ଭୁବନେଶ୍ବର:ଓଡି଼ଶା ନ୍ୟାୟିକ ଇତିହାସରେ ପ୍ରଥମ ଓ ବିରଳ ଘଟଣା । ବିଦେଶିନୀଙ୍କୁ ଅସଦାଚରଣ ମାମଲାରେ ଅଭିଯୁକ୍ତକୁ ମାସେ ଭିତରେ ମିଳିଲା ସଜ୍ଜା । ଖୋର୍ଦ୍ଧା ଜିଲ୍ଲା ଦୌରାଜଜ ଏହି ମାମଲାର ଶୁଣାଣି କରିଛନ୍ତି । ମାତ୍ର ୨୮ ଦିନରେ ମାମଲାର ବିଚାର କରି ୧୮ ମାସର ସଜ୍ଜା ଶୁଣାଇଛନ୍ତି କୋର୍ଟ । ଅଭିଯୁକ୍ତ କୁନ୍ଦନ ମହାପାତ୍ରକୁ ଦୋଷୀ ସାବ୍ୟସ୍ତ କରି ଜେଲଦଣ୍ଡ ଶୁଣାଇଛନ୍ତି ବିଚାରପତି ପାୟଲ ଗୁପ୍ତା । ସୂଚନା ଅନୁସାରେ, ସ୍ଵିଡେନରୁ ଆସିଥିବା ମହିଳାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାର ପୀଡ଼ିତାଙ୍କୁ ମାସେ ନପୂରୁଣୁ ମିଳିଛି ନ୍ୟାୟ ।
ଅଭିଯୁକ୍ତ ସେବାୟତ କୁନ୍ଦନ ମହାପାତ୍ରକୁ ଝାରପଡ଼ା ଜେଲ ହାଜତକୁ ପଠାଯାଇଛି । ଆଜି (ସୋମବାର) JMFC 1 ରେ ଏହି ମାମଲାରେ ଶେଷ ବିଚାର ପ୍ରକ୍ରିୟା ଚାଲିଥିଲା । ଯାହାକୁ ନେଇ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବା ପାଇଁ ଯୁକ୍ତି ବାଢିଥିଲେ ସରକାରୀ ଓକିଲ ବିଜୟ କୁମାର ବାରିକ । କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟ୍ ଆଧାରରେ 7 ଜଣ ପ୍ରତ୍ୟକ୍ଷଦର୍ଶୀ, ସାକ୍ଷ୍ୟ ପ୍ରମାଣ ଓ ୪ଟି ଡକ୍ୟୁମେଣ୍ଟ ଆଧାରରେ ରାୟ ପ୍ରକାଶ ପାଇଛି । ପୂର୍ବରୁ କୋର୍ଟରେ ପୀଡିତା ରଖିଥିବା ବୟାନକୁ ବିଚାରକୁ ନେଇ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ ।
ସୂଚନା ଅନୁସାରେ, ଗତ ୧୯ ଫେବ୍ରୁଆରୀରେ ସ୍ବିଡେନରୁ ଆସିଥିବା ମହିଳା ଲିଙ୍ଗରାଜ ମନ୍ଦିର ବୁଲିବାକୁ ନିଜ ବନ୍ଧୁଙ୍କ ସହ ଆସିଥିଲେ । ମହିଳା ଜଣଙ୍କ ପ୍ରତ୍ନତତ୍ତ୍ବ ବିଭାଗର ଛାତ୍ରୀ ହୋଇଥିବାରୁ ମନ୍ଦିର ବିଷୟରେ ଜାଣିବାକୁ ଚାହୁଁଥିଲେ । ଏନେଇ ବୁଲାବୁଲି କରିବା ସମୟରେ ଲିଙ୍ଗରାଜ ମନ୍ଦିରର ଉତ୍ତର ଦ୍ବାରରେ ଥିବା ପ୍ଲାଟଫର୍ମ ଉପରେ ଦର୍ଶନ କରୁଥିବାବେଳେ ସେବାୟତ କୁନ୍ଦନ ମହାପାତ୍ର ନିଜକୁ ଗାଇଡ ବୋଲି କହିଥିଲେ । କୁନ୍ଦନ ତାଙ୍କୁ ବିଭିନ୍ନ ଐତିହ୍ୟ ସମ୍ପର୍କରେ ବୁଝାଇବାକୁ କହି ତାଙ୍କ ସହ ନେଇଥିଲେ । ପରେ ମନ୍ଦିର ବାହାରେ ବୁଲାଇବା ସମୟରେ ବିଦେଶିନୀଙ୍କୁ ଅସଦାଚରଣ କରିଥିଲେ ।