ଖୋର୍ଦ୍ଧା: ଛେଳି ଚାଷ ପାଇଁ ଋଣ ଆଣି ମିଳୁନି ସବସିଡି ଅର୍ଥ । ଆଉ ଯେଉଁଥିପାଇଁ ଚିନ୍ତାରେ ପଡିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ରାଜ୍ୟ ସରକାର ମହିଳାଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ସରକାରୀ ସହାୟତା ପ୍ରଦାନ କରୁଛନ୍ତି । ସେହିଭଳି ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ଛେଳି ଚାଷୀମାନଙ୍କୁ ଋଣରେ ସବସିଡି ଦେବା ନେଇ ଘୋଷଣା କରିଥିଲେ ମଧ୍ୟ ଏବେ ସେହି ସବସିଡି ଅର୍ଥ ମିଳୁନଥିବା ଅଭିଯୋଗ କରିଛନ୍ତି ମହିଳା ଛେଳି ଚାଷୀ । କିପରି ଋଣ ସୁଝିବେ ତାକୁ ନେଇ ସେମାନେ ଚିନ୍ତାରେ ପଡି ଯାଇଛନ୍ତି ।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପଙ୍ଗରସିଂହ ଗ୍ରାମ ପଞ୍ଚାୟତ ଗୋଡିପୋଖରୀ ଗ୍ରାମ ଆଦିବାସୀ ସାହିର ଜୀବନ ଜ୍ୟୋତି ସ୍ଵୟଂ ସହାୟକ ସଂଘର 10 ଜଣ ଆଦିବାସୀ ମହିଳା ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓ ମିଶନ ଶକ୍ତି ବିଭାଗରୁ 2022-23 ଆର୍ଥିକ ବର୍ଷରେ 2 ଲକ୍ଷ 30 ହଜାର ଟଙ୍କା ଋଣ ଆଣି ଛେଳି ଚାଷ ଆରମ୍ଭ କରିଥିଲେ । ଏଥିରେ ଛେଳି କିଣିବା ସହ ଗୁହାଳ ଘର କରିବା ପରେ 50 ପ୍ରତିଶତ ସରକାରୀ ସବସିଡି ମିଳିବ ବୋଲି କୁହାଯାଇଥିଲା । କିନ୍ତୁ ଏହି ସରକାରୀ ସବସିଡି ପାଇବା ପାଇଁ ଛଅ ମାସରୁ ଊର୍ଦ୍ଧ୍ୱ ସମୟ ବିଭିନ୍ନ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିରାଶ ହୋଇଥିବା କହିଛନ୍ତି ମହିଳାମାନେ ।