ପୁରୀ: ବସ୍ତି ବାସିନ୍ଦାଙ୍କ ପାଖରେ ପହଞ୍ଚି ପାରୁନି ସରକାରୀ ଯୋଜନା । ଏହିଭଳି ଅଭିଯୋଗ ଆଣିଛନ୍ତି ପୁରୀ ଜିଲ୍ଲା ପେଣ୍ଠକଟାର ବସ୍ତି ବାସିନ୍ଦା । ଶୌଚାଳୟ ନଥିବା କାରଣରୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ପେଣ୍ଠକଟା ଅଞ୍ଚଳର ମହିଳା । ତେବେ ଅଞ୍ଚଳର ସମସ୍ତ ଘରେ ଶୌଚାଳୟ ନିର୍ମାଣ କରାଇବା ପାଇଁ ଦାବିରେ ଆଜି ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ଅଞ୍ଚଳବାସୀ ।
ସୂଚନା ଅନୁଯାୟୀ, ପେଣ୍ଠକଟା ଅଞ୍ଚଳର 3ଟି ବସ୍ତିରେ ପ୍ରାୟ ଦେଢ଼ ହଜାର ଲୋକ ବାସ କରୁଛନ୍ତି । ଦୁର୍ଭାଗ୍ୟ ବସତଃ ସେମାନଙ୍କ ପାଇଁ କେବଳ ଗୋଟିଏ ଶୌଚାଳୟ ରହିଛି । ସେପୁଣି ବସ୍ତି ଠାରୁ ପାଖାପାଖୀ ଏକ କିଲୋମିଟର ଦୂରରେ ରହିଛି । ଫଳରେ ମହିଳା ମାନେ ନିକଟରେ ଥିବା ସଂରକ୍ଷିତ ଜଙ୍ଗଲକୁ ଶୌଚ ହେବାକୁ ଯାଉଛନ୍ତି । ଅନେକ ସମୟରେ ମହିଳାଙ୍କୁ ଜଙ୍ଗଲରେ ଥିବା ଜନ୍ତୁଙ୍କ ଆକ୍ରମଣର ଶିକାର ହେବାକୁ ପଡ଼ୁଛି । ଅନ୍ୟପଟରେ ନିକାଞ୍ଚନର ସୁଯୋଗ ନେଇ କେତେକ ଅସାମାଜିକ ବ୍ୟକ୍ତି ମହିଳାଙ୍କୁ ଅସଦାଚରଣ ମଧ୍ୟ କରୁଛନ୍ତି । ପେଣ୍ଠକଟା ବସ୍ତି ବାସିନ୍ଦାଙ୍କୁ ଶୌଚାଳୟ ଯୋଗାଇ ଦେବା ଦାବିରେ ବସ୍ତି ବାସିନ୍ଦା ପୁରୀ ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହୋଇଛନ୍ତି । ଶୀଘ୍ର ପ୍ରତ୍ୟେକ ଘରେ ଶୌଚାଳୟ ଯୋଗାଇ ଦେବାକୁ ବସ୍ତି ବାସିନ୍ଦା ଦାବିରେ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଛନ୍ତି ।