ଭୁବନେଶ୍ବର: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ପୋଲିସକୁ ଘାରିଛି କଳା କାଚ କାରବାର ଚିନ୍ତା। ଗାଡ଼ିରେ କଳା କାଚ ବ୍ୟବହାର କରୁଥିଲେ ହୋଇଯାନ୍ତୁ ସତର୍କ। କାରଣ କଳା କାଚ ଥିବା କାର ଉପରେ ଏବେ ପଡ଼ିଛି ପୋଲିସର ନଜର। ନିର୍ବାଚନକୁ ଆଖି ଆଗରେ ରଖି ଟ୍ବିନିସିଟିରେ କଳା କାଚ କାର ବ୍ୟବହାରକାରୀଙ୍କୁ ଧରପଗଡ଼ ଜୋରଦାର ହେବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିସନର ସଞ୍ଜୀବ ପଣ୍ଡା । ନିର୍ବାଚନକୁ ଆଖି ଆଗରେ ରଖି ଜିରୋ ଟଲେରାନ୍ସ ପଲିସି ଆପଣାଇଛି କମିଶନରେଟ ପୋଲିସ। ଏନେଇ ସହରରେ ଅବାଧ ଓ ଶାନ୍ତି ଶୃଙ୍ଖଳା ନିର୍ବାଚନ ପାଇଁ ପୋଲିସ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛି। ସହରରେ ଏବେଠୁ ବ୍ଲକିଂ, ଚେକିଂ ଓ ଫୋର୍ସ ମୋବିଲାଇଜେସନ ହୋଇଛି। ଏନେଇ କଳା କାଚ ବ୍ୟବହାର କରୁଥିବା ଲୋକଙ୍କୁ ସାବାଡ଼ ପାଇଁ ଅଣ୍ଟା ଭିଡିଛି ପୋଲିସ।
ଗାଡ଼ିରେ କଳା କାର୍ କାଚ ଆଢୁଆଳରେ ନିର୍ବାଚନ ପରିସ୍ଥିତି ବିଗାଡିଲା ଭଳି ଉପୁଜିବାର ଆଶଙ୍କା ରହିଛି । ଏଥର ବିଭିନ୍ନ ଗଳି କନ୍ଦି, ନିଛାଟିଆ ଅଞ୍ଚଳରେ କଳା କାଚ ଥିବା ଗାଡି ଉପରେ ତୁରନ୍ତ ଚଢ଼ାଉ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । କାରଣ କଳା କାଚର ଆଢୁଆଳରେ ଭୋଟରଙ୍କୁ ପ୍ରଭାବିତ କଲା ଭଳି ସାମଗ୍ରୀ ଯେପରିକି ଟଙ୍କା କାରବାରଠୁ ଆରମ୍ଭ କରି ଗିଫ୍ଟ ଆଇଟମ ବା ଅନ୍ୟାନ୍ୟ ସାମଗ୍ରୀ କାରବାର ହେବାର ଭୟ ରହିଛି । ଏଥିରେ ରୋକ ଲଗାଇବାକୁ ବିଭିନ୍ନ ଛକ ଓ ଟ୍ରାଫିକ ପୋଷ୍ଟ ସହ ସହରକୁ ପ୍ରବେଶ କରୁଥିବା ସ୍ଥାନ ଓ ପ୍ରସ୍ଥାନ ଉପର ଜଗିବ କମିଶନରେଟ ପୋଲିସ। ବିଶେଷ କରି କଳାକାଚ ବ୍ୟବହାର କରି କାର ଚଳାଇଯାଉଥିଲେ ସେହି ସବୁ ଗାଡିକୁ ଅଟକାଇବ ପୋଲିସ। ଏନେଇ ଡ୍ରାଇଭରଠାରୁ କଳାକାଚ ବ୍ୟବହାର ପାଇ ଫାଇନ କାଟିବା ସହ ଏହାକୁ ତୁରନ୍ତ ଗାଡିରୁ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯିବ ।
ସୂଚନା ଅନୁସାରେ, ଗାଡି କିଣିବା ସମୟରେ ସେପରି ଫିଚର ଦିଆଯାଇନଥାଏ। କିନ୍ତୁ କିଛି ଲୋକ ଏସି ଚଲାଇବା ବା ଖରା ପଡିବା ବାହାନା ଦେଖାଇ କଳାକାଚ ବ୍ୟବହାର କରୁଛନ୍ତି । ଫଳରେ ଏହାର ମୌକାରେ ଅନୈତିକ କାରବାର ବା ଅସାମାଜିକ କାମ ବୃଦ୍ଧି ପାଉଛି। ଏନେଇ 2012 ମସିହାରେ ମେ ୪ ତାରିଖରେ ଏଭଳି କଳା କାଚ ବ୍ୟବହାର ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ। ଏଭଳି କଳାକାଚ ପାଇଁ ଅପହରଣ , ଅସଦାଚରଣ ଓ ଦୁଷ୍କର୍ମ ଭଳି ମହିଳା ବିରୋଧୀ ଅସାମାଜିକ କାମ ଘଟିବାର ଆଶଙ୍କା କରି ଏଭଳି ନିର୍ଦ୍ଦେଶନାମା ଦିଆଯାଇଥିଲା । ଯାହକୁ ନେଇ ଏଭଳି କଳାକାଚ ବ୍ୟବହାର ଉପରେ ମଧ୍ୟ ପରିବହନ ବିଭାଗର ମୋଟର ଭେଇକିଲ ଆକ୍ଟ ୧୭୭ ଧାରା ଆଧାରରେ କାର୍ଯ୍ୟାନୁଷ୍ଠାନ ନେବାର ପ୍ରାବଧାନ ରହିଛି ।