ବଲାଙ୍ଗୀର: ବାହାଘର ପୂର୍ବରୁବେଦୀ ଉପରେ ବରକୁ ହତ୍ୟା ଉଦ୍ୟମ । ବେଦୀରେ ବର ବସିଥିବା ବେଳେ ମାରଣାସ୍ତ୍ର ଧରି ଆକ୍ରମଣ କଲେ 10 ଯୁବକ । ବର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଆକ୍ରମଣକାରୀଙ୍କୁ କାବୁ କରିଥିଲେ ଗ୍ରାମବାସୀ । ଏହି ଘଟଣାରେ ପୋଲିସ 7 ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ 3 ଜଣ ଫେରାର ରହିଛନ୍ତି । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବାବଜୀ ଜୋର ଗ୍ରାମରେ । ସେପଟେ ଅଳ୍ପକେ ଅକ୍ରମଣରୁ ବର୍ତ୍ତିଯାଇଥିବା ବରର ବିବାହ ସମ୍ପର୍ଣ୍ଣ ହୋଇଛି । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି । କେଉଁ କାରଣରୁ ବରକୁ ଆକ୍ରମଣ କଲେ ଅଟକ ଯୁବକ ସେନେଇ ତଦନ୍ତ କରାଯାଉଛି ।
ବରକୁ ବେଦୀରେ ଆକ୍ରମଣ ଉଦ୍ୟମ:
ମିଳିଥିବା ସୂଚନା ଅନୁଯାୟୀ, ରବିବାର ଦିନ ଗାଇବାହଲ ଗ୍ରାମର ରାଜକୁମାର ପ୍ରଧାନଙ୍କ ବିବାହ ଜୋର ଗ୍ରାମର ଜଣେ ଯୁବତୀଙ୍କ ସହ ଥିଲା । ଏଥି ପାଇଁ ବର ବରଯାତ୍ରୀ ଧରି କନ୍ୟା ଘର ବାବଜୀ ଜୋରରେ ପହଞ୍ଚିବା ପରେ ବେଦୀରେ ବସିଥିଲେ । ଏହି ସମୟରେ ଦଶ ଜଣ ଯୁବକ ଖଣ୍ଡା ଓ ବନ୍ଧୁକ ଧରି ବିବାହ ସ୍ଥଳକୁ ଆସିଥିଲେ। କେହି କିଛି ବୁଝିବା ପୂର୍ବରୁ ସେମାନେ ଅତର୍କିତ ଭାବରେ ବର ପୁଅକୁ ଆକ୍ରମଣ ଉଦ୍ୟମ କରିଥିଲେ। ଏହି ସମୟରେ ସେଠି ଉପସ୍ଥିତ ଥିବା ଗ୍ରାମବାସୀ ସମସ୍ତ ଯୁବକଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ଏହାପରେ ଦେଓଗାଁ ପୋଲିସକୁ ସମସ୍ତଙ୍କୁ ହସ୍ତାନ୍ତର କରିଥିଲେ। ଗ୍ରାମବାସୀ କାବୁ କରିଥିବା ବେଳେ ଜଣେ ଯୁବକ କହିଛନ୍ତି ଯେ, ମହଲେଇ ଗ୍ରାମର ଜଣେ ଯୁବକ ତାଙ୍କୁ ଏଥିପାଇଁ ପଠାଇଥିଲା। ତେବେ ସେ କାହିଁକି ଓ କେଉଁ ଉଦେଶ୍ୟରେ ଏମାନଙ୍କୁ ପଠାଇ ଥିଲେ ତାହା ଏବେ ବି ଅସ୍ପଷ୍ଟ ଅଛି। ଏନେଇ ବର ରାଜକୁମାର ପ୍ରଧାନଙ୍କ ବାପା ନେତ୍ରାନନ୍ଦ ପ୍ରଧାନ ଥାନାରେ ଅଭିଯୋଗ କରିବା ସହ ତଦନ୍ତ ଦାବି କରିଛନ୍ତି ।