ଭୁବନେଶ୍ବର: ବାଇକରୁ ଆସୁଥିବା ବିକଟାଳ ଶବ୍ଦକୁ ନେଇ ମୁଖ୍ୟମନ୍ତ୍ରୀ ଖପ୍ପା । ଏଣିକି ଭଡଭଡ ସାଉଣ୍ଡ କରି ଚଳାଇ ପାରିବେନି ଗାଡ଼ି । ଭୁବନେଶ୍ୱରରେ ସଡକ ସୁରକ୍ଷା ନେଇ ପୋଲିସ ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିକଟାଳ ଶବ୍ଦ କରି ଗାଡି ଚଳାଉଥିବା ବାଇକ ଆରୋହୀଙ୍କୁ ଧରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କମିସନରେଟ୍ ପୋଲିସର ଧରପଗଡ ଜାରି । ୧୦୦ରୁ ଅଧିକ ବିକଟାଳ ଶବ୍ଦ ସୃଷ୍ଟି କରି ମୋଟର ସାଇକେଲର ସାଇଲେନ୍ସର ପାଇପ୍ ଜବତ କରିଛି ପୋଲିସ ।
- ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ:
ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ରକହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଡିଜି ଓ ପୋଲିସ କମିଶନରଙ୍କ ତତ୍ତ୍ବାବଧାନରେ ସଡକ ସୁରକ୍ଷା ସମ୍ପର୍କିତ ଧରପଗଡ ଜାରି କରାଯାଇଛି । ବେପରୁଆ ଗାଡି ଚାଳନା, ମଦ୍ୟପାନ କରି ଗାଡିଚାଳନା ଓ ଶବ୍ଦ ପ୍ରଦୂଷଣକାରୀ ମୋଟରସାଇକେଲ, ବେନିୟମ ସାଇଲେନ୍ସର ପାଇପ୍ ବ୍ୟବହାର କରୁଥିବା ଗାଡି, ବିକଟାଳ ଶବ୍ଦ କରୁଥିବା ଗାଡ଼ି ଦ୍ବାରା ସମାଜରେ ବିଶୃଙ୍ଖଳା ସୃଷ୍ଟି ହେଉଛି । ଏହାକୁ କଡ଼ାକଡ଼ି ଭାବେ ଧରପଗଡ଼ କରିବା ସହ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ କରାଯାଉଥିବା ଧରପଗଡ଼କୁ ଜୋରଦାର କରିବା ପାଇଁ ସ୍ବତନ୍ତ୍ର ଡ୍ରାଇଭ୍ ଜାରି ରହିଛି । ଏବେ ବରିଷ୍ଠ ଅଧିକାରୀଙ୍କୁ ଏହି ଡ୍ରାଇଭରେ ସାମିଲ କରଯାଇଛି ।"
- ବିକଟାଳ ଶବ୍ଦ କରୁଥିବା ଗାଡ଼ିକୁ ଗୋଡାଇ ଧରୁଛି ପୋଲିସ:
ଭୁବନେଶ୍ୱର ଡିସିପିଙ୍କ ସୂଚନା ଅନୁସାରେ, ଭୁବନେଶ୍ବରରେ ଗୋଟିଏ ଦିନରେ ୧୦୦ରୁ ଅଧିକ ବିକଟାଳ ଶବ୍ଦ କରୁଥିବା ଗାଡ଼ିର ସାଇଲେନ୍ସର ପାଇପ ଜବତ କରାଯାଇଛି । ସାଇଲେନ୍ସର କଢାଯିବା ପରେ ଗାଡ଼ିକୁ କୋର୍ଟରେ ଫାଇନ ଦେଇ ଲୋକ ନେଇପାରବେ । ଏଥିସହ ରାତ୍ରିକାଳୀନ ଡ୍ରଙ୍କନ ଡ୍ରାଇଭ ଜାରି କରାଯାଇଛି । ୧୦ଟି ଜାଗାରେ ଚେକିଂ କରାଯାଇଥିଲା । ଏଥିପାଇଁ ପୋଲିସ ରାତିରେ ବହୁ ଗାଡିକୁ ମୋଟର ଭେଇକିଲ ଆକ୍ଟରେ ଚାଲାଣ କାଟିଛି । MV Act Penal Provision 52, 182ରେ ଏନଫୋର୍ସମେଣ୍ଟ କରିବା ପାଇଁ ପୋଲିସ ପାଖରେ ନିୟମ ରହିଛି । ଅନେକ ବାଇକ ଚାଳକ ବିକଟାଳ ଶବ୍ଦ କରି ଗାଡି ଚଲାଉଛନ୍ତି । ଯାହାଦ୍ବାରା ୮୦ ଡେସିମିଲରୁ ଅଧିକ ବିକଟାଳ ଶବ୍ଦ ଦ୍ବାରା ଏକ ଅସ୍ବାଭାବିକ ପରିସ୍ଥିତି ଉପୁଜୁଛି । ଅର୍ଥାତ୍ ଶବ୍ଦ ପ୍ରଦୂଷଣ ସହ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଏହାକୁ ଦେଖିଲା ମାତ୍ରେ ପୋଲିସ ଗୋଡାଇ ଗୋଡାଇ ଧରୁଛି ।
- ମୋ ଟ୍ରାଫିକ ଅଫିସର:
ଏନେଇ ସ୍ବତନ୍ତ୍ର ଭାବେ 'ମୋ ଟ୍ରାଫିକ ଅଫିସର' ନିଯୁକ୍ତ କରାଯାଇଛି । ସ୍ବତନ୍ତ୍ର ଭାବେ ୧୦ ଜଣ ଆର୍ମଡ ସବ-ଇନସ୍ପେକ୍ଟରଙ୍କୁ ଟ୍ରାଫିକ ପରିଚାଳନା ନେଇ ନିଯୁକ୍ତ କରଯାଇଛି । ଏପରିକି ଏଥିପାଇଁ ସହରରେ ଟ୍ରାଫିକ ପରିଚାଳନାକୁ ସ୍ବଭାବିକ କରିବା ପାଇଁ କିଛି ଟ୍ରାଫିକ କନଷ୍ଟେବଳ ମଧ୍ୟ ଯୋଗାଇ ଦିଆଯାଇଛି । ବିଶେଷ କରି ପିକ୍ ଆଓ୍ବାରରେ ରାଜଧାନୀରେ ବହୁ ଗାଡି ଚଳାଚଳ କରୁଛି । ଗାଡି ସଂଖ୍ୟା ଓ ଟ୍ରାଫିକ ଜଙ୍କସନରେ ମଧ୍ୟ ଗାଡି ଚଳାଚଳ ବଢ଼ୁଛି ।