ଓଡିଶା

odisha

ETV Bharat / state

SC ଓ ST ଜମି ବିକ୍ରି ପାଇଁ ସରକାରୀ ଷଡଯନ୍ତ୍ର ଅଭିଯୋଗ, ଜିଲ୍ଲାପାଳଙ୍କୁ ଆଦିବାସୀ ସମାଜର ଦାବିପତ୍ର - SC ST LAND SALE ALLEGATION

ଏସସି ଓ ଏସଟି ଜମି ବିକ୍ରି ଦୁର୍ନୀତି ଘଟଣାର ତଦନ୍ତ ଦାବି କରି ସମ୍ମିଳିତ ଆଦିବାସୀ ସମାଜ ତରଫରୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ।

SC and ST Land Sale allegations
SC and ST Land Sale allegations (ETV Bharat Odisha)

By ETV Bharat Odisha Team

Published : Jan 22, 2025, 6:21 PM IST

Updated : Jan 22, 2025, 6:29 PM IST

ଝାରସୁଗୁଡ଼ା: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ଜମିକୁ ଅଣଆଦିବାସୀଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ । ଏପରିକି ସରକାରୀ ଅଧିକାରୀମାନେ ଝାରସୁଗୁଡା ଜିଲ୍ଲାର ଆଦିବାସୀଙ୍କ ଜମିକୁ ଭୂ-ସଂସ୍କାର ଆଇନ ବ୍ୟବସ୍ଥାକୁ ବେଖାତିର କରି ବେଆଇନ ଭାବେ ବିକ୍ରି କରିଦେଇଥିବା ଅଭିଯୋଗରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପହଞ୍ଚିଛି । ଏହାକୁ ବିରୋଧ କରି ଆଦିବାସୀ ସଂଗଠନ ପକ୍ଷରୁ ଝାରସୁଗୁଡା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

  • ଜିଲ୍ଲାପାଳଙ୍କୁ ଭେଟିଲା ସମ୍ମିଳିତ ଆଦିବାସୀ ସମାଜ ମହାସଂଘ:

ଅଭିଯୋଗ ଅନୁସାରେ, ୨୦୨୩ ଜାନୁଆରୀରୁ ୨୦୨୪ ଫେବୃଆରୀ ମଧ୍ୟରେ ସମୁଦାୟ ୬୫.୬୯୫ ଏକର ଜମି ହସ୍ତାନ୍ତର ପାଇଁ ଝାରସୁଗୁଡ଼ା ଉପଜିଲ୍ଲାପାଳ କାର୍ଯ୍ୟାଳୟ ପକ୍ଷରୁ ଅନୁମାତି ପ୍ରଦାନ କରାଯାଇଛି । ଆଇଟିଡିଏ ତଥା ସିଡ୍ୟୁଲ ଅଞ୍ଚଳରେ ଆଦିବାସୀ ଜମି ହସ୍ତାନ୍ତର ଉପରେ ଆଇନଗତ କଟକଣା ରହିଛି । କିନ୍ତୁ ଝାରସୁଗୁଡ଼ାର କିର୍ମିରା ତହସିଲରେ ୧ ଏକର ୯୦ ଡେସିମିଲ ଜମି ମାଲିକଙ୍କୁ ବିକ୍ରି ଲାଗି ଅନୁମତି ପ୍ରଦାନ କରାଯାଇଛି । କିର୍ମିରା ଓ ଲଇକେରା ବ୍ଲକ ଆଇଟିଡିଏ ବ୍ଲକ ଭାବରେ ଘୋଷଣା ହୋଇସାରିଛି । ଫଳରେ ସେଠାରେ ଆଦିବାସୀମାନଙ୍କ ଜମି ଅଣବାଦିବାସୀମାନଙ୍କୁ ହସ୍ତାନ୍ତର କରାଯାଇପାରିବ ନାହିଁ । କିନ୍ତୁ କିପରି ଏହି ଜମି ବିକ୍ରି ପାଇଁ ଉପ ଜିଲ୍ଲାପଳଙ୍କ ପକ୍ଷରୁ ଅନୁମତି ମିଳିଲା ବୋଲି ପ୍ରଶ୍ନ କରିଛନ୍ତି ସମ୍ମିଳିତ ଆଦିବାସୀ ସମାଜ । ଏନେଇ ଝାରସୁଗୁଡା ଜିଲ୍ଲା ଆଦିବାସୀ ସଂଗଠନ ପକ୍ଷରୁ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କୁ ଏହି ବିଷୟରେ ଅବଗତ କରାଇବା ସହିତ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ ଏବଂ ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

SC and ST Land Sale allegations (ETV Bharat Odisha)
  • ଅନୁମତି ପାଇଁ ଜାରି ହୋଇନାହିଁ ସାଧାରଣ ବିଜ୍ଞପ୍ତି:

ସମ୍ମିଳିତ ଆଦିବାସୀ ସମାଜ ମହାସଂଘ ଲିଗାଲ ଆଡଭାଇଜର ଲକ୍ଷ୍ମୀଚରଣ ପାଲ କହିଛନ୍ତି,"ଝାରସୁଗୁଡାରେ କିଶୋର ସ୍ବାଇଁ ତତ୍କାଳୀନ ଉପଜିଲ୍ଲାପାଳ ଥିବା ବେଳେ ବିଭିନ୍ନ ଉପାୟରେ ଆଇନରୁ ବାହାରି ଯାଇ ଅନେକଗୁଡ଼ିଏ ଅନୁମତିକୁ ପ୍ରଦାନ କରିଛନ୍ତି । କୌଣସି ଅନୁମତି ପାଇଁ ସାଧାରଣ ବିଜ୍ଞପ୍ତି କରିନାହାନ୍ତି । ଏନେଇ ଆମେ ପୂର୍ବରୁ ଜିଲ୍ଲାପାଳଙ୍କୁ ଅବଗତ କରିଥିଲୁ । କିନ୍ତୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । କିଶୋର ସ୍ବାଇଁ ଝାରସୁଗୁଡ଼ାର ଉପ ଜିଲ୍ଲାପାଳ ରହି ପରବର୍ତ୍ତୀ ସମୟରେ ପଦୋନ୍ନତି ପାଇ ଝାରସୁଗୁଡାରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଭାବେ ଅବସ୍ଥାପିତ ହୋଇଛନ୍ତି । ଏହାଦ୍ବାରା ତାଙ୍କ ଉପ ଜିଲ୍ଲାପାଳ କାର୍ଯ୍ୟକାଳର ମାମଲା ଗୁଡିକର ଅପିଲ ସେ ନିଜେ ବିଚାର କରିବେ । ଏହା କେତେ ଦୂର ଆଇନ ସମ୍ମତ ବୋଲି ପ୍ରଶ୍ନ ହେଉଛି । କିଶୋର ସ୍ବାଇଁ ଯେଉଁ ସବୁ ଅନୁମତି ଦେଇଛନ୍ତି ସେସବୁକୁ ଉଚ୍ଛେଦ କରି ସମସ୍ତ ଜମିକୁ ଫେରାଇ ଦିଆଯାଉ । ଏହା ଜିଲ୍ଲାପାଳ କରିପାରିବେ । ତେଣୁ ଯଦି ଜିଲ୍ଲାପାଳ ଏହା ଉପରେ ବିହିତ ପଦକ୍ଷପ ନ ନିଅନ୍ତି ତେବେ ଉପରିସ୍ତ ଆଇନର ଆଶ୍ରୟ ନେବା ପାଇଁ ଆମେ ବାଧ୍ୟ ହେବୁ ।"

ଭୂ-ସଂସ୍କାର ଆଇନ ଉଲଙ୍ଘନ ଅଭିଯୋଗ:

ସମ୍ମିଳିତ ଆଦିବାସୀ ସମାଜ ଉପଦେଷ୍ଟା ପ୍ରଭାକର ଓରାମ କହିଛନ୍ତି, "ତତ୍କାଳୀନ ଉପଜିଲ୍ଲାପାଳ ପାଖାପାଖି ୧୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ଏସସି ଏସଟି ଜମି ଭୂ-ସଂସ୍କାର ଆଇନ ୧୯୬୦ ଦାରା ୨୨ରେ ଥିବା ବ୍ୟବସ୍ଥାର ବିରୋଧାଚରଣ କରି ବ୍ୟାପକ ଦୁର୍ନୀତି କରି ଅଣଆଦିବାସୀଙ୍କୁ ଜମି ବିକ୍ରି କରିବା ପାଇଁ ବେଆଇନ ଭାବରେ ଅନୁମତି ଦେଇଛିନ୍ତି । ଏହାକୁ ବିରୋଧ କରି ଆଜି ଏସସି, ଏସଟି ଓ ସମ୍ମିଳିତ ଆଦିବାସୀ ସମାଜ ମିଶି ଏହାର ପ୍ରତିବାଦ କରୁଛନ୍ତି । ଆଇନ ଅବମାନନା କରି ୬୩ ଏକରରୁ ଉର୍ଦ୍ଧ୍ବ ଜମି ବିକ୍ରି ପାଇଁ ଅନୁମତି ଦେଇଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ହଟିଲା କର୍ଫ୍ୟୁ, ତୃତୀୟ ଲାଇନ ରେଳ ଧାରଣା ପାଇଁ ଜବର ଦଖଲ ଉଚ୍ଛେଦ

ଏହା ମଧ୍ୟ ପଢ଼ନ୍ତୁ...ଗୋଟିଏ ଜମିକୁ ନେଇ ୨ ଜଣଙ୍କ ଭିତରେ ଟଣା ଓଟରା, ଅନସନରେ ୨ ପରିବାର

ତଦନ୍ତ ପାଇଁ କମିଟି ଗଠନ:

ଏନେଇ ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ କହିଛନ୍ତି "ଏହି ଘଟଣାକୁ ନେଇ କିଛିଦିନ ତଳେ ଆମ ପାଖକୁ ଏକ ଅଭିଯୋଗ ଆସିଥିଲା । ଏନେଇ ଆମେ ଏକ ତଦନ୍ତ କମିଟି ଗଠନ କରିଥିଲୁ । ଏହାର ତଦନ୍ତ ପାଇଁ ୨ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ତଦନ୍ତ ଆରମ୍ଭ ହୋଇଛି । ଖୁବଶୀଘ୍ର ରିପୋର୍ଟ ଆସିବ ।"

ଇଟିଭି ଭାରତ, ଝାରସୁଗୁଡ଼ା

Last Updated : Jan 22, 2025, 6:29 PM IST

ABOUT THE AUTHOR

...view details