ବ୍ରହ୍ମପୁର/ଫୁଲବାଣୀ:ଭାରତ ସରକାରଙ୍କ ନୂତନ ବର୍ଷ-୨୦୨୫ କ୍ୟାଲେଣ୍ଡରରେ ସ୍ଥାନ ପାଇଛନ୍ତି ଓଡ଼ିଆ ମହିଳା ତୁଳା ମାଉସୀ । କ୍ୟାଲେଣ୍ଡରର ‘ଜନ ଭାଗିଦାରୀରେ ଜନମଙ୍ଗଳ’ ଶୀର୍ଷକ ପ୍ରଥମ ପୃଷ୍ଠାରେ ମୋଟ 12ଟି ଫଟୋ ସ୍ଥାନ ପାଇଥିବା ବେଳେ ପ୍ରଥମରେ ରହିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା । କି’ଏ ଏହି ତୁଳା ମାଉସୀ ? କିପରି ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ, ଆସନ୍ତୁ ଜାଣିବା ।
- ନୂଆ କ୍ୟାଲେଣ୍ଡରରେ ଚମକିଲେ ଓଡ଼ିଆ ମହିଳା :
ନୂତନ ବର୍ଷ-୨୦୨୫ କ୍ୟାଲେଣ୍ଡରର ପ୍ରଥମ ପୃଷ୍ଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ତୁଳା ମାଉସୀଙ୍କ ଫଟୋ । ଭାରତ ସରକାରଙ୍କ ନୂତନ ବର୍ଷର କ୍ୟାଲେଣ୍ଡରରେ ସ୍ଥାନ ପାଇଛି ୧୨ଟି ଫଟୋ । ସେଥିମଧ୍ୟରେ କନ୍ଧମାଳର ଦାନୀ ଭିକ୍ଷୁକ ତୁଳା ମାଉସୀ କ୍ୟାଲେଣ୍ଡରର ପ୍ରଥମ ପୃଷ୍ଠାରେ ସ୍ଥାନ ପାଇଥିବା ଦେଖିବାକୁ ମିଳିଛି । ଜାନୁଆରୀ ମାସର ପୃଷ୍ଠାରେ ପ୍ରଧାନମନ୍ତ୍ରୀଙ୍କ ସହିତ ତୁଳା ମାଉସୀ କଥାବାର୍ତ୍ତା ହେଉଥିବା ଫଟୋ ସ୍ଥାନୀତ ହେବା ନେଇ ଏବେ ସବୁଠି ଚର୍ଚ୍ଚା । କହି ରଖୁଛୁ, ଗତ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ତୁଳା ମାଉସୀଙ୍କୁ ଭେଟିବା ସହ ମଞ୍ଚରେ ପାଦ ଛୁଇଁ ପ୍ରଣାମ କରିଥିଲେ ଓ ଉତ୍ତରୀୟ ଦେଇ ସମ୍ମାନିତ ମଧ୍ୟ କରିଥିଲେ ।
- କାହିଁକି ତୁଳା ମାଉସୀଙ୍କ ପାଦ ଛୁଇଁଥିଲେ ପ୍ରଧାନମନ୍ତ୍ରୀ ?
ବୃଦ୍ଧା ତୁଳା ବେହେରା ଭିକ୍ଷାବୃତ୍ତି କରି ଚଳନ୍ତି । ସ୍ଥାନୀୟ ଅଞ୍ଚଳରେ ନିର୍ମିତ ହୋଇଥିବା ଜଗନ୍ନାଥ ମନ୍ଦିରକୁ ସେ ଜୀବନବ୍ଯାପୀ ଅର୍ଜିଥିବା ଅର୍ଥ ୧ ଲକ୍ଷ ଟଙ୍କା ଦାନ କରିଥିଲେ । ଗତବର୍ଷ ମେ ମାସ ୧୧ ତାରିଖରେ ଆୟୋଜିତ ‘ବିଜୟ ସଙ୍କଳ୍ପ ସମାବେଶ’ର ନିର୍ବାଚନୀ ପ୍ରଚାର ପାଇଁ ଫୁଲବାଣୀ ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହି ସମୟରେ ୭୦ ବର୍ଷୀୟ ତୁଳା ମାଉସୀଙ୍କ ଏଭଳି ମହତ କାର୍ଯ୍ୟ ପାଇଁ ସଭା ମଞ୍ଚରେ ସାକ୍ଷାତ କରି ଆଲୋଚନା କରିବା ସହିତ ପାଦ ଛୁଇଁ ପ୍ରଣାମ କରିଥିଲେ ପ୍ରଧାନମନ୍ତ୍ରୀ । ସେହି ସମୟରେ ଉଠାଯାଇଥିବା ଫଟୋ କ୍ୟାଲେଣ୍ଡରରେ ସ୍ଥାନୀତ କରାଯାଇଛି । ଚଳିତବର୍ଷ ଭାରତ ସରକାରଙ୍କ ନୂତନ ବର୍ଷ-୨୦୨୫ କ୍ୟାଲେଣ୍ଡରକୁ ଗତ ୬ ତାରିଖ ଦିନ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି । ସେଥିରେ ରହିଥିବା ପ୍ରଥମ ପୃଷ୍ଠାର (Public Welfare through Jan Bhagidari) ରେ ଓଡିଶାର କନ୍ଧମାଳ ଜିଲ୍ଲାର ଦାନୀ ଭିକ୍ଷୁକ ତୁଳା ବେହେରାଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଫଟୋ ରଖାଯାଇଛି । ତୁଳା ମାଉସୀଙ୍କୁ ମଞ୍ଚକୁ ନେବାରେ ସହଯୋଗ କରିଥିବା ସ୍ଥାନୀୟ ବିଜେପିର ବରିଷ୍ଠ ନେତା ରମେଶ ଚନ୍ଦ୍ର ମହାନ୍ତିଙ୍କ ଫଟୋ ମଧ୍ୟ ଏହି ପୃଷ୍ଠାରେ ରହିଛି ।