ଖୋର୍ଦ୍ଧା: ରାମଲାଲାଙ୍କ ସେବାରେ ଲାଗିବ ସୋଲ ଫୁଲ । ଅଯୋଧ୍ୟା ଯିବ ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗରେ ପ୍ରସ୍ତୁତ ସୋଲ ଫୁଲ ଆଉ ଟାହିଆ । ଗୁରୁଜଙ୍ଗର ବୀର କିଶୋର ଓ ରାଜ କିଶୋରଙ୍କ ପରିବାର ଲୋକ ଏହି ସୋଲ ଫୁଲ ଓ ଟାହିଆ ପ୍ରସ୍ତୁତ କରିଛନ୍ତି । ସେମାନେ ପ୍ରସ୍ତୁତ କରିଥିବା ଏହି ସୋଲ ଫୁଲ ଓ ଟାହିଆ ଶ୍ରୀରାମଙ୍କ ସେବାରେ ଲାଗିବାକୁ ଯାଉଥିବାରୁ ଏହାକୁ ନେଇ ସମ୍ପୁର୍ଣ୍ଣ ପରିବାର ଖୁସିରେ ବିଭୋଗ ହୋଇଛନ୍ତି ।
ତେବେ ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗର ସୋଲ ଫୁଲ ଆଉ ଟାହିଆ ସର୍ବଦା ଚର୍ଚ୍ଚାରେ ରହିଆସିଛି । ମହାପ୍ରଭୁ କାଳିଆ ସାଆନ୍ତଙ୍କ ପାଇଁ ପ୍ରତ୍ୟେକ ରଥଯାତ୍ରାରେ ଟାହିଆ ବ୍ୟବହୃତ ହେଉଥିବା ବେଳେ ରଥରେ ସଜା ହୋଇଥାଏ ସୋଲ ଫୁଲ । ଏହି ଫୁଲ ଏବେ ଅଯୋଧ୍ୟା ଯିବ ଏବଂ ରାମଲାଲାଙ୍କ ସେବାରେ ଲାଗିବ । ଗୁରୁଜଙ୍ଗ ଭୋଇ ସାହିର ବୀର କିଶୋର ଓ ରାଜ କିଶୋରଙ୍କ ପରିବାର ପ୍ରସ୍ତୁତ କରିଛନ୍ତି ଏହି ସୋଲ ଫୁଲ । ସୋଲରେ ସେବତୀ ଆଉ କଦମ୍ବ ଫୁଲ ପ୍ରସ୍ତୁତ କରିଛନ୍ତି ଏହି ପରିବାର । ନିଷ୍ଠାର ସହ ବିଭିନ୍ନ ଅଞ୍ଚଳ ବୁଲି ସୋଲ ସଂଗ୍ରହ କରି ଏହାକୁ ଶୁଖାଇବା ପରେ ସେହି ଶୁଖିଲା ସୋଲରୁ ଫୁଲ ପ୍ରସ୍ତୁତି କରନ୍ତି । ଏହି ଫୁଲ ପ୍ରସ୍ତୁତ କରିବା ପାଇଁ ଏହି ପରିବାରକୁ ୧୮ ଦିନ ସମୟ ଲାଗିଛି ।