁମଧାମରେ ପାଳିଲେ ବଲାଙ୍ଗୀରବାସୀ