ଓଡିଶା

odisha

ETV Bharat / state

ବିଦ୍ୟୁତ ଖର୍ଚ୍ଚ ରୋକିବାକୁ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି, ପରିକ୍ରମା ମାର୍ଗରେ ବ୍ୟବହାର ହେବ ସୌର ଶକ୍ତି - Srimandir AC Tunnel

Solar Energy To Be Used In AC Tunnel: ଏସି ଟନେଲର ବିଲ୍ ଦେଖି ବର୍ତ୍ତମାନ ବଢିଛି ଚିନ୍ତା । ଯେଉଁଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗ୍ରୀନ ଏନର୍ଜି ବ୍ୟବହାର ନେଇ ଖୁବଶୀଘ୍ର ନିଷ୍ପତ୍ତି ହେବ । ଅଧିକ ପଢନ୍ତୁ

AC Tunnel Issue
AC Tunnel Issue

By ETV Bharat Odisha Team

Published : Mar 18, 2024, 7:51 PM IST

AC Tunnel Issue

ପୁରୀ:ଶ୍ରୀମନ୍ଦିର ଓ ପରିକ୍ରମା ମାର୍ଗ ପ୍ରକଳ୍ପ ପାଇଁ ବ୍ୟବହାର ହେବ ଗ୍ରୀନ ଏନର୍ଜି । କାରଣ ଏସି ଟନେଲର ବିଲ୍ ଦେଖି ବର୍ତ୍ତମାନ ଚିନ୍ତା ବଢିଛି । ଗ୍ରୀନ ଏନର୍ଜି ବ୍ୟବହାର ନେଇ ଖୁବଶୀଘ୍ର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର କାର୍ଯ୍ୟାଳୟ ଏବଂ ଭକ୍ତ ନିବାସର କୋଠାଗୁଡ଼ିକ ଉପରେ ସୋଲାର ପ୍ୟାନେଲ ଲଗାଯାଇ ବିଦ୍ୟୁତ ଉତ୍ପାଦନ କରାଯିବା ପରେ ଏହାର ବ୍ୟବହାର କରାଯିବା ନେଇ ଚିନ୍ତା କରାଯାଉଛି । ଫଳରେ ଏକ ପ୍ରଦୂଷଣ ମୁକ୍ତ ବିଦ୍ୟୁତ ଉତ୍ପାଦନ ହେବା ସହ ବିପୁଳ ବିଦ୍ୟୁତ ବିଲ୍ ବୋଝରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଛି । ସେପଟେ ଏସି ଟନେଲର ବିଲ୍ ୧୪ ଲକ୍ଷ ଟଙ୍କା ଆସିବା ପରେ ଏହାକୁ ସରକାର ଭରଣା କରିବାକୁ ବରିଷ୍ଠ ସେବାୟତ ଦାବି କରିଛନ୍ତି । ବର୍ଦ୍ଧିତ ବିଦ୍ୟୁତ ବ୍ୟବହାର ବୋଝକୁ କମାଇବା ନେଇ ରାଜ୍ୟ ସରକାର ସୋଲାର ଏନର୍ଜି ଜରିଆରେ ବିଦ୍ୟୁତ୍ ଯୋଗାଇ ଦିଅନ୍ତୁ ବୋଲି ସେବାୟତ ମତ ରଖିଛନ୍ତି ।

ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ମିତ ହୋଇଛି ଏସି ଟନେଲ୍ ଏବଂ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର । ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏସି ଟନେଲ ଏବଂ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ରର ବିଦ୍ୟୁତ ବିଲକୁ ନେଇ ଆରମ୍ଭ ହୋଇଛି ଆଲୋଚନା ପର୍ଯ୍ୟାଲୋଚନା । ଗତ ଜାନୁଆରୀ ଏବଂ ଫେବୃଆରୀ ମାସର ବିଦ୍ୟୁତ ବିଲ୍ ୧୪ ଲକ୍ଷ ୧୭ ହଜାର ୬୩୦ ଟଙ୍କା ଆସିବା ପରେ ଏହି ବିଲକୁ କିଭଳି ଭରଣା କରାଯାଇପାରିବ ସେନେଇ ବିକଳ୍ପ ବ୍ୟବସ୍ଥା ନେଇ ଚିନ୍ତା କରାଯାଉଛି । ସୌର ଶକ୍ତିରୁ ବିଦ୍ୟୁତ ସଂଗ୍ରହ କରାଯାଇ ଶ୍ରୀମନ୍ଦିର, ପରିକ୍ରମା ମାର୍ଗ, ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର, ଏସି ଟନେଲ୍, ଶ୍ରୀମନ୍ଦିର କାର୍ଯ୍ୟାଳୟ ଏବଂ ଭକ୍ତ ନିବାସର ବିଦ୍ୟୁତ ଖର୍ଚ୍ଚର ଭରଣା କରାଯିବା ନେଇ ଚିନ୍ତା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ...ଆହୁରି ଭକ୍ତିମୟ ହେବ ଶ୍ରୀମନ୍ଦିର ପରିକ୍ରମା ମାର୍ଗ, ସକାଳେ ଓ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ


ପୁରୀ ଜେଲ ରୋଡରେ ଥିବା ଶ୍ରୀପୁରୁଷୋତ୍ତମ ପାର୍କିଂ ସେଣ୍ଟର ଉପରେ ସୋଲାର ପ୍ୟାନେଲ ସ୍ଥାପନ କରାଯାଉଛି । ଏଥିରୁ ବିଦ୍ୟୁତ ଉତ୍ପାଦନ କରାଯାଇ ଶ୍ରୀପୁରୁଷୋତ୍ତମ ଭକ୍ତ ନିବାସ, ବହୁତଳ ପାର୍କିଂ, ଦୋକାନ ଗୃହ ପାଇଁ ସେଣ୍ଟ୍ରାଲ ଏସି ପାଇଁ ବିଦ୍ୟୁତ ଉପଯୋଗ କରାଯିବ । ତେଣୁ ଆଗାମୀ ଦିନରେ ସମସ୍ତ ଭକ୍ତ ନିବାସର ଛାତ ଉପରେ ଏବଂ ଅନ୍ୟ କିଛି ଖୋଲା ସ୍ଥାନରେ ସୋଲାର ପ୍ୟାନେଲ ସ୍ଥାପନ କରାଯାଇ ବିଦ୍ୟୁତ ଉତ୍ପାଦନ ହେବ । ଏହାକୁ ଶ୍ରୀମନ୍ଦିର, ପରିକ୍ରମା ମାର୍ଗ, ଶ୍ରୀମନ୍ଦିର କାର୍ଯ୍ୟାଳୟ, ଏସି ଟନେଲ୍, ଅଭ୍ୟର୍ଥନା କେନ୍ଦ୍ର ଏବଂ ଭକ୍ତ ନିବାସ ଗୁଡ଼ିକରେ ଏହି ବିଦ୍ୟୁତ୍ ବ୍ୟବହାର କରାଯାଇ ବିପୁଳ ବିଦ୍ୟୁତ ବିଲ୍ ବୋଝକୁ ହ୍ରାସ କରାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ଚିନ୍ତା କରୁଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି । ବର୍ତ୍ତମାନ ସମୟରେ ଗ୍ରୀନ୍ ଏନର୍ଜିକୁ ପ୍ରୋତ୍ସାହନ ଦିଆଯାଉଥିବାବେଳେ ସୋଲାର ପ୍ୟାନେଲ ଜରିଆରେ ବିଦ୍ୟୁତ୍ ବ୍ୟବହାରର ଚାହିଦା ବଢ଼ି ବଢ଼ି ଚାଲିଛି । ଏହାକୁ ଅକ୍ଷୟ ଶକ୍ତି କୁହାଯାଉଥିବାବେଳେ ଏହାକୁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ କାର୍ଯ୍ୟକାରୀ କରିବାର ଆବଶ୍ୟକ ରହିଛି ବୋଲି ଭକ୍ତ ଓ ସେବାୟତ ମତ ରଖିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details