ଭୁବନେଶ୍ବର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ ସୋ'କୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା । ରୋଡ଼ ସୋ' ଦେଖିବାକୁ ଆସୁଥିବା ଲୋକଙ୍କୁ ମେଟାଲ ଡିଟେକ୍ଟର ଜରିଆରେ ଯାଞ୍ଚ କରାଯାଉଛି । ସମସ୍ତଙ୍କୁ ଯାଞ୍ଚ କରି ଭିତରକୁ ଦେଖିବା ପାଇଁ ଛଡାଯାଉଛି । ଏଥି ସହ ପତାକା ଓ ବାଡି ଆଦିକୁ ମଧ୍ୟ ଯାଞ୍ଚ କରାଯାଉଥିବା ବେଳେ ପାଣି ବୋତଲ ମନା କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ବରରେ ପହଞ୍ଚି ରୋଡ ସୋ' କରୁଛନ୍ତି ।
କୌଣସି ପ୍ରକାର କଠିନ ଧାତୁ ବା ସେଭଳି କିଛି ଜିନିଷ ନ ନେବାକୁ ବାରଣ କରାଯାଉଛି । କୋଠା ଓ ବ୍ରିଜ ଉପରେ ଜଗିଛି ପୋଲିସ । ରାମ ମନ୍ଦିରଠାରୁ ବାଣୀ ବିହାର ପର୍ଯ୍ୟନ୍ତ ଅନେକ ମାର୍କେଟ କମ୍ପ୍ଲେକ୍ସ ରହିଛି । ଯେଉଁଠି ପୋଲିସ ଓ ଏସପିଜି ଟିମ ମୁତୟନ ଅଛନ୍ତି । କୌଣସି କୋଠାକୁ ଅଜଣା ଲୋକଙ୍କୁ ନ ଛାଡ଼ିବାକୁ ଆଗୁଆ କୁ଼ହାଯାଇଛି । କୋଠା ଉପରେ ପୋଲିସ ଗାର୍ଡ ପରି ରହିଛନ୍ତି । ଏଥି ସହ ଏସପିଜିର ଅଧିକାରୀ ମଧ୍ୟ ବିଭିନ୍ନ କୋଠା ଉପରେ ନଜର ରଖିଛନ୍ତି ।
ଡବଲ ଲେୟାର ବ୍ୟାରିକେଡ:- ଲୋକଙ୍କ ଉପସ୍ଥିତି ପାଇଁ ଦୁଇଟି ବ୍ୟାରିକେଡ କରାଯାଇଛି । ବିଶେଷ କରି ରାସ୍ତାର ପାର୍ଶରେ ଦୁଇ ସ୍ତରର ବ୍ୟାରିକେଡ ରହିଛି । ଯାହାଦ୍ବାରା ବ୍ୟାରିକେଡ ଭିତରେ ପୋଲିସ ଜଗିବା ସହ ବ୍ୟାରିକେଡ ବାହାରେ ମଧ୍ୟ ଲୋକଙ୍କ ଗହଣରେ ପୋଲିସ କର୍ମଚାରୀ ଜଗି ରହିଛନ୍ତି । ପ୍ରତିଟି ଗଳି ଯାହାକି ରୋଡ଼ ସୋ' ହେବାକୁ ଥିବା ସଂଯୋଗ କରୁଛି, ସେ ସବୁକୁ ଦଉଡି ବାନ୍ଧି ରାସ୍ତାରେ ଗାଡି ମଟର ଅଟକାଇବା ସହ କେବଳ ବିନା ଗାଡିରେ ଯାଞ୍ଚ କରି ଭିତରକୁ ଲୋକଙ୍କୁ ଛଡାଯାଉଛି ।
ଗଣମାଧ୍ୟମ ପାଇଁ ସ୍ବତନ୍ତ୍ର ଷ୍ଟେଜ:-ବିଶେଷ କରି ଗଣ ମାଧ୍ୟମ ପାଇଁ 4ଟି ସ୍ଥାନରେ ଷ୍ଟେଜ ବନ୍ଧାଯାଇଛି । ସେଠାରେ ପାସଧାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ରହିବା ପାଇଁ ଅନୁମତି ଦିଆଯାଇଛି । କ୍ୟାମେରା, ବ୍ୟାଗପାକ ଓ ରିପୋର୍ଟରଙ୍କ କ୍ୟାମେରା ମ୍ୟାନଙ୍କ ବ୍ୟାଗ ମଧ୍ୟ ତନ ତନ କରି ଯାଞ୍ଚ କରାଯାଉଛି ।