ବାଲେଶ୍ବର: ଗୋଷ୍ଠୀ ସଂଘର୍ଷରୁ ହିଂସା ହୋଇଥିବା ବାଲେଶ୍ବରରେ ସ୍ଥିତିରେ କ୍ରମଶଃ ସୁଧାର ଆସିବାରେ ଲାଗିଛି । ଗତକାଲିଠାରୁ ଜାରି ହୋଇଥିବା କର୍ଫ୍ୟୁ ଆଜି ସାମାନ୍ୟ କୋହଳ ହୋଇଥିଲା । ସକାଳ 7ଟାରୁ ଦିନ 11ଟା ମଧ୍ୟରେ ଦୋକାନ ବଜାର ଖୋଲିବା ସହ ଲୋକେ ଜିନିଷ କିଣାକିଣି କରିଥିଲେ । ପରେ ପୁଣି କର୍ଫ୍ୟୁ ଲାଗୁ କରାଯାଇଛି । ସ୍ଥିତି ଉପରେ ପ୍ରଶାସନର କଡା ନଜର ରହିଛି । ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିଛନ୍ତି । ଲୋକଙ୍କ ସମସ୍ୟାକୁ ଦେଖି କର୍ଫ୍ୟୁ ସାମାନ୍ୟ କୋହଳ କରିବାକୁ ନିଷ୍ପତ୍ତି ଗତକାଲି ନେଇଥିଲା ଜିଲ୍ଲା ପ୍ରଶାସନ । ସାଂସଦ, ଜିଲ୍ଲାପାଳ ଓ ଏସପି ଓ ବରିଷ୍ଠ ଅଧିକାରୀମାନେ ଗତକାରି ଅପରାହ୍ନରେ ବୈଠକ କରି ସ୍ଥିତି ସମୀକ୍ଷା କରିଥିଲେ । ଆଜି ଇଣ୍ଟରନେଟ ସେବା କଟକଣାକୁ ମଧ୍ୟ ବୃଦ୍ଧି କରାଯାଇଛି । ଆସନ୍ତା 48 ଘଣ୍ଟା ତଥା 22 ତାରିଖ ସକାଳ 10 ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ସହ ଜଡିତ ସାମାଜିକ ଗଣମାଧ୍ୟମ ପରି ସମସ୍ତ ଯୋଗାଯୋଗ ମାଧ୍ୟମ ବନ୍ଦ ରହିବ । ଏନେଇ ଗୃହ ବିଭାଗ ଏକ ଲିଖିତ ବିଜ୍ଞପ୍ତିରେ ନିର୍ଦ୍ଦେଶ ଜାରି କରିଛି ।
ସୋମବାର ହୋଇଥିବା ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ ହୋଇଥିଲେ । ଗତକାଲି (ବୁଧବାର) ରାତି 12ଟାରୁ ବାଲେଶ୍ୱର ପୋୖରାଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିଲା । ଆଜି ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ଥିବା ବେଳେ ଅତ୍ୟାବଶକୀୟ ସାମଗ୍ରୀ ପାଇଁ ସାଧାରଣ ଲୋକଙ୍କ ଅସୁବିଧାକୁ ଲକ୍ଷ୍ୟ କରାଯାଇ ସକାଳ 7ରୁ 11 ଯାଏ ଦୋକାନ ବଜାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ନିଷ୍ପତ୍ତି ପରେ ଆଜି ସକାଳ ଠାରୁ ବଜାରରେ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଲୋକେ ବାହାରକୁ ବାହାରି କିଣାକିଣି କରିଥିଲେ । ରାସନ ଓ ପନିପରିବା ଦୋକାନରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ନିର୍ଦ୍ଧାରିତ ସମୟ ଶେଷ ହେବା ପରେ ପୁଣି ଥରେ ବଜାର ବନ୍ଦ କରାଯାଉଛି ଓ କର୍ଫ୍ୟୁ ଜାରି କରାଯାଇଛି ।