ଓଡିଶା

odisha

ETV Bharat / state

ନୂଆବର୍ଷ ପାଇଁ ସମଲେଶ୍ୱରୀ ମନ୍ଦିରରେ ସ୍ୱତନ୍ତ୍ର ପ୍ରସ୍ତୁତି - SAMALESWARI TEMPLE

ଜାନୁଆରୀରୁ ଆରମ୍ଭ ହେବ ମହାନଦୀ ଆଳତି l କାଲି ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନା । ନୀତି ନିର୍ଘଣ୍ଟ ସହ ବିଶେଷ ପ୍ରସ୍ତୁତି କରିଛି ମନ୍ଦିର ବୋର୍ଡ ।

ନୂଆବର୍ଷ ପାଇଁ ସମଲେଶ୍ୱରୀ ମନ୍ଦିରରେ ସ୍ୱତନ୍ତ୍ର ପ୍ରସ୍ତୁତି
ନୂଆବର୍ଷ ପାଇଁ ସମଲେଶ୍ୱରୀ ମନ୍ଦିରରେ ସ୍ୱତନ୍ତ୍ର ପ୍ରସ୍ତୁତି (ETV Bharat Odisha)

By ETV Bharat Odisha Team

Published : Dec 31, 2024, 7:19 PM IST

ସମ୍ବଲପୁର:ରାତି ପାହିଲେ ଇଂରାଜୀ ନୂତନ ବର୍ଷ 2025ର ପ୍ରଥମ ଦିନ l ବର୍ଷର ପ୍ରଥମ ଦିନରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥାଏ l ଏହାକୁ ଦୃଷ୍ଟିରେ ରଖି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି l ଏନେଇ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି l

  • ସକାଳ 6ରୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ସଞ୍ଜୟ କହିଛନ୍ତି,‘‘ ନୂଆ ବର୍ଷ ପାଇଁ ଟ୍ରଷ୍ଟ ମନ୍ଦିରର ପୂଜକ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସହ ଆଲୋଚନା କରି ସମସ୍ତ ବ୍ୟବସ୍ଥା କରାଯାଇଛି l ନୂଆବର୍ଷ ଦିନ ସକାଳେ ମଙ୍ଗଳ ଆଳତି ପରେ ଶ୍ରଦ୍ଧାଳୁଙ୍କ ପାଇଁ 6ଟାରେ ମନ୍ଦିର ଦ୍ଵାରକୁ ଖୋଲାଯିବ l ସକାଳ 6 ରୁ 11ଟା 45 ପର୍ଯ୍ୟନ୍ତ ଭକ୍ତମାନେ ମା’ଙ୍କ ଦର୍ଶନ କରିପାରିବେ । ଏହା ପରେ 11 ଟା 45ରୁ ପୂର୍ବାହ୍ନ 12ଟା 30 ପର୍ଯ୍ୟନ୍ତ ମା’ଙ୍କ ଅନ୍ନଭୋଗ ଲାଗି ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ l ପରେ ଅପରାହ୍ନ 12ଟା 30 ରୁ ସନ୍ଧ୍ୟା 7 ଟା 45 ପର୍ଯ୍ୟନ୍ତ ମା’ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ପରେ ସନ୍ଧ୍ୟା 7ଟା 45 ରୁ ସନ୍ଧ୍ୟା 8ଟା 30 ପର୍ଯ୍ୟନ୍ତ ସନ୍ଧ୍ୟା ମହା ଆଳତି ପାଇଁ ଦର୍ଶନ ବନ୍ଦ ରହିବ । ପୁନଶ୍ଚ ରାତ୍ର 8ଟା 30ରୁ ରାତ୍ର 10 ଟା 30 ପର୍ଯ୍ୟନ୍ତ ଦର୍ଶନ ମିଳିବ ଓ ମା’ଙ୍କ ପହଡ଼ ହେବ । ତେବେ ରାତି 9 ଟା ରୁ 9 ଟା 15 ଯାଏ ମା ଙ୍କ ଅନ୍ନଭୋଗ ପାଇଁ 15 ମିନିଟ୍‌ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଟ୍ରଷ୍ଟ ବୋର୍ଡ ସଭାପତି l

ନୂଆବର୍ଷ ପାଇଁ ସମଲେଶ୍ୱରୀ ମନ୍ଦିରରେ ସ୍ୱତନ୍ତ୍ର ପ୍ରସ୍ତୁତି (ETV Bharat Odisha)
  • ସରିଛିି ନୀତି ନିର୍ଘଣ୍ଟ

ଏହି ନିର୍ଘଣ୍ଟ ଅନୁସାରେ ଶ୍ରଦ୍ଧାଳୁମାନେ ଦକ୍ଷିଣା ପ୍ରଦାନ କରି ବିଶେଷ ଦର୍ଶନ କରିବାର ସୁବିଧା ମଧ୍ୟ ଉପଲବ୍ଧ ହେବ । ତେବେ ନୂଆ ବର୍ଷରେ ଭକ୍ତମାନେ ଆଣୁଥିବା ଭୋଗ ମା’ଙ୍କୁ ସମର୍ପଣ ହେବ ଓ ଟ୍ରଷ୍ଟ ବୋର୍ଡ ଦ୍ବାରା ମନ୍ଦିର ବାହାରେ ଭକ୍ତମାନଙ୍କୁ ଶୁଖିଲା ଭୋଗ ଦିଆଯିବ । ଏହା ସହ ନୂଆବର୍ଷରେ ଭକ୍ତଙ୍କ ପ୍ରବଳ ଗହଳିକୁ ନଜରରେ ରଖି ମନ୍ଦିର ବାହାରେ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି l

ନୂଆବର୍ଷ ପାଇଁ ସମଲେଶ୍ୱରୀ ମନ୍ଦିରରେ ସ୍ୱତନ୍ତ୍ର ପ୍ରସ୍ତୁତି (ETV Bharat Odisha)
ନୂଆବର୍ଷ ପାଇଁ ସମଲେଶ୍ୱରୀ ମନ୍ଦିରରେ ସ୍ୱତନ୍ତ୍ର ପ୍ରସ୍ତୁତି (ETV Bharat Odisha)
  • ଆରମ୍ଭ ହେବ ମହାନଦୀ ଆଳତି

ଅନ୍ୟପଟେ ଜାନୁଆରୀ ମାସରୁ ସମ୍ବଲପୁରର ସମଲେଇ ଘାଟରେ ଆରମ୍ଭ ହେବ ମହାନଦୀ ଆଳତୀ l ଏଥିପାଇଁ ଦ୍ରୁତ ଗତିରେ କାମ ଚାଲୁଛି l ମହାନଦୀ ଆଳତୀ ପାଇଁ ଏକ ସମ୍ବଲପୁରୀ ଭାଷାରେ ଭଜନ ତିଆରି କରାଯାଉଛି । ଏହା ସହ ଏଥିପାଇଁ ଏକ ଭଲ ସାଉଣ୍ଡ ସେଟର ବ୍ୟବସ୍ଥା କରାଯିବ । ଏହି କାର୍ଯ୍ୟ ରେ ସମ୍ବଲପୁର ଜିଲ୍ଲାପାଳ ସହାୟତା କରୁଛନ୍ତି । ଯେଉଁ ଯୁବ ପୂଜକମାନେ ମହାନଦୀ ଆଳତିରେ ଭାଗ ନେବେ ସେମାନଙ୍କୁ ନେଇ ରେହେଲସେଲ ଯଥାଶୀଘ୍ର କରାଯିବ । ତେବେ ଜାନୁଆରୀ ମାସରୁ ହିଁ ମହାନଦୀ ଆଳତି ସମଲେଇ ଘାଟରେ ଆରମ୍ଭ ହେବ । ମହାନଦୀ ଆଳତି ଶୁଭାରମ୍ଭ ଦିନ ସମ୍ବଲପୁରର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯିବ ବୋଲି କହିଛନ୍ତି ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ l

ନୂଆବର୍ଷ ପାଇଁ ସମଲେଶ୍ୱରୀ ମନ୍ଦିରରେ ସ୍ୱତନ୍ତ୍ର ପ୍ରସ୍ତୁତି (ETV Bharat Odisha)
ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details