ଭୁବନେଶ୍ବର: ବିଜେପି ସରକାରର ମହତ୍ତ୍ବାକାଂକ୍ଷୀ ଯୋଜନା 'ସୁଭଦ୍ରା' । ମହିଳା ସଶକ୍ତିକରଣ କ୍ଷେତ୍ରରେ ଗୋଟିଏ ପାଦ ଆଗରେ ଓଡ଼ିଶାରେ ବିଜେପି ସରକାର । ସୁଭଦ୍ରା ଯୋଜନାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିସାରିଥିବା ବେଳେ, ଦ୍ବିତୀୟ ସୋପାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତାକାଲି ଅକ୍ଟୋବର ୯ ତାରିଖରେ ମୟୂରଭଞ୍ଚ ଜିଲ୍ଲା ବାରିପଦାରେ ସୁଭଦ୍ରା ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ।
ବାରିପଦାରେ 'ସୁଭଦ୍ରା' ବଣ୍ଟନ ସମାରୋହ
ଅକ୍ଟୋବର ୯ ତାରିଖ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଦିବସ । ବାରପଦା ଛଉ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ଟଙ୍କା ପ୍ରଦାନ କରିବେ । ସରକାରୀ ସୂଚନା ଅନୁସାରେ, ଆସନ୍ତାକାଲି(ବୁଧବାର) ୩୫ ଲକ୍ଷରୁ ଅଧିକ, ପାଖାପାଖି ଆଉ ୪୦ ଲକ୍ଷ ମହିଳା ହିତାଧିକାରୀଙ୍କ ଆାକଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳା ପାଇଥିଲେ ସୁଭଦ୍ରା ଟଙ୍କା ।
ସୁଭଦ୍ରା ପଞ୍ଜିକରଣ ୧ କୋଟି
ରାଜ୍ୟ ସରକାରଙ୍କ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ 'ସୁଭଦ୍ରା ' ଯୋଜନାରେ ରେକର୍ଡ ପଞ୍ଜିକରଣ । ଗତକାଲି ସୋମବାର ସୁଦ୍ଧା ରାଜ୍ୟରେ ୧ କୋଟି ୨୦ ହଜାର ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁସାରେ ପ୍ରତିଦିନ ପାଖାପାଖି ୩୦ ହଜାର ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରୁଛନ୍ତି ।
' ସୁଭଦ୍ରା ଆମ ପାଇଁ ଆହ୍ୱାନ ଥିଲା '
ସୁଭଦ୍ରା ଯୋଜନାକୁ ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ପ୍ରତିକ୍ରିୟା ' ଘରେ ଘରେ ସୁଭଦ୍ରା ପହଞ୍ଚାଇବା ଆମ ପାଇଁ ବଡ଼ ଆହ୍ୱାନ ଥିଲା । ଏକ ମାସରୁ କମ ସମୟ ମଧ୍ୟରେ ହିତାଧିକାରୀଙ୍କ ସଂଖ୍ୟା ଏତେ ଶୀଘ୍ର ୧ କୋଟି ଛୁଇଁବା ଇତିହାସ ସୃଷ୍ଟି କରିବା ସଦୃଶ । ଆସନ୍ତାକାଲି ୯ ତାରିଖରେ ସବୁଠୁ ଅଧିକ ସୁଭଦ୍ରା ହିତାଧିକାରୀଙ୍କ ପାଖରେ ଯୋଜନା ପହଞ୍ଚିବ। '
'ସୁଭଦ୍ରା' ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ
ମହିଳାଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ ବିନା ଏକ ସଶକ୍ତ ରାଷ୍ଟ୍ର ଗଠନ ଅସମ୍ଭବ। ଏହି ରାଷ୍ଟ୍ର ଗଠନ ଦିଗରେ ‘ସୁଭଦ୍ରା’ ଯୋଜନା ଏକ ତାତ୍ପର୍ଯ୍ୟପୂର୍ଣ୍ଣ ପଦକ୍ଷେପ।#SUBHADRA pic.twitter.com/JXwXpmtmU7
— Mohan Charan Majhi (@MohanMOdisha) September 17, 2024
ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କର କମଳରେ ଶୁଭାରମ୍ଭ ହୋଇଥିଲା ଯୁଗାନ୍ତକାରୀ 'ସୁଭଦ୍ରା' ଯୋଜନା । ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନାର ହୋଇଥିଲା ଶୁଭାରମ୍ଭ । ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ ଓଡ଼ିଶା ଆସିଥିଲେ ଏବଂ ଭୁବନେଶ୍ବରରେ ଲୋକପ୍ରିୟ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିଥିଲେ । ସେପ୍ଟେମ୍ବର ୧୭ରେ ୨୫ ଲକ୍ଷ ୧୧ ଜଣ ମହିଳାଙ୍କୁ ସୁଭଦ୍ରା କିସ୍ତି ମିଳିଥିଲା । ପ୍ରଥମ କିସ୍ତିରେ ସରକାର ୧୨୫୦ କୋଟି ଟଙ୍କା ପ୍ରଦାନ କରିଥିଲେ ।
ସରକାର ହେବାର ୧୦୦ ମଧ୍ୟରେ କାର୍ଯ୍ୟକାରୀ ହେଲା ସୁଭଦ୍ରା ଯୋଜନା। ରାଜ୍ଯର ମୋଟ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ଯୋଗାଇଦିଆଗଲା ୧୨୫୦ କୋଟି ୫୫ ହଜାର ଟଙ୍କାର ଆର୍ଥିକ ସହାୟତା। #Subhadra pic.twitter.com/t23yFZCMm1
— Mohan Charan Majhi (@MohanMOdisha) September 17, 2024
'ସୁଭଦ୍ରାକୁ ଘରେ ଘରେ ପହଞ୍ଚାଇବା ଭାବାଗେବ କଥା'
ସେପ୍ଟେମ୍ବର ୧୭ରେ ଆରମ୍ଭ ହୋଇଥିଲା ସୁଭଦ୍ରା ଯୋଜନା । ଅକ୍ଟୋବର ୯ (ଆସନ୍ତାକାଲି) ଦ୍ବିତୀୟ ସୋପାନ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ କହିବା କଥା, ' ସୁଭଦ୍ରା ଯୋଜନା ଆରମ୍ଭକୁ ମାସେ ହୋଇନାହିଁ । ତଥାପି ଅଳ୍ପ ସମୟ ମଧ୍ୟରେ ୧ କୋଟିରୁ ଅଧିକ ହିତାଧିକାରୀ ପଞ୍ଜିକରଣ କରି ସାରିଲେଣି । କିଛି ବୈଷୟିକ (Technical) ବିଷୟ ଥାଇ ପାରେ । ତେବେ ଅଳ୍ପ ସମୟ ମଧ୍ୟରେ ୧ କୋଟି ହିତାଧିକାରୀଙ୍କ ସହ ଯୋଡ଼ି ହେବା ଏକ ଇତିହାସ । ମହିଳାଙ୍କ ସମୃଦ୍ଧିର କାରଣ ହେବ ସୁଭଦ୍ରା । ଏଥିପାଇଁ ଆମେ ସମସ୍ତ ମହିଳାଙ୍କ ନିକଟରେ ଋଣି । କାରଣ ସରକାରଙ୍କର ଏକ ଫ୍ଲାଗସିପ ଯୋଜନାକୁ ଘରେ ଘରେ ପହଞ୍ଚାଇବା ଏବଂ କମ ସମୟରେ ଟାର୍ଗେଟରେ ପହଞ୍ଚିବା ବଡ଼ କଥା । ଏଥିରେ ସାଧାରଣ ଜନତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ । ଲୋକେ ସ୍ବତଃପ୍ରବୃତ୍ତ ଭାବେ ଆସି ପଞ୍ଜିକଣ କରୁଛନ୍ତି । ଘରେ ଘରେ ସୁଭଦ୍ରା ଆମର ସ୍ଲୋଗାନ ଥିଲା । ତେବେ ଏତେଶୀଘ୍ର ଘରେ ଘରେ ପହଞ୍ଚିଯିବୁ, ଏହା ଭାବାବେଗର କଥା । '
'କ୍ଲିୟର ଥିଲେ ଆକାଉଣ୍ଟକୁ ଟଙ୍କା ଯିବ'
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ପ୍ରତିଶ୍ରୁତି ଦେଇଛନ୍ତି ଯେ, ' ଯେଉଁମାନେ କ୍ଲିୟର ଅଛନ୍ତି ସମସ୍ତେ ସୁଭଦ୍ରା ଟଙ୍କା ପାଇବେ । ଆଶ୍ବସ୍ତ ରୁହନ୍ତୁ, ନିରାପଦରେ ରୁହନ୍ତୁ, ଅକ୍ଟୋବର ୯ ତାରିଖରେ ଆକାଉଣ୍ଟକୁ (ଜମାଖାତାକୁ) ସୁଭଦ୍ରା ଟଙ୍କା ଯିବ । '
'SHG ଋଣଛାଡ଼ ବିଚାରାଧୀନ ରହିଛି '
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ' ଓଡ଼ିଶାରେ ୭୦ ଲକ୍ଷ ସ୍ବୟଂ ସହାୟିକା ଗୋଷ୍ଠୀ ଅଛନ୍ତି । ସେମାନଙ୍କର ୨୦୦ କୋଟି ଟଙ୍କାର ଋଣ ଛାଡ଼ ପ୍ରସଙ୍ଗ ସରକାରଙ୍କର ବିଚାରାଧୀନ ରହିଛି । ମାଆମାନଙ୍କୁ ଲକ୍ଷପତି କରିବା ପାଇଁ ସମ୍ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଛନ୍ତି ।'
ସବୁ ଯୋଗ୍ୟ ହିତାଧିକାରୀଙ୍କୁ 'ସୁଭଦ୍ରା'
'ଗୋଟିଏ ପରିବାରୁରୁ ଜଣକୁ ନୁହେଁ ବରଂ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ଏବଂ ଆଗକୁ ସୁଭଦ୍ରା ମହିଳା ସମୃଦ୍ଧିର ଇତିହାସ ଲେଖିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ।
ଇଟିଭି ଭାରତ, ଭୁବନେଶ୍ବର