ପୁରୀ:ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ । ରାତିରେ ଭଣ୍ଡାର ଖୋଲାଯାଇ ରତ୍ନ ଗଣତି ପାଇଁ ସରକାର ପଦକ୍ଷେପ ନେବାକୁ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ପ୍ରସ୍ତାବ ଦେଇଛନ୍ତି । ରତ୍ନଭଣ୍ଡାର ଖୋଲିବାକୁ ନେଇ ଆସନ୍ତା ଚାରି ସପ୍ତାହ ମଧ୍ୟରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ପାଇଁ ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ତେବେ ଏହି ସତ୍ୟପାଠ ଦାଖଲ ପରେ ଏହାକୁ ସ୍ଵାଗତ କରିଛନ୍ତି ସେବାୟତ ଓ ଆଇନଜୀବୀ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଏହାକୁ ସ୍ଵାଗତ କରିବା ସହ ସରକାରଙ୍କୁ ପ୍ରଶଂସା କରିଛନ୍ତି ।
ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ସରକାର ସତ୍ୟପାଠ ଦାଖଲ କଲାପରେ ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ କହିଛନ୍ତି, "ମହାପ୍ରଭୁଙ୍କ ରତ୍ନଭଣ୍ଡାର ଦୁର୍ବଳ ହୋଇପଡ଼ିଲାଣି । ବର୍ଷା ପାଣି ମଧ୍ୟ ପ୍ରବେଶ କରୁଛି । ଏଣୁ ତୁରନ୍ତ ସରକାର ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଗଣତି କରି ସୁରକ୍ଷିତ ରଖନ୍ତୁ । ଏହା ଏକ ଭଲ କାର୍ଯ୍ୟ । କୋଟି କୋଟି ଭକ୍ତ ମହାପ୍ରଭୁଙ୍କ କ'ଣ ଅଳଙ୍କାର ରହିଛି ତାହା ଜାଣିପାରିବେ । ତେବେ ରଥଯାତ୍ରା ସମୟରେ ମାତ୍ର 9 ଦିନରେ ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଗଣତି ଶେଷ ହୋଇପାରିବ ନାହିଁ । ଏଣୁ ବିକଳ୍ପ ସ୍ୱରୂପ ମହାପ୍ରଭୁଙ୍କ ଅଳଙ୍କାର ଗଣତି କାର୍ଯ୍ୟ ରାତିରେ କରାଯାଉ ।"