ଭୁବନେଶ୍ବର:ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ଓଷ୍ଟା। ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନ କରାଯିବା ନେଇ ଚେତାବନୀ ଦିଆଯାଇଛି । "୩୦ ବର୍ଷରୁ ଉର୍ଦ୍ଧ୍ବ ନିରବଚ୍ଛିନ୍ନ ଭାବରେ ଚାକିରି କଲାପରେ ଶୂନ୍ୟହସ୍ତରେ ଅବସର ନେବା ଓ ୨୦ ରୁ ୨୫ ବର୍ଷ ବିନା ଅନୁଦାନରେ ଚାକିରି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ" ବୋଲି କହିଛି ସଂଘ । ଆଜି ପର୍ଯ୍ୟନ୍ତ ଅନୁଦାନ ପାଇନଥିବା ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଅବସର ନେଉଥିବା ଶିକ୍ଷକ ଓ କର୍ମଚାରୀମାନଙ୍କୁ ଚାକିରି ସହ ଅବସରକାଳୀନ ସୁବିଧା ସୁଯୋଗ ନେଇ ଦାବି ରହିଛି । ସେହିପରି ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ କ୍ଷେତ୍ରରେ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ପାଳନ କରୁନଥିବା ଅଭିଯୋଗ ଆଣିଛି ସଂଘ।
ଏନେଇ ଓଷ୍ଟା ସଭାପତି ପୂର୍ଣ୍ଣଚନ୍ଦ୍ର ରାୟ କହିଛନ୍ତି, "୨୦୧୩ ମସିହାରେ ସରକାର ୫୬୬ ଅନୁଦାନ ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ଦେବା କଥା । ହେଲେ ୨୦୧୫ ମସିହାରେ ୩୯୯ ଟି ବିଦ୍ୟାଳୟକୁ ଅନୁଦାନ ପରିସରଭୁକ୍ତ କରାଗଲା। ତେଣୁ ୧୬୭ଟି ବିଦ୍ୟାଳୟ ଅନୁଦାନ ପାଇବାରୁ ବଞ୍ଚିତ ହେଲେ। ୨୦୧୫ ମସିହାରେ ଆଉ କୌଣସି ବିଦ୍ୟାଳୟକୁ ଅନୁଦାନ ନଦେବା ପାଇଁ ସରକାର ଆମେଣ୍ଟମେଣ୍ଟ କଲେ । ୨୦୧୭ ଅନୁଦାନ ଆଇନରେ ସରକାର ଐତିହାସିକ ଗ୍ରାଣ୍ଟ-ଇନ୍-ଏଡ଼ ପ୍ରଦାନ କରାଗଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କଲେ। ଏହାରି ଭିତରେ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ କର୍ମଚାରୀମାନଙ୍କ ମଧ୍ୟରୁ ପ୍ରାୟ ୫ହଜାରରୁ ଊର୍ଦ୍ଧ୍ବ ଅବସର ନେଇଗଲେଣି । ସେମାନେ ୩୦ ବର୍ଷରୁ ଊର୍ଦ୍ଧ୍ବ କାଳ ସେବା ଯୋଗାଇଥିଲେ ମଧ୍ୟ ଶୂନ୍ୟ ହସ୍ତରେ ଅବସର ନେଉଛନ୍ତି। ଅବସର ନେବା ପରଦିନ ଟଙ୍କାଟିଏ ମଧ୍ୟ ଔଷଧ କିଣିବା ପାଇଁ ନପାଇବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ।"