ଓଡିଶା

odisha

ETV Bharat / state

ପିକନିକ ଖୁସି କ୍ଷଣିକରେ ଛଡାଇ ନେଲା ଦୁର୍ଘଟଣା, ବସ-ଟ୍ରକ ମୁହାଁମୁହିଁରେ 3 ମୃତ

Picnic Bus Accident: ଦଶପଲ୍ଲାରେ ପିକନିକ ବସ ଓ ଚାଉଳ ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା । ଏଥିରେ 3 ଜଣଙ୍କ ମୃତ୍ୟୁ ହୋଇଛି ଏବଂ 5ରୁ ଊର୍ଦ୍ଧ୍ବ ଗୁରୁତର ଅଛନ୍ତି । ଏହି ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 27, 2024, 9:21 AM IST

ବସ ଟ୍ରକ ମୁହାଁମୁହିଁ ଧକ୍କା
truck hits picnic bus

Nayagarh Acciden
ଖୋର୍ଦ୍ଧା/ନୟାଗଡ଼: ଦଶପଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପିକନିକ ବସ ଓ ଚାଉଳ ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 5ରୁ ଅଧିକ ଗୁରୁତର ହୋଇଛନ୍ତି । ଶୁକ୍ରବାର ବିଳମ୍ୱିତ ରାତିରେ ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ଶାଳଭଙ୍ଗା ଜଙ୍ଗଲ ନିକଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳଛି । ଆହତଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ମୃତକ ତିନି ଜଣ ଛାତ୍ରୀ ରହିଛନ୍ତି । ସେମାନେ ହେଉଛନ୍ତି ଚିନ୍ମୟୀ ପ୍ରିୟଦର୍ଶନୀ, ଅର୍ମିତା ସାହୁ ଓ ଲୋପାମୁଦ୍ରା ପ୍ରଧାନ ।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଟ୍ୟୁଟୋରିଆଲ ଛାତ୍ରଛାତ୍ରୀଙ୍କୁ ନେଇ ଏକ ପିକନିକ ବସ ଦଶପଲ୍ଲାରୁ ପଶ୍ଚିମ ଓଡ଼ିଶା ଅଭିମୁଖେ ଯାଉଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଚାଉଳ ବୋଝେଇ ଟ୍ରକ ସହିତ ବସଟି ମୁହାଁମୁହିଁ ଧକ୍କା ହୋଇଥିଲା । ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ବସରେ ଥିବା ବହୁ ଯାତ୍ରୀ ଆହତ ହୋଇଥିଲେ । ଏନେଇ ଖବର ପାଇଁ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ଦଶପଲ୍ଲା ପୋଲିସ, ବାଣୀଗୋଛା ପୋଲିସ, ଦଶପଲ୍ଲା ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଏହା ମଧ୍ୟ ପଢନ୍ତୁ-ଯାତ୍ରା ପାର୍ଟି ଟ୍ରକ ଦୁର୍ଘଟଣା: ଆହତଙ୍କୁ ଭେଟିଲେ ନିଶା ମହାରଣା ଓ ରାଣୀ ପ୍ରିୟଦର୍ଶିନୀ

ଏନେଇ ଖବର ପାଇଁ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ଦଶପଲ୍ଲା ପୋଲିସ ,ବାଣୀଗୋଛା ପୋଲିସ ,ଦଶପଲ୍ଲା ଦମକଳ ବାହୀନି ପହଞ୍ଚି ସ୍ଥାନୀୟବାସୀନ୍ଦାଙ୍କ ସହାୟତାରେ ଗୁରୁତର ଆହତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଡାକ୍ତର ସେଠାରେ ୨ ଜଣକୁ ମୃତ ଘୋଷଣା କରିଥିଲେ । ଅନ୍ୟ ଜଣକ ଅବସ୍ଥା ସଙ୍କଟପନ୍ନ ଥିବାରୁ ତାଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଅଧାବାଟରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ତେବେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆହତଙ୍କ ଚିକିତ୍ସା ଜାରି ରହିଛି ।

ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ଏସଡିପିଓ ସ୍ନେହାଶିଷ ସାହୁ, ନୟାଗଡ଼ ଏସପି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉପସ୍ଥିତ ରହି ଆହତ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ସେମାନଙ୍କୁ କିପରି ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଇପାରିବ ସେ ସଂପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ତେବେ ପିକନିକ ବସରେ କେତେ ଜଣ ଛାତ୍ରଛାତ୍ରୀ ଯାତ୍ରା କରୁଥିଲେ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଏନେଇ ପୋଲିସ ତଦନ୍ତ ଚଳାଇଛନ୍ତି । ଅଧିକ ସୂଚନାକୁ ଅପେକ୍ଷା କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ମୃତକଙ୍କ ପରିବାରକୁ ଘଟଣା ସମ୍ପର୍କରେ ଅବଗତ କରାଯାଇଚି ନା ନାହିଁ ତାହା ଅସ୍ପଷ୍ଟ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details