ପୁରୀ:ବିଶ୍ଵ ପଖାଳ ଦିବସକୁ ନେଇ ଚଳଚଞ୍ଚଳ ପୁରପଲ୍ଲୀ । ଓଡିଆଙ୍କ ଅତି ପ୍ରିୟ ଖାଦ୍ୟ ପଖାଳକୁ ସାରା ବିଶ୍ଵରେ ପ୍ରଚାର ପ୍ରସାର ପାଇଁ ଏହି ବିଶ୍ଵ ପଖାଳ ଦିବସର ପରିକଳ୍ପନା । କିଛି ବର୍ଷ ତଳେ କିଛି ଓଡିଆ ସୋସିଆଲ ମିଡ଼ିଆରେ ମାର୍ଚ୍ଚ 20କୁ ବିଶ୍ଵ ପଖାଳ ଦିବସ ଭାବେ ପାଳନ ଆରମ୍ଭ କରିଥଲେ । ପରେ ଏହା ବେଶ ଆଦୃତ ହୋଇଥଲା । ପ୍ରତ୍ୟେକ ଓଡିଆ ମାର୍ଚ୍ଚ 20କୁ ବିଶ୍ଵ ପଖାଳ ଦିବସ ଭାବେ ପାଳନ କରୁଛନ୍ତି ।
ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ କୋଟି ଓଡିଆଙ୍କ ମଉଡମଣି ମହାପ୍ରଭୁ ଶ୍ରଜଗନ୍ନାଥଙ୍କର ମଧ୍ୟ ଅତି ପ୍ରିୟ ଖାଦ୍ୟ । ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତିରେ ବିଭିନ୍ନ ଧୁପରେ ଭିନ୍ନ ଭିନ୍ନ ପଖାଳ ଭୋଗ ଲାଗି ହୋଇଥାଏ । ମହାପ୍ରଭୁ ରାତିରେ ବଡ ସିଂହାର ବେଶରେ ପଖାଳ ଖାଇ ଶୟନ କରିଥାନ୍ତି । ମହାପ୍ରଭୁଙ୍କ ପ୍ରତିଦିନ ତିନିବେଳା ପଖାଳ ଭୋଗ ଲାଗି ହୋଇଥାଏ । ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦ୍ବିପ୍ରହର ଧୂପରେ ୯ ଓଳି ସୁବାସିତ ପଖାଳ ଭୋଗ ହୁଏ । ମଲ୍ଲୀ ଓ ଜୁଇ ଭଳି ଫୁଲକୁ ପାଣିରେ ପକାଇ ରଖାଯାଏ | ଉକ୍ତ ପାଣିରୁ ଫୁଲକୁ ଛାଣି ସେଥିରେ ପଖାଳ ପ୍ରସ୍ତୁତ କରାଯାଏ । ସନ୍ଧ୍ୟା ଧୂପରେ ଦହି ପଖାଳ ଭୋଗ ହୁଏ । ଦହି, ଜିରା, ଅଦା, ଲୁଣ ଆଦିରେ ପ୍ରସ୍ତୁତ ଦହି ପଖାଳ ଭୋଗ କରାଯାଏ । ସେହିଭଳି ବଡ଼ସିଂହାର ପୂର୍ବରୁ ଅର୍ଥାତ ମହାପ୍ରଭୁ ଶୟନ ପୂର୍ବରୁ ମଧ୍ୟ ତାଙ୍କ ନିକଟରେ ମିଠା ପଖାଳ ଲାଗି ହୋଇଥାଏ ।
ସେହିପରି ଅକ୍ଷୟ ତୃତୀୟା ପରଦିନଠାରୁ ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ପର୍ଯ୍ୟନ୍ତ ପ୍ରାୟ ଦେଢ଼ ମାସ ଯାତ ଭୋଗରେ ପିଠାପଣା ସହ ପଖାଳ ଭୋଗ ହୁଏ । ମକର ସଂକ୍ରାନ୍ତିରେ ମଧ୍ୟ ସ୍ବତନ୍ତ୍ର ପଖାଳ ଭୋଗ ହୁଏ । ମହାପ୍ରଭୁ ରଥରେ ଆସି ଗୁଣ୍ଡିଚା ଘର ଆଡ଼ପ ମଣ୍ଡପରେ ରହିବା ବେଳେ ମଧ୍ୟ ପଖାଳ ଭୋଗ କରାଯାଏ । ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରିୟ ଖାଦ୍ୟ । ପ୍ରଭୁଙ୍କ ପାଇଁ ସେବକମାନେ ଅତି ପବିତ୍ର ଭାବେ ରୋଷଶାଳାରେ ଏହାକୁ ପ୍ରସ୍ତୁତ କରିଥାଆନ୍ତି । ଭକ୍ତମାନେ ମହାପ୍ରଭୁଙ୍କ ଏହି ସୁସ୍ବାଦୁ ପଖାଳ ଅବଢ଼ାକୁ କିଣି ଥାଆନ୍ତି।