ଭୁବନେଶ୍ବର: ଭାରତୀୟ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ-1972ର ପ୍ରଥମ ସୂଚୀରେ କଇଁଛକୁ ସରୀସୃପ ପ୍ରଜାତି ଭାବେ ସଂରକ୍ଷିତ ଶ୍ରେଣୀଭୂକ୍ତ କରାଯାଇଛି । ଏହା ଅନୁସାରେ, କଇଁଛ ଶିକାର କଲେ 7 ବର୍ଷ ପର୍ଯ୍ୟନ୍ତ ଜେଲ କିମ୍ବା 1 ଲକ୍ଷ ଟଙ୍କା ଜୋରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି । କିନ୍ତୁ ଓଡିଶାରେ ଚାଲିଛି ଏହି ବନ୍ୟପ୍ରାଣୀ ସଂରକ୍ଷଣ ଆଇନର ଖୋଲାଖୋଲି ଉଲ୍ଲଂଘନ । ଲୁଚାଛପାରେ ନୁହେଁ ବରଂ କଇଁଛକୁ ଶିକାର କରି ଖାଇବା ସହିତ ଟଙ୍କା ରୋଜଗାର କରିବା ଉଦ୍ଦେଶ୍ୟରେ ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ଅପଲୋଡ ମଧ୍ୟ କରାଯାଉଛି । ଘଟଣାରେ ଆପତ୍ତି ଉଠେଇବା ସହ ‘ପିସିସିଏଫ’ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ‘ସ୍ନେକ ହେଲ୍ପ ଲାଇନ’ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ସେ ଇ-ମେଲ୍ ଯୋଗେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଶୁଭେନ୍ଦୁ ।
- ସୋସିଆଲ ମିଡିଆରେ କଇଁଛ ଭୋଜିର ଭିଡିଓ
ଅଭିଯୋଗ ଅନୁସାରେ, ବିବେକ ନାମକ ଜଣେ ଯୁବକ ସୋସିଆଲ ମିଡ଼ିଆ ସାଇଟ୍ ୟୁଟ୍ୟୁବ ଏବଂ ଇନଷ୍ଟାଗ୍ରାମରେ ଇଣ୍ଡିଆନ ଫ୍ଲାପ ସେଲ କଇଁଛକୁ ରାନ୍ଧି ଖାଇବା ଭିଡ଼ିଓ ଅପଲୋଡ଼ କରିଛନ୍ତି । ଯୁବକଙ୍କ ୟୁଟ୍ୟୁବ୍ ପେଜରେ ସମ୍ବଲପୁରୀ ଭାଷାର ବ୍ୟବହାର ଓ ଭିଡ଼ିଓରେ ଓଡ଼ିଆ ଗୀତ ବ୍ୟବହାର ହୋଇଥିବାରୁ ସେ ଜଣେ ଓଡ଼ିଆ ବୋଲି ଅନୁମାନ କରାଯାଉଛି । ଉକ୍ତ ଭିଡିଓ ୟୁଟ୍ୟୁବ ତଥ୍ୟ ଅନୁଯାୟୀ 27 ଡିସେମ୍ବର 2024 ରେ ଅପଲୋଡ଼ ହୋଇଛି ବୋଲି ଜଣାପଡ଼ୁଛି । କଇଁଛକୁ ଛୁରୀରେ କାଟିବା ସହ ରନ୍ଧା ଯାଉଛି । ଶେଷରେ ଯୁବକ ଜଣକ ରନ୍ଧା ମାଂସ ଖାଇ ଭାରି ଖୁସି ହେଉଥିବା ମଧ୍ୟ ଭିଡ଼ିଓରେ ଦେଖା ଯାଉଛି ।
- ସମ୍ପୃକ୍ତ ଭିଡିଓର URL ସହ ଅଭିଯୋଗ
ଭାରତରେ କଇଁଛ ଏକ ସଂରକ୍ଷିତ ପ୍ରଜାତି ହୋଇଥିବାରୁ, ଏପରି କାର୍ଯ୍ୟ ପାଇଁ ଉକ୍ତ ଯୁବକଙ୍କୁ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ଇ-ମେଲ୍ ମାଧ୍ୟମରେ ଚିଠି ଲେଖି ଅନୁରୋଧ କରିଛନ୍ତି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ଉଭୟ ୟୁଟ୍ୟୁବ ଏବଂ ଇନଷ୍ଟାଗ୍ରାମରେ ଅପଲୋଡ଼ ହୋଇଥିବା ଭିଡ଼ିଓକୁ ଡାଉନଲୋଡ ଏବଂ ଭିଡ଼ିଓର URLର ସ୍କ୍ରିନସଟକୁ ପ୍ରମାଣ ସ୍ବରୂପ ଶୁଭେନ୍ଦୁ ଇ-ମେଲରେ ସଂଲଗ୍ନ ମଧ୍ୟ କରିଛନ୍ତି ।
- ଟଙ୍କା ପାଇଁ ସୋସିଆଲ ମିଡିଆରେ ଛଡାଯାଉଛି ପଶୁପକ୍ଷୀଙ୍କ ଭିଡିଓ: ଶୁଭେନ୍ଦୁ
ଶୁଭେନ୍ଦୁ କହିଛନ୍ତି, "ବେଆଇନ ଭାବରେ ଟଙ୍କା ରୋଜଗାର କରିବା ପାଇଁ ହିଁ ବନ୍ୟପ୍ରାଣୀଙ୍କୁ ଧରି ବା ଖାଇବାକୁ ଦେଇ ସୋସିଆଲ ମିଡିଆରେ ଫୋଟୋ/ଭିଡ଼ିଓ ପୋଷ୍ଟ କରାଯାଉଛି । ସାପ ଧରିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ଅଭିଯୋଗରେ ଭଦ୍ରକର ଜଣେ ବ୍ୟକ୍ତି ଗିରଫ ହୋଇଥିଲେ । ସେହିପରି ମାଙ୍କଡ ଭିଡ଼ିଓ ପୋଷ୍ଟ କରି ଯାଜପୁରର ଦମ୍ପତି ଗିରଫ ହୋଇଥିଲେ । ଉଭୟ ଘଟଣାର ଅଭିଯୁକ୍ତ ଜାମିନରେ ଆସିବା ପରେ ପୁଣି ସେଇ ବେଆଇନ କାମ ଆରମ୍ଭ ଆରମ୍ଭ କରିଛନ୍ତି ।’’