କୋରାପୁଟ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କୋରାପୁଟ ଜିଲ୍ଲା । ଗୁପ୍ତେଶ୍ୱର ଭଳି ସ୍ଥାନକୁ ଜୈବ ବିବିଧତା ସ୍ଥଳୀ ମାନ୍ୟତା ଦେବା ପାଇଁ, ଜୈବ ବିବିଧତାର ସଂରକ୍ଷଣ, ରାସ୍ତାଘାଟର ଉନ୍ନତି ନେଇ ସଚେତନ କରାଇବା ପାଇଁ ଛାୟା ସଂସଦରେ ହୋଇଛି ଆଲୋଚନା ।
ଛାୟା ସଂସଦ କ'ଣ?
ଜବାହର ନବୋଦୟ ବିଦ୍ୟାଳୟରେ ଛାୟା ସଂସଦର ଆୟୋଜନ କରାଯାଇଛି । ନୂଆଦିଲ୍ଲୀରେ ସଂସଦ ଭବନ କିମ୍ବା ଭୁବନଶ୍ବରରେ ବିଧାନସଭା ଅଧିବେଶରେ ଯେପରି ସାଂସଦ ଏବଂ ବିଧାୟକମନେ ଆଲୋଚନା କରିଥାନ୍ତି । ଠିକ୍ ସେହିପରି ଭାବେ ଏଠାରେ ପ୍ରତୀକାତ୍ମକ ଢଙ୍ଗରେ କରାଯାଏ ଛାୟା ସଂସଦ ବା Mock Parliament । ଯେଉଁଠି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିର୍ବାଚିତ ପ୍ରତିନିଧିମାନଙ୍କ ଭଳି ଅନୁଭୂତି ନେଇଥାନ୍ତି ।
କୋରାପୁଟ ନବୋଦୟ ବିଦ୍ୟାଳୟରେ ଛାୟା ସଂସଦ:
ଏହି ଛାୟା ସଂସଦରେ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଅଭିନୟ କରୁଥିଲେ ଅମିତା ଲେଙ୍କା । ସେ ବିରୋଧୀ ଦଳର ନେତାଙ୍କ ସକ୍ରିୟ ଅଂଶଗ୍ରହଣ ସହିତ ବିକାଶ ପ୍ରକ୍ରିୟାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ । ସେହିପରି ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ନୀତିନ କୁମାର ବାଚସ୍ପତି ଭାବେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନିଖୁଣ ଅଭିନୟ କରିଥିଲେ। "ସରକାରରେ ଶାସକ ଦଳ ସେମାନଙ୍କ ଦୃଷ୍ଟିକୋଣ ଅନୁଯାୟୀ ଯୋଜନା ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଥିବାବେଳେ ବିରୋଧୀ ଦଳର ସଦସ୍ୟମାନେ ସେମାନଙ୍କୁ ସଠିକ ମାର୍ଗରେ ରଖିବାକୁ ଚେଷ୍ଟା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଲା । ଏହିପରି ଭାବେ ଶିକ୍ଷା ଗ୍ରହଣ କରୁଥିବା ଶିଶୁଙ୍କ ଦ୍ବାରା ଦେଶର ପ୍ରକୃତ ବିକାଶ ହୋଇପାରିବ" ବୋଲି କୋରାପୁଟର ସ୍ଥାନୀୟ ବିଧାୟକ ରଘୁରାମ ମାଛ କହିଛନ୍ତି ।

ବିଦ୍ୟାଳୟରେ କନିଷ୍ଠ ଛାତ୍ରଛାତ୍ରୀଙ୍କୁ ନେଇ ଛାୟା ସଂସଦ ଆୟୋଜିତ ହୋଇଥିବାବେଳେ ପିଲାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖା ଯାଇଥିଲା । ସପ୍ତମ ଶ୍ରେଣୀର ଛାତ୍ର ବିନୋଦ ସାଇ କହିଛନ୍ତି, "ଏହି ଛାୟା ସଂସଦକୁ ସଠିକ ଭାବେ ପ୍ରଦର୍ଶିତ କରିବା ପାଇଁ ଆମେ ଦୀର୍ଘ ମାସେ ଧରି ଅଭ୍ୟାସ କରିଥିଲୁ। " ଛାୟା ସଂସଦରେ ଜୈବ ବିବିଧତାର ସଂରକ୍ଷଣ, ରାସ୍ତାଘାଟ ଉନ୍ନତି ପାଇଁ ବିଲ ଉପସ୍ଥାପନା କରିବାର ସୁଯୋଗ ପାଇଥିବା ଯୋଗୁଁ ଆମେ ବେଶ ଉତ୍ସାହିତ " ବୋଲି କହିଛନ୍ତି ଆଉ ଜଣେ ଛାତ୍ର ସତ୍ୟଜିତ ନାୟକ ।

ଏହି ପଦକ୍ଷେପ ଜୈବ ବିବିଧତା ରକ୍ଷା କରିବା ଏବଂ ପରିବେଶ ସୁରକ୍ଷା ଉପରେ ଛାତ୍ରଛାତ୍ରୀ ସଚେତନ ଥିବାର ଝଲକ ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ, ଏହି ବିତର୍କରେ ଉନ୍ନତ ସହରୀ ଯୋଜନା, ଜନସ୍ବାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଏବଂ ମହିଳାମାନଙ୍କ ପାଇଁ ବର୍ଦ୍ଧିତ ନିରାପତ୍ତା, ବିଶେଷ କରି ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରାଯାଇଥିଲା। "ଏହି ଅଧିବେଶନରେ ଛାତ୍ରଛାତ୍ରୀଙ୍କ ସକ୍ରିୟ ଯୋଗଦାନ ଏବଂ ଏକ ଉତ୍ତମ ଭବିଷ୍ୟତ ପାଇଁ ସେମାନଙ୍କର ଦୃଷ୍ଟିକୋଣକୁ ପ୍ରମାଣିତ କରିଛି" ବୋଲି ବିଦ୍ୟାଳୟ ଅଧ୍ୟକ୍ଷା ମିଲାନି ମିତ୍ର କହିଛନ୍ତି ।

ଇଟିଭି ଭାରତ, କୋରାପୁଟ