ଭୁବନେଶ୍ବର:ସୁଡ଼ଙ୍ଗ ଭିତରେ ଗଡି଼ବ ଟ୍ରେନ । ତିଆରି ହେଉଛି ଓଡ଼ିଶାର ବଡ଼ ଟନେଲ । ଏଥିପାଇଁ ଜୋରଦାର ଚାଲିଛି ରେଳ ଟନେଲ କାମ । ଟନେଲ ନିର୍ମାଣରେ ରେଳ ବିଭାଗ ଲାଗି ପଡ଼ିଥିବାବେଳେ ଏକାବେଳେ ନିର୍ମାଣ ହେଉଛି ୭ଟି ଟନେଲ । ଆଡ଼ଣିଗଡ଼ଠାରେ ତିଆରି ହେଉଛି ଓଡ଼ିଶାର ବଡ଼ ଟନେଲ । ଯାହାର ଦୂରତା ୪.୧୮୫ କିଲୋମିଟର ରହିଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ନିର୍ମାଣ କାମ ଦ୍ରୁତ ଗତିରେ ଚାଲିଥିବାବେଳେ, ବୌଦ୍ଧ ଜିଲ୍ଲାରେ ନିର୍ମାଣ ଚାଲିଛି ବଡ଼ ବଡ଼ ଟନେଲ । ପୂର୍ବତଟ ରେଳ ବିଭାଗ ପକ୍ଷରୁ ପ୍ରଥମ କରି ଟନେଲ ନିର୍ମାଣ ଚାଲିଥିବାବେଳେ ବୌଦ୍ଧରୁ ଦଶପଲ୍ଲା ପର୍ଯ୍ୟନ୍ତ ନିର୍ମାଣ ହେଉଛି ମୋଟ୍ ୭ଟି ରେଳ ଟନେଲ।
ଆଡେଣିଗଡ଼ଠାରେ ହେଉଛି ସବୁଠାରୁ ବଡ଼ ଟନେଲ ଯାହାର ଲମ୍ବା ୪ କିଲୋମିଟରରୁ ଉର୍ଦ୍ଧ୍ବ ରହିଛି । ମାର୍ଦ୍ଧିଙ୍ଗ ଗ୍ରାମରେ ନିର୍ମାଣ ହେଉଛି ୨ ଟି ଟନେଲ । ସେଥିମଧ୍ୟରୁ ଗୋଟିଏ ଟନେଲରେ ଉଭୟ ପଟକୁ ଫିଟିଛି ବାଟ । ଏହାରି ମଧ୍ୟରେ ୫ ନମ୍ବର ଟନେଲ ଯାହାର ଦୂରତା ୦.୩୧୭ କିମି ରହିଥିବାବେଳେ ୬ ନମ୍ବର ଟନେଲର ଦୂରତା ରହିଛି ୦.୩୧୫କିମି । ଆଉ ୩ଟି ଟନେଲ ଦଶପଲ୍ଲାଠାରୁ ମାଧପୁର ମଧ୍ୟରେ ନିର୍ମାଣ ଚାଲିଛି । ଅଷ୍ଟ୍ରିଆ ଟନେଲ ଢାଞ୍ଚାରେ ଚାଲିଛି ସୁଡ଼ଙ୍ଗ କାମ । ରେଳବାଇ ଅଧିକାରୀ ଓ ଇଞ୍ଜିନିୟରଙ୍କ ସହ କାମରେ ଲାଗିଛନ୍ତି ଶହ ଶହ ଶ୍ରମିକ।